ସରକାରୀ ଗୋଦାମ ପାଲଟିଛି ଭୂତକୋଠି
ସାଲେପୁର (ଆପ୍ର): ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ସାଲେପୁରଠାରେ ନିର୍ମାଣ କରାଯାଇଥିବା ସରକାରୀ ଗୋଦାମ ଗୃହ ଏବେ ଭୂତକୋଠିରେ ପରିଣତ ହୋଇଛି । ପ୍ରକାଶ ଯେ ସାଲେପୁର ବ୍ଲକ୍ରେ ରାଜ୍ୟ ଯୋଗାଣ ନିଗମ କଟକ ପକ୍ଷରୁ ୨୦୦୪ ଜାନୁଆରୀ ୨୪ ତାରିଖରେ ଉଦ୍ଘାଟନ ହୋଇଥିବା ୫ଶହ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏପରିକି ଗୋଦାମ ଗୃହର ବିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି ହୋଇଥିବାବେଳେ ଏହି ଘରର କାନ୍ଥରେ ମଧ୍ୟ ଗଛ ଉଠିଥିବା ଦେଖିବାକୁ ମିଳିଛି । ବ୍ଲକ୍ର ନିଜସ୍ୱ ଗୋଦାମ ଗୃହ ଥାଇ ଏଠାରେ ଯୋଗାଣ ସାମଗ୍ରୀ ରଖାନଯାଇ, ସରକାର ଭଡ଼ା ସୂତ୍ରରେ ନେଇ ଗୋଦାମରେ ଯୋଗାଣ ବିଭାଗର ଖାଉଟୀ ସାମଗ୍ରୀ ଗଚ୍ଛିତ ରଖୁଛନ୍ତି । ଫଳରେ ସାଲେପୁର ଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଗୋଦାମ ଗୃହ ଏବେ ଭୂତକୋଠିରେ ପରିଣତ ହୋଇଛି ।
ପ୍ରକାଶ ଯେ ସାଲେପୁର ବ୍ଲକ୍ର ୩୫ଟି ପଞ୍ଚାୟତ ପାଇଁ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ସାମଗ୍ରୀ ଯଥା: ଚାଉଳ, ଗହମ, କିରାସିନ୍ ପ୍ରଭୃତି ଗଚ୍ଛିତ ରଖିବା ପାଇଁ ସାଲେପୁର ବ୍ଲକ୍ର କୁଆଁପାଳ ରୋଡ୍ରେ ୨୦୦୪ ମସିହାରେ ସରକାର ୫ଶହ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ କରିଥିôଲେ । ଏହାକୁ ୨୦୦୪ ମସିହାରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ବେହେରା ଉଦ୍ଘାଟନ କରିଥିଲେ । କିଛି ବର୍ଷ ଏହି ଗୋଦାମରେ ଯୋଗାଣ ସାମଗ୍ରୀ ରହିବା ପରେ ଗୋଦାମଟି ବନ୍ଦ ହୋଇ ପଡିଥିଲା । ଯାହାଫଳରେ ଏବେ ଏହି ଗୋଦାମଟି ଭୂତକୋଠିରେ ପରିଣତ ହୋଇଛିି । ସରକାର କୋଟି କୋଟି ଟଙ୍କା ବ୍ୟୟକରି ଲୋକମାନଙ୍କୁ ସହଜରେ କମ୍ ସମୟ ମଧ୍ୟରେ ପିଡିଏସ୍ ସାମଗ୍ରୀ ଯୋଗାଇ ଦେବାକୁ ଏହି ଗୋଦାମ ନିର୍ମାଣ କରିଥିବାବେଳେ ଏବେ ଏହି ଗୋଦାମଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ସରକାର ଏହି ଗୋଦାମକୁ ପୁନରୁଦ୍ଧାର କରିବା ପାଇଁ ସାଧାରଣରେ ଦାବି ହେଉଛି ।