ନିଖୋଜ ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ!

27

ଯାଜପୁର, (ଆପ୍ର): ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଚିକଣା ପଞ୍ଚାୟତର ତଳଡିଆଟିକିରି ଗ୍ରାମର ଜଣେ ୪ବର୍ଷର ଶିଶୁକୁ କେହି ଦୁବୃର୍ତ୍ତ ହତ୍ୟା କରି ନିକଟସ୍ଥ ବାଉଁଶ ବୁଦାରେ ଫିଙ୍ଗି ଦେଇଥିବା ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବୁଧବାର ତଳଡିଆଟିକିରି ଗ୍ରାମର ସୁକାନ୍ତ ଦାସଙ୍କ ୪ବର୍ଷର ଶିଶୁପୁତ୍ର ସୋମ୍ୟରଞ୍ଜନ ଦାସ ଅପରାହ୍ନରେ ନିଖୋଜ ହୋଇଯାଇଥିଲା । ସୋମ୍ୟଙ୍କୁ ଖୋଜିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଓ ଦମକଳ ବାହିନୀ ମିଳିତ ଭାବରେ ପୋଖରୀ ଓ କୂଅରେ ଖୋଜା ଖୋଜି କରିଥିଲେ ହେଁ ପାଇ ନଥିଲେ । ୠୁରୁବାର ଭୋରରେ ସୋମ୍ୟଙ୍କ ମା’ ମାମିନା ଦାସ ଓ ଅନ୍ୟ ସମ୍ପର୍କିୟ ବିଦ୍ୟାଳୟ ପଛପଟରେ ଥିବା ବାଉଁଶ ବୁଦାର ମୂଳରେ ଥିବା ପାଣିରୁ ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ପାରିପାଶ୍ୱିର୍କ ପରିସ୍ଥତିରୁ ଶିଶୁଟିକୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି । ଖବର ପ୍ରଚାର ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳର ଶହଶହ ଲୋକ ରୁଣ୍ଡ ହୋଇ ହତ୍ୟାକାରୀଙ୍କୁ ଗିରଫ ଦାବି କରିଥିବା ଜଣାଯାଇଛି ।
ଉଲ୍ଲେଖଯୋଗ୍ୟ, ଶିଶୁଟିର ମୃତଦେହ ଉଦ୍ଧାର ହୋଇଥିବା ବାଉଁଶ ବୁଦାଟି ଅନ୍ଧାରିଆ ସ୍ଥାନ ହୋଇଥିବା ବେଳେ ସେଠାରେ ମାତ୍ର ୨ଫୁଟର ବର୍ଷାଜଳ ଜମି ରହିଛି । ଏହି ପରିସ୍ଥତିରେ ୩ଫୁଟ ଉଚ୍ଚତାର ସୋମ୍ୟଙ୍କ କିପରି ମୃତୁ୍ୟ ହେଲା ତାହା ଏବେ ରହସ୍ୟମୟ ହୋଇପଡିଛି । ୧୫ ଘଣ୍ଟା ପାଣିରେ ପଡିରହି ବି ତାର ଶବ ଫୁଲିନାହିଁ କିମ୍ବା ନଷ୍ଟ ହୋଇ ନାହିଁ । ମୁହଁରେ ତାଜା ରକ୍ତ ବାହାରୁଥିବା ବେଳେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ବାହାରେ ହତ୍ୟା କରି ଭୋର ସମୟରେ କେହି ଦୁର୍ବୃତ୍ତ ଉକ୍ତ ସ୍ଥାନରେ ପକାଇ ଦେଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁ ସୋମ୍ୟର ମାମୁଁ ହିମାଂଶୁ ଦାସ କହିଛନ୍ତି ଯେ ବୁଧବାର ଦୁଇ ଦୁଇ ଥର ଏହି ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ଶିଶୁଟିର ପତ୍ତା ମିଳିନଥିବା ବେଳେ ଗୁରୁବାର କିପରି ଏଠାରେ ଶବ ମିଳିଲା ବୋଲି ପ୍ରଶ୍ନ କରିଛନ୍ତି । ହତ୍ୟାକାଣ୍ଡ ସମମ୍ପର୍କରେ ବହୁକଥା ଶୁଣିବାକୁ ମିଳୁଛି । ଖବର ପାଇ ବିଞ୍ଝାରପୁର ଥାନାଧିକାରୀ ଅସୀତ ରଞ୍ଜନ ମହାନ୍ତି ଓ ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଅଚୁ୍ୟତନନ୍ଦନ ଦାସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ । ପୁଲିସ୍ ୨୪୩/୧୫ରେ ୩୦୨ଦଫା ଅନୁଯାୟୀ ହତ୍ୟା ମାମଲାରୁ ରୁଜୁ କରି ତଦନ୍ତ କରୁଛି ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଏହି ଘଟଣାରେ ବରପଦା ଓ ଚିକଣା ପଞ୍ଚାୟତରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ମୃତ ଶିଶୁ ପାଇଁ ଶୋକର ଛାୟା ଖେଳିଯାଇଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଏଯାଏଁ କେହି ଗିରଫ ହୋଇନଥିବା ଜଣାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତକୁ ଆଗକୁ ନେବାକୁ ଥାନାଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com