ବସ୍ତି ସୁରକ୍ଷା ମଞ୍ଚର ବିଏମ୍ସି ଅଫିସ୍ ଘେରାଉ

29

ଭୁବନେଶ୍ୱର,(ବୁ୍ୟରୋ): ଖୋଲା ଆକାଶତଳେ ରହୁଥିବା ସାଇକୃପା ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଥଇଥାନ ଓ ପାନୀୟ ଜଳ ଯୋଗାଣ ଦାବିରେ ବସ୍ତି ସୁରକ୍ଷା ମଞ୍ଚ ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଦେଇଥିଲେ । ଶତାଧିକ ବସ୍ତିବାସିନ୍ଦା ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଶୋଭାଯାତ୍ରାରେ ବାହାରି ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବସ୍ତି ସୁରକ୍ଷା ମଞ୍ଚର ସମ୍ପାଦିକା ପ୍ରମିଳା ବେହେରା, ସାଇକୃପା ବସ୍ତିର ସଭାପତି ସପନ ବୈଦ୍ୟଙ୍କ ସମେତ ୭ଜଣିଆ ପ୍ରତିନିଧି ଦଳ ମେୟରଙ୍କୁ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଫେବୃଆରୀ ୨ତାରିଖରେ ମିଳିତ ଟିମ ସାଇକୃପା ବସ୍ତି ଉଚ୍ଛେଦ କରି ୫ଶହରୁ ଉଦ୍ଧ୍ୱର୍ ଘର ଭାଙ୍ଗିଥିଲେ । ବସ୍ତିଭଙ୍ଗାକୁ ବିରୋଧ କରିବା ଯୋଗୁ ବସ୍ତିର ଅନେକ ମହିଳା ଓ ପୁରୁଷ ପୁଲିସ୍ ଠାରୁ ମାଡ ଖାଇଥିଲେ ଓ ଗିରଫ ମଧ୍ୟ ହୋଇଥିଲେ । ତା’ପର ଦିନ ବସ୍ତିବାସିନ୍ଦା ଥଇଥାନ ଦାବିରେ ମିଳିତଭାବେ ବିଏମ୍ସି ଅଫିସ ଘେରାଉ କରିବାକୁ ନିଷ୍ପତ୍ତି ନେଇଥିଲେ । ଘେରାଉ ପୂର୍ବରୁ ପ୍ରଶାସନ ୧୦ ଦିନ ମଧ୍ୟରେ ବସ୍ତିବାସିନ୍ଦାକୁ ଥଇଥାନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ୧୦ଦିନ ଯାଇ ୪ ମାସ ବିତିଗଲେ ସୁଦ୍ଧା ସରକାର ଥଇଥାନ ଲାଗି କୌଣସି ନିଷ୍ପତ୍ତି ଗ୍ରହଣ ନକରିବାରୁ ଆମେ ବାଧ୍ୟ ହୋଇ ବିଏମ୍ସି ଅଫିସ ଘେରାଉ କରିଥିବା ବସ୍ତି ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦିକା ପ୍ରମିଳା ବେହେରା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସାଇକୃପା ବସ୍ତିର ୯୪ଟି ପରିବାର ଖରା, କାକର ଓ ବର୍ଷାରେ ତମ୍ବୁ ଟାଣି ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ସେମାନଙ୍କ ଲାଗି ପିଇବା ପାଣି ନାହିଁ କି ଯିବା ଆସିବା ପାଇଁ ରାସ୍ତା ନାହିଁ । ସରକାର ଗରିବ ଲୋକଙ୍କୁ ଅମାନବୀୟତା ଓ ନିଷ୍ଠୁର ଉପହାସ କରୁଛନ୍ତି । ଯଦି ତୁରନ୍ତ ବସ୍ତିବାସିନ୍ଦାଙ୍କ ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ କହିଛନ୍ତି ।




Powered by odothemes.com