୧ଠ-୧୫ବର୍ଷରେ ଅଖଣ୍ଡ ଭାରତ ନିର୍ମାଣ
ସନାତନ ଧର୍ମ ସଦାସର୍ବଦା ରହିଛି, ରହିବ: ଭାଗୱତ
ହରିଦ୍ୱାର (ଏଜେନ୍ସି): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ପ୍ରମୁଖ ମୋହନ୍ ଭାଗୱତ ପୁଣିଥରେ ଅଖଣ୍ଡ ଭାରତ ନିର୍ମାଣ କଥା କହିଛନ୍ତି । ହରିଦ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସମ୍ବୋଧନ ରଖିବା ସମୟରେ ଭାଗୱତ କହିଛନ୍ତି, ବିଶ୍ୱର ବଡ଼ ବଡ଼ ଭବିଷ୍ୟବିଦ୍ଙ୍କ ଗଣନା ଅନୁସାରେ ଆଗାମୀ ୨ଠ/୨୫ବର୍ଷ ମଧ୍ୟରେ ଭାରତ ପୁଣିଥରେ ଅଖଣ୍ଡ ଭାରତ ଭାବେ ଉଭା ହେବ । ତେବେ ଯଦି ଆମେ ଆମ ପ୍ରୟାସକୁ ଦ୍ରୁତତର କରିବା ତେବେ ଅଖଣ୍ଡ ଭାରତ ନିର୍ମାଣ ପ୍ରକ୍ରିୟା ମାତ୍ର ୧ଠ-୧୫ବର୍ଷ ମଧ୍ୟରେ ଶେଷ ହୋଇପାରିବ ।
ଭାଗବତ୍ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ସନାତନ ଧର୍ମ (ହିନ୍ଦୁ ଧର୍ମ) ଏବଂ ଭାରତ ସମାନ ଶବ୍ଦ । ସନାତନ ଧର୍ମ ହିଁ ହିନ୍ଦୁ ରାଷ୍ଟ୍ର । ମାତ୍ର ଯେତେବେଳେ ରାଜ୍ୟ ପରିବର୍ତ୍ତନ ହୁଏ, ସେତେବେଳେ ରାଜା ମଧ୍ୟ ପରିବର୍ତ୍ତନ ହୋଇଯାଇଥାନ୍ତି । ଭାରତ କ୍ରମାଗତ ଭାବେ ପ୍ରଗତି ତଥା ବିକାଶ ପଥରେ ଅଗ୍ରସର ହେଉଛି । ଭାରତର ବିକାଶ ରାସ୍ତାରେ ଯାହା କିଛି ପ୍ରତିବନ୍ଧକ ଆସିବ ସେସବୁ ଆପଣାଛାଏ ମାଟିରେ ମିଶିଯିବ । ଆମେ ଅହିଂସାର କଥା କହିବୁ, କିନ୍ତୁ ହାତରେ ଲାଠି ଧରି କହିବୁ । ଆମ ମନରେ କୌଣସି ବିଦ୍ୱେଷ, ଶତ୍ରୁତା ମନୋଭାବ ନାହିଁ । ମାତ୍ର ଯେତେବେଳେ ଏ ଦୁନିଆ ଶକ୍ତିର ଭାଷା ବୁଝୁଛି ସେତେବେଳେ ଆମେ ଆଉ କ’ଣ କରିପାରିବୁ ।’ ଭାଗବତ୍ଙ୍କ କହିବାନୁସାରେ କ୍ରମାଗତ ୧ଠଠଠ ବର୍ଷ ପର୍ଯ୍ୟନ୍ତ ଭାରତର ସନାତନ ଧର୍ମକୁ ସମାପ୍ତ କରିଦେବା ପାଇଁ ବିଭିନ୍ନ ସମୟରେ ଚେଷ୍ଟା କରାଯାଇଥିଲା । ଅନେକ ଶକ୍ତି ସେମାନଙ୍କର ପୁରା ସାମର୍ଥ୍ୟ ଲଗାଇଦେଇଥିଲେ ସନାତନ ଧର୍ମର ଚିହ୍ନବର୍ଣ୍ଣ ବିଲୁପ୍ତ କରିଦେବା ପାଇଁ । କିନ୍ତୁ ସନାତନ ଧର୍ମ ଆଜି ବି ସଗୌରବେ ମୁଣ୍ଡ ଟେକି ଦଣ୍ଡାୟମାନ ରହିଥିବା ବେଳେ ଅପଚେଷ୍ଟାକାରୀମାନେ ମାଟିରେ ମିଶିଯାଇଛନ୍ତି । ଭାରତ ଏଭଳି ଏକ ରାଷ୍ଟ୍ର ଯେଉଁଠି ପାଦଦେବା ମାତ୍ରେ ଆସୁରିକ ପ୍ରବୃତ୍ତି ଶେଷ ହୋଇଯାଇଥାଏ ଏବଂ ବ୍ୟକ୍ତି ମାନବିକତାର ଭାଷା କହିବା ଆରମ୍ଭ କରିଥାଏ । ଯଦି ଏପରି ନହୁଏ ତେବେ ସେ ମାଟିରେ ମିଶିଯାଏ । ଦେଶରେ ଏବେ ‘ହିନ୍ଦୁତ୍ୱ’କୁୂ ନେଇ ଯେଉଁ ନୂଆ ଉନ୍ମାଦ ଯୁବ ହିନ୍ଦୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତାହା ଅଭୂତପୂର୍ବ । ହିନ୍ଦୁ ଧର୍ମକୁ ବିରୋଧ କରି ହିନ୍ଦୁମାନଙ୍କୁ ଜାଗ୍ରତ କରିଥିବାରୁ ହିନ୍ଦୁତ୍ୱ ବିରୋଧୀଙ୍କୁ ଏକ କଟାକ୍ଷପୂର୍ଣ୍ଣ ଧନ୍ୟବାଦ ମଧ୍ୟ ଏହି ଅବସରରେ ଜଣାଇଛନ୍ତି ଭାଗୱତ ।
ଅନ୍ୟପକ୍ଷେ ଶିବସେନା ପକ୍ଷରୁ ଭାଗୱତ୍ଙ୍କ ଏପ୍ରକାର ସମ୍ବୋଧନକୁ ସମାଲୋଚନା କରିଛି ଶିବସେନା । ଶିବସେନା ସାଂସଦ ସଞ୍ଜୟ ରାଉତ୍ କହିଛନ୍ତି, ଆରଏସ୍ଏସ୍ ପ୍ରଥମେ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)କୁ ଭାରତ ସହ ସାମିଲ କରୁ,ପାକିସ୍ତାନକୁ ଭାରତ ସହ ଯୋଡୁ, କାଶ୍ମୀରରୁ ପଳାୟନ କରିଥିବା କାଶ୍ମୀର ପଣ୍ଡିତଙ୍କୁ ପୁନର୍ବାର କାଶ୍ମୀରକୁ ପ୍ରତ୍ୟାବର୍ତ୍ତନ କରାଉ । ଏସବୁ କରିବାକୁ ତ ଆରଏସ୍ଏସ୍କୁୂ କେହି ଅଟକାଉନାହାନ୍ତି । ଏସବୁ କରିସାରିବା ପରେ ଅଖଣ୍ଡ ଭାରତ ପ୍ରସଙ୍ଗରେ କହିବା ଶୋଭାପାଇବ ।