ଶସ୍ୟ ନ କିଣିଲେ ସରକାର ବଦଳାଇଦେବୁ
ମୋଦିଙ୍କୁ କେସିଆର୍ଙ୍କ ଅଲ୍ଟିମେଟମ୍
ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ପାଇଁ ପୁୂଣି ଏକ ନୂଆ ସମସ୍ୟା ସୃଷ୍ଟି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ପ୍ରମୁଖ କେ ଚନ୍ଦ୍ରଶେଖର ରାଓ(କେସିଆର୍) । ସେ, ମୋଦିଙ୍କୁ ୨୪ଘଣ୍ଟା ସମୟ ଦେଇ କହିଛନ୍ତି ଯେ, ଏହି ସମୟ ସୁଦ୍ଧା କେନ୍ଦ୍ର ରାଜ୍ୟ ଠାରୁ (ରାଜ୍ୟର କୃଷକମାନଙ୍କ ଠାରୁ) ୧୫ଲକ୍ଷ ଟନ୍ ଚାଉଳ (ପାରବଏଲ୍ଡ ବା ଉଷୁନା ଚାଉଳ) କିଣିବା ଉପରେ ଚିନ୍ତା କରିବା ଉଚିତ୍ । ଏତଦ୍ବ୍ୟତୀତ ରାଜ୍ୟରୁ ଶସ୍ୟ କିଣାଯିବା ସମ୍ପର୍କୀତ ଏକ ସ୍ୱତନ୍ତ୍ର କୃଷି ନୀତି ପ୍ରଣୟନ କରିବାକୁ ମଧ୍ୟ କେସିଆର୍ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ନୂଆଦିଲ୍ଲୀ ଠାରେ ଏକ ଦିନିକିଆ ଧାରଣା ପ୍ରଦର୍ଶନ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ୩ ବିବାଦୀୟ କୃଷି ଆଇନ୍କୁ ନେଇ ସମଗ୍ର ଦେଶରେ ବିରୋଧ ହେବା ପରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଏହାକୁ ପ୍ରତ୍ୟାହାର କରିନେଇଥିଲେ । ଏହାର କିଛି ମାସ ପରେ ଏକ ସ୍ୱତନ୍ତ୍ର କୃଷି ଆଇନ ବା ନୀତି ପ୍ରଣୟନ କରିବାକୁ କେସିଆର ଦାବି କରିଛନ୍ତି । ଏତଦ୍ବ୍ୟତୀତ ନିଜ ଦାବିରେ ସେ ତାଙ୍କ ରାଜ୍ୟର ଚାଷୀମାନଙ୍କ ପାଖରୁ ୧୫ଲକ୍ଷ ଟନ୍ ଚାଉଳ କ୍ରୟ କରିବାକୁ ମଧ୍ୟ ଦାବି କରିଛନ୍ତି । ଏହି ଅବସରରେ କେସିଆର ବିଜେପିକୁ ଧମକ ଦେଇ କହିଛନ୍ତି ଯେ, ଯଥାସମ୍ଭବ ତ୍ୱରିତ ନୀତି ପ୍ରଣୟନ ସହ ତାଙ୍କ ଦାବି ପୂରଣ ହେବା ଉଚିତ୍ । ନଚେତ୍ ସେମାନେ ନିଜ ନିଷ୍ପତ୍ତି ନେବାକୁ ବାଧ୍ୟହେବେ । ବିଜେପିକୁ କ୍ଷମତାରୁ ହଟାଇଦିଆଯିବ । ଏବଂ ନୂଆ ସରକାର ଆସିବା ପରେ ନୂଆ କୃଷି ନୀତି ନିର୍ଦ୍ଧାରଣ କରାଯିବ । ରାଜ୍ୟ ଠାରୁ କେନ୍ଦ୍ରର ଚାଉଳ କ୍ରୟ ପ୍ରସଙ୍ଗରେ ନୂଆଦିଲ୍ଲୀରେ ଦଳୀୟ ନେତାଙ୍କ ସହ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଏଭଳି କହିଛନ୍ତି କେସିଆର୍ । ଏତଦ୍ବ୍ୟତୀତ ଯଦି ବିଜେପିର ସତ୍ସାହସ ଅଛି ତେବେ ତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ତଦନ୍ତ ପାଇଁ ଲଗାଇଦେଉ କିମ୍ବା ତାଙ୍କୁ ଗିରଫ କରୁ ବୋଲି ମଧ୍ୟ କେସିଆର ଚ୍ୟାଲେଞ୍ଜ୍ ଦେଇଛନ୍ତି ।
କେସିଆର୍ଙ୍କ କହିବାନୁସାରେ ଦେଶର କୃଷକମାନଙ୍କୁ ଭିକାରୀ ଭାବିବାର ଭୁଲ୍ ମୋଦି ସରକାର ନକରନ୍ତୁ । କୃଷକଙ୍କ ହାତରେ ରାତିରାତି ସରକାର ବଦଳାଇଦେବାର କ୍ଷମତା ମଧ୍ୟ ରହିଛି । ଆମେ କେନ୍ଦ୍ରକୁ ଭିକ ମାଗୁନୁ ବରଂ ଆମେ ଆମ ଅଧିକାର ପାଇଁ ଲଢ଼େଇ କରୁଛୁ । ସୁତରାଂ ଉଭୟ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଖାଦ୍ୟମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ବିନମ୍ର ନିବେଦନ କରିବା ପୂର୍ବକ ତୁରନ୍ତ ରାଜ୍ୟବାସୀଙ୍କ ଠାରୁ ଖାଦ୍ୟଶସ୍ୟ କିଣିବା ପାଇଁ କେସିଆର୍ ଅନୁରୋଧ କରିଛନ୍ତି । ପ୍ରକାଶ, ୨ଠ୧୪ରେ ଟିଆରଏସ୍ ତେଲେଙ୍ଗାନାରେ କ୍ଷମତାସୀନ ହେବା ପର ଠାରୁ ନୂଆଦିଲ୍ଲୀରେ ଏପ୍ରକାର ପ୍ରତିବାଦ ତଥା ବିକ୍ଷୋଭ ପ୍ରଦର୍ଶନ ଦଳପକ୍ଷରୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।