ସବୁ କ୍ୟାମ୍ପସ୍ ହେବ ୱାଇଫାଇ: ମୁଖ୍ୟମନ୍ତ୍ରୀ

33

+୨ ମେଧାବୀଙ୍କୁ ଲାପ୍ଟପ୍ ପ୍ରଦାନ
ଭୁବନେଶ୍ୱର, (ବୁ୍ୟରୋ): ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ୨୦୧୪ରେ ଖୋର୍ଦ୍ଧା ଜଲ୍ଲାର +୨ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାପ୍ଟପ୍ ବଣ୍ଟନ କରିଛନ୍ତି । ବିଜେବି ସ୍ୱୟଂଶାସିତ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୦ଜଣଙ୍କୁ ଲାପଟପ୍ ପ୍ରଦାନ କରିବା ସହ ଏହା ଜ୍ଞାନ ଆହରଣ ଓ ଜୀବନରେ ଆଗକୁ ବଢ଼ିବାପାଇଁ ସହାୟକ ହେବ ବୋଲି କହିଛନ୍ତି । ଛାତ୍ରଛାତ୍ରୀମାନେ ଯେପରି କଲେଜରୁ ଡ଼ିଗ୍ରୀ ହାସଲ କରିବା ପରେ ପରେ ନିଯୁକ୍ତି କ୍ଷେତ୍ରରେ ପ୍ରବେଶ କରିପାରିବେ ସେଥିପାଇଁ ସରକାର ଯୁକ୍ତ ୨ ଓ ଡ଼ିଗ୍ରୀ କଲେଜ ସ୍ତରରେ ଦକ୍ଷତା ବିକାଶ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯୁବବର୍ଗଙ୍କୁ ସଶକ୍ତିକରଣ କରିବା ନିତାନ୍ତ ଆବଶ୍ୟକ ଥିବା ବେଳେ ସରକାର ଗୁଣାତ୍ମକ ଶିକ୍ଷା ସହ, ଗବେଷଣା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନର ସାମାଜିକ ଓ ଅର୍ଥନୈତିକ ପରିବେଶକୁ ଆଖି ଆଗରେ ରଖି ଯୁବକଯୁବତୀଙ୍କୁ ସ୍ୱତନ୍ତ୍ର ଭାବରେ ନେତୃତ୍ୱ ଓ ଉଦ୍ୟୋଗ ସ୍ଥାପନ ସମ୍ପର୍କୀୟ କାର୍ଯ୍ୟକ୍ରମରେ ସାମିଲ୍ କରାଯିବ । ରାଜ୍ୟର ସମସ୍ତ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ କ୍ୟାରିୟର କାଉନ୍ସେଲିଂ ସେଲ୍ ସ୍ଥାପନ କରାଯିବ । ଏହା ସହିତ କ୍ୟାମ୍ପସ୍ ଗୁଡ଼ିକୁ ଇଣ୍ଟରନ୍ଟେର ବ୍ୟବହାର ପାଇଁ ୱାଇଫାଇ କରାଯିବ । ଇଂରାଜୀ ଭାଷାରେ ଉଭୟ ଲିଖନ ଓ କଥନରେ ପ୍ରବୀଣ ହେବାପାଇଁ କଲେଜ ଗୁଡ଼ିକରେ ‘ଲାଙ୍ଗୁଏଜ୍ କମୁ୍ୟନିକେଶନ୍ ଲ୍ୟାବ୍’ ସ୍ଥାପନ କରାଯାଇଛି । ଦକ୍ଷ ଛାତ୍ରଛାତ୍ରୀମାନଙ୍କୁ ସର୍ବଭାରତୀୟ ନିଯୁକ୍ତି ସମ୍ବନ୍ଧୀୟ ପରୀକ୍ଷାରେ ସହାୟତା ଯୋଗାଇବା ନିମନ୍ତେ କୋଚିଂ ସୁବିଧା ପ୍ରଦାନ ଦିଗରେ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଯୁବକଯୁବତୀମାନଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ଯୁବନୀତି ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବା ସହ ଭାରତ ତଥା ଓଡ଼ିଶାର ଗୌରବ ବୃଦ୍ଧି ପାଇଁ ସେମାନଙ୍କ ପ୍ରତିଭାର ଉପଯୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ କହିଲେ ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଏହି ଲାପଟପ୍ ବଣ୍ଟନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ୍ ଶିକ୍ଷା କ୍ଷେତ୍ରରେ ଦୂରତ୍ୱ କମାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ବୃଦ୍ଧିରେ ସହାୟ ହେବ । ବର୍ତ୍ତମାନ ସବୁକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟର ଆବଶ୍ୟକତା ରହିଥିବା ବେଳେ ସରକାର ରାଜ୍ୟରେ ଅନେକ ଜାତୀୟସ୍ତରୀୟ ଅନୁଷ୍ଠାନ ଖୋଲିଛନ୍ତି । ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଜାତୀୟ ଏବଂ ଅନ୍ତଜାର୍ତୀୟ ସ୍ତରରେ ଓଡିଆ ଛାତ୍ରଛାତ୍ରୀ ଦକ୍ଷତା ପ୍ରତିପାଦନରେ ସହାଯ୍ୟ କରିବ । ଅନ୍ୟତମ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ବିଜେବି କଲେଜ ରାଜ୍ୟର ଶ୍ରେଷ୍ଠ କଲେଜ ହୋଇଥିବା ବେଳେ ଏହା ରମାଦେବୀ ବିଶ୍ୱବିଦ୍ୟାଳୟଠୁ କୌଣସି ଗୁଣରେ କମ୍ ନୁହେଁ ତେଣୁ ଏହି କଲେଜକୁ ଏକକ ବିଶ୍ୱବିଦ୍ୟାଳୟ କିମ୍ବା ଡିମ୍ଡି ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି କରିଥିଲେ । ଅନ୍ୟତମ ଅତିଥିଭାବେ ବିଧାୟକ ବିଜୟ ମହାନ୍ତି ଏବଂ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇଥିଲେ । ୨୦୧୩ ମସିହାରୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲାପଟପ୍ ପ୍ରଦାନ କରାଯାଉଥିବା ବେଳେ ୨୦୧୪ ଏବଂ ୨୦୧୫ ବର୍ଷ ପାଇଁ ମୋଟ୍ ୧୫ହଜାର ଲେଖାଏଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୨୦୧୪ ବର୍ଷ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫୫୦ ଜଣଙ୍କୁ ଲାପଟପ୍ ପ୍ରଦାନ ପାଇଁ ମନୋନୀତ ହୋଇଥିବା ବେଳେ ଆଜି ମୋଟ୍ ୩୦୦ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରାଯାଇଛି ଏବଂ ମାସେ ମଧ୍ୟରେ ବାକି ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରାଯିବ । ଏହାପରେ ୨୦୧୫ର ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଲାପଟପ୍ ପ୍ରଦାନ କରାଯିବ ବୋଲି ନୋଡାଲ ଅଫିସର ମିହିର କୁମାର ଦାସ ସୂଚନା ଦେଇଛନ୍ତି । ପ୍ରାରମ୍ଭରେ ବିଜେବି କଲେଜର ଅଧ୍ୟକ୍ଷ ନୱାଜ୍ ହୁସେନ୍ ସିଦ୍ଧିକି ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କଲେଜ କର୍ମଚାରୀ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ।

ସେଆର କରନ୍ତୁ:



Powered by odothemes.com