ଦେଶବିଦେଶରେ ସୁରଙ୍କ ଆଶ୍ରମ

32

କଟକ/ଭୁବନେଶ୍ୱର, ୫ ।୯(ବୁ୍ୟରୋ): ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ବିଶାଳ ତ୍ରାହି ଅଚୁ୍ୟତ ଆଶ୍ରମର ମାଲିକ ଭଣ୍ଡ ସୁରବାବା ନିଜ ନେଟୱର୍କ ପ୍ରସାର ପାଇଁ ବିହାରର ଭାଗଲପୁର ଓ ସମସ୍ତିପୁର, ପଶ୍ଚିମବଙ୍ଗର କୋଲକାତା ଓ ୨୪ପ୍ରଗଣା, ମହାରାଷ୍ଟ୍ରର ମୁମ୍ବାଇ ମହାନଗରୀ ଉପକଣ୍ଠ ମୁମ୍ବାଇ-ଅହମ୍ମଦାବାଦ୍ ଜାତୀୟ ରାଜପଥ କଡରେ ଓ ସୁଦୂର ନେପାଳରେ ଆଶ୍ରମ ସ୍ଥାପନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଦ୍ୱିତୀୟ ଦିନ ଜେରାରେ ସୁରବାବା ଓ ତାଙ୍କ ଦୁଇପୁଅ ଏହା ସ୍ୱୀକାର କରିବା ପରେ କ୍ରାଇମ୍ ବ୍ରାଞ୍ଚର ଏକ ଟିମ୍ ଆଜି ମୁମ୍ବାଇ ଯାତ୍ରା କରିଥିବା ଏଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ଅପରାଧପ୍ରବଣ ବିହାରର ଭାଗଲପୁର ଓ ସମସ୍ତିପୁର ଆଶ୍ରମରେ କୁଖ୍ୟାତ ଅପରାଧୀଙ୍କ ଆଡା ଥିବା ସନ୍ଦେହରେ ବିହାର ପୁଲିସ୍ ସହ ଯୋଗାଯୋଗ କରାଯାଉଛି ବୋଲି ଏଡିଜି କହିଛନ୍ତି । ସୂଚନାଯୋଗ୍ୟ, ସୁରବାବାଙ୍କ ଆଶ୍ରମରେ ସ୍ଥାନୀୟ ଲୋକେ ଚଢାଉ କରିବାର କିଛିଦିନ ପୂର୍ବରୁ ବିହାରର ୨ ଜଣ କୁଖ୍ୟାତ ଅପରାଧୀଙ୍କୁ ବିହାର ପୁଲିସ୍ ସେଠାରୁ ଉଠାଇନେଇଥିଲା । ସେମାନେ ସମସ୍ତିପୁର ଆଶ୍ରମ ଜରିଆରେ ଏଠାକୁ ଆସି ଡ୍ରାଇଭରଭାବେ କାମ କରୁଥିଲେ । ଅନ୍ୟପକ୍ଷରେ ମୁମ୍ବାଇ ଉପକଣ୍ଠରେ ନିର୍ମିତ ଆଶ୍ରମ ସଂଲଗ୍ନ ଜମିକୁ ସୁରବାବା ଶତାଧିକ ପ୍ଲଟିଂ କରି ବିକ୍ରି କରିଥିବା ସୁରାକ ମିଳିଛି । କେବଳ ସେତିକି ନୁହେଁ, ମୁମ୍ବାଇ ଆଶ୍ରମ ନିର୍ମାଣ ପାଇଁ ବଲିଉଡ୍ ତାରକା ସଞ୍ଜୟ ଦତ୍ତ ତାଙ୍କୁ ସାହାଯ୍ୟ କରିଥିବା ମଧ୍ୟ ଆଲୋଚନା ହେଉଛି । ଏହି ସୂତ୍ରରୁ ପ୍ରକାଶ ଯେ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ଟାଡା କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ଦତ୍ତ ରିଷ୍ଟ ଖଣ୍ଡନ ପାଇଁ ତ୍ରାହି ଅଚୁ୍ୟତ ଆଶ୍ରମକୁ ଆସି ସୁରବାବାଙ୍କ ଦ୍ୱାରା ନିର୍ଦ୍ଧିଷ୍ଟ ପୂଜା କରାଇଥିଲେ ।
ସୁରବାବା, ତାଙ୍କ ଦୁଇପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ଦୋହରା ରିମାଣ୍ଡରେ ନେବା ପରେ କ୍ରାଇମ୍ ବ୍ରାଞ୍ଚ ସେମାନଙ୍କ ହିସାବ ବହିର୍ଭୂତ ଅର୍ଥ କାରବାର ସମ୍ପର୍କରେ ଜେରାକୁ କେନ୍ଦ୍ରୀଭୂତ କରିଛି । ଫଳରେ ଦୈନିକ ସୁରବାବାଙ୍କ ଆଶ୍ରମରୁ ଓ ବ୍ୟାଙ୍କରୁ ବ୍ୟାପକ ଗୁପ୍ତଧନର ସନ୍ଧାନ ମିଳିବାରେ ଲାଗିଛି । ଗତକାଲି ସୁଦ୍ଧା ସୁରବାବା ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୧୮ଟି ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟି ୫୪ ଲକ୍ଷ ଟଙ୍କା ଠାବ ହୋଇଥିବାବେଳେ ଆଶ୍ରମର ବିଭିନ୍ନ ମନ୍ଦିର ଓ ପ୍ରକୋଷ୍ଠରୁ ବିପୁଳ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଠାବ କରାଯାଇଛି । ଆଶ୍ରମ ଛାନ୍ଭିନ୍ ଦାୟିତ୍ୱରେ ଥିବା କ୍ରାଇମ୍ ବ୍ରାଞ୍ଚର ୭ ଜଣିଆ ଟିମ୍ ଦୁଇଜଣ ଟ୍ରଷ୍ଟି ମଧୁ ସାହୁ ଓ ମନୋରଞ୍ଜନ ଆଚାର୍ଯ୍ୟଙ୍କୁ ଜେରା କରି ସେମାନଙ୍କଠାରୁ ୩୦୦ରୁ ଅଧିକ ଭୂସମ୍ପତ୍ତିର ଦଲିଲ୍ ଜବତ କରିଛନ୍ତି । ସୁରଙ୍କ ବଡପୁଅ ତ୍ରିଲୋଚନଙ୍କ ନିର୍ମାଣ ସଂସ୍ଥା ଅଫିସ୍ରୁ ଏହି ଟିମ୍ ମଧ୍ୟ ଅନେକ ଆପତ୍ତିଜନକ ଦଲିଲ ଜବତ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବେଆଇନଭାବେ ଜମି ହଡପ କରି ଆଶ୍ରମ ନିର୍ମାଣ କରିଥିବା ଅଭିଯୋଗରେ ସୁରବାବାଙ୍କ ବିରୋଧରେ ଆଉ ଗୋଟିଏ ମାମଲା ରୁଜୁ କରିଛି କ୍ରାଇମ୍ ବ୍ରାଞ୍ଚ । ସେଥିରେ ସୁରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ଦଫା ୪୨୦ (ଠକେଇ), ୪୨୩ (ଭୂସମ୍ପତ୍ତି ହଡପ ପାଇଁ ଜାଲ୍ କାଗଜପତ୍ର ପ୍ରସ୍ତୁତ), ୪୭୬ (ଜାଲ୍ କାଗଜପତ୍ରକୁ ଅସଲି ଦର୍ଶାଇବା ପାଇଁ ଚଞ୍ଚକତା), ୪୭୮ (ଧନସମ୍ପତ୍ତି ହଡପ ଅପରାଧ) ଲଗାଯାଇଛି ।

ସେଆର କରନ୍ତୁ:



Powered by odothemes.com