ବିକାଶ ହାସଲ ପାଇଁ ଦୁର୍ଯୋଗକୁ ସୁଯୋଗରେ ପରିଣତ କର: ମୁଖ୍ୟମନ୍ତ୍ରୀ

46

ରାଜ୍ୟର ଋଣ ହାର ସର୍ବନିମ୍ନ
ଭୁବନେଶ୍ୱର, ୭ ।୯(ବୁ୍ୟରୋ): ଭୌଗୋଳିକ ପ୍ରତିବନ୍ଧକ, ସାମାଜିକ, ଅର୍ଥନୈତିକ ସ୍ଥିତିରେ ବ୍ୟାପକ ତାରତମ୍ୟ ମଧ୍ୟରେ ଓଡିଶାର ବିକାଶ ପ୍ରକ୍ରିୟା ସ୍ୱତନ୍ତ୍ର ଆହ୍ୱାନର ସମ୍ମୁଖୀନ । ଏଭଳି ପ୍ରତିକୂଳ ପରିସ୍ଥିତିରେ ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷା ପୂରଣ ଜରୁରୀ ହୋଇଥିବାରୁ ସାମାଜିକ ଓ ଆର୍ଥିକ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ସୁକ୍ଷ୍ମ ତଥା ସୁଚିନ୍ତିତ ଆଭିମୁଖ୍ୟ ଅପରିହାର୍ଯ୍ୟ ହୋଇପଡିଛି । ମୋଟାମୋଟିଭାବେ ଏଭଳି ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବା ପାଇଁ ନୀତି ନିର୍ଦ୍ଧାରକମାନେ ଦୀର୍ଘମିଆଦୀ ଆର୍ଥିକ ଅଭିବୃଦ୍ଧି ସକାଶେ ଖସଡା ପ୍ରସ୍ତୁତ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ସେଣ୍ଟ ଜାଭିୟର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜ୍ମେଣ୍ଟରେ ଅର୍ଥନୀତି ଓ ଟିକସ ବ୍ୟବସ୍ଥା ସଂକ୍ରାନ୍ତ ଉକ୍ରର୍ଷ କେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ଆର୍ଥିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆର୍ଥିକ ଉତ୍ତରଦାୟିତ୍ୱ ଓ ବଜେଟ୍ ପରିଚାଳନା ଆଇନ-୨୦୦୫ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ଓଡିଶା ସଫଳ ହୋଇଛି । ରାଜ୍ୟର ଟିକସ ହାର ମୋଟ୍ ଆଭ୍ୟନ୍ତରୀଣ ଉପିାଦ (ଜିଏସ୍ଡିପି) ସହ ତାଳଦେଇ ବୃଦ୍ଧି ପାଇଛି । ୧୯୯୯-୨୦୦୦ରେ ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ଜିଏସ୍ଡିପିର ୪% ଥିବାବେଳେ ୨୦୧୪-୧୫ ବେଳକୁ ତାହା ୬.୪%କୁ ବୃଦ୍ଧି ପାଇଛି । ସବୁଠୁ ଉଲ୍ଲେଖନୀୟ ହେଲା, ଜିଏସ୍ଡିପି ହାର ଦୃଷ୍ଟିରୁ ରାଜ୍ୟର ଋଣ ଭାର ଦେଶରେ ସର୍ବନିମ୍ନ । ତେଣୁ ଉଚ୍ଚ ଅଭିବୃଦ୍ଧି ପାଇଁ ଏଠାରେ ପୁଞ୍ଜି ନିବେଶର ପର୍ଯ୍ୟାପ୍ତ ସୁଯୋଗ ରହିଛି ।
ମୁଖ୍ୟମନ୍ତ୍ରୀ କହିଲେ, ନୀତି ଆୟୋଗ ଗଠନ ପରେ ରାଜ୍ୟଗୁଡିକୁ କେନ୍ଦ୍ରୀୟ ଟିକସର ଅଂଶ ଓ ଅନୁଦାନ ପ୍ରଦାନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଚତୁର୍ଦ୍ଧଶ ଅର୍ଥ କମିଶନ ରାଜ୍ୟକୁ ମିଳୁଥିବା ଯୋଜନା ସହାୟତାରେ ପରିବର୍ତ୍ତନ ଆଣିଛନ୍ତି । ତେବେ ସମସ୍ତଙ୍କୁ ନେଇ ଅଭିବୃଦ୍ଧି ହାସଲ ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡିକର ଅର୍ଥନୀତିରେ ବ୍ୟାପକ ପୁନରୁଦ୍ଧାର ଲୋଡା । ଏସବୁ ପ୍ରେକ୍ଷାପଟ୍ଟକୁ ନେଇ ସରକାରୀ ନୀତି ନିର୍ଦ୍ଧାରଣ ନିମନ୍ତେ ଉଚ୍ଚତର ଗବେଷଣା ଅପରିହାର୍ଯ୍ୟ । ତେଣୁ ଏଠାରେ ସ୍ଥାପିତ ଉକ୍ରର୍ଷ କେନ୍ଦ୍ର ସରକାରୀ ନୀତି ନିର୍ଦ୍ଧାରଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ସେଣ୍ଟର ଅଫ୍ ଏକ୍ସିଲେନ୍ସ ଇନ୍ ଫିସ୍କାଲ୍ ପଲିସି ଆଣ୍ଡ ଟ୍ୟାକ୍ସେସନ୍ର ପ୍ରଫେସର ଡ. ଅସୀତ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଉନ୍ନୟନ କମିଶନର ୟୁଏନ୍ ବେହେରା, ଅତିରିକ୍ତ ମୁଖ୍ୟ ସଚିବ (ଅର୍ଥ) ଆର୍ ବାଲ୍କ୍ରୀଷ୍ଣନ, ଜାଭିୟର ବିଶ୍ୱବିଦ୍ୟାଳୟର କୁଳପତି ଫାଦର ପର୍ଲ ଫର୍ଣ୍ଣାଣ୍ଡିଜ୍ ପ୍ରମୁଖ ଆର୍ଥିକ ପରିଚାଳନା ଓ ଟିକସ ବ୍ୟବସ୍ଥାର ସୁଧାର ସମ୍ପର୍କରେ ଆଲୋକପାତ କରିଥିଲେ ।




Powered by odothemes.com