ସିଭିଲ୍ ସର୍ଭିସ୍‍ ବିଜ୍ଞାପନ ନେଇ ପ୍ରାର୍ଥୀ ସଂଶୟରେ

25

ଭୁବନେଶ୍ୱର, ୫ା୯(ତଥ୍ୟ): ଓଏଏସ୍‍ ସମେତ ଓଡିଶା ସିଭିଲ ସର୍ଭିସ୍ର ବିଭିନ୍ନ ପଦବୀରେ ନିଯୁକ୍ତି ଲାଗି ୨୦୧୧ରେ ପ୍ରକାଶ ପାଇଥିବା ବିଜ୍ଞାପନ ଆଧାରରେ ପ୍ରାର୍ଥୀ ଚୟନ ହୋଇନଥିବା ବେଳେ ୨୦୧୫ରେ ପ୍ରକାଶ ପାଇଥିବା ଅନ୍ୟ ଏକ ନିଯୁକ୍ତି ବିଜ୍ଞାପନକୁ ନେଇ ଆଶାୟୀଙ୍କ ମଧ୍ୟରେ ସଂଶୟ ପ୍ରକାଶ ପାଇଛି । ଏ ପରିପ୍ରେକ୍ଷୀରେ ପୂର୍ବ ବିଜ୍ଞାପନ ଆଧାରରେ ହୋଇଥିବା ପରୀକ୍ଷାକୁ ବାତିଲ କରିଦେଇ ଆବେଦନ କରିଥିବା ପ୍ରାର୍ଥୀ ମାନଙ୍କୁ ସାନି ପରୀକ୍ଷା ଦେବା ଲାଗି ସୁଯୋଗ ଦେବାକୁ ବହୁ ଆଶାୟୀ ମତବ୍ୟକ୍ତ କରିଛନ୍ତି । ସର୍ବୋଚ୍ଚ ବୟସ ସୀମା ନିର୍ଦ୍ଧାରଣ, ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଦି ପ୍ରସଙ୍ଗକୁ ନେଇ ୨୦୧୧ରେ ପ୍ରାୟ ଛଅବର୍ଷର ବ୍ୟବଧାନରେ ଓଡିଶା ସିଭିଲ ସର୍ଭିସର ବିଭିନ୍ନ ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ବିରୋଧରେ ସ୍ୟାଟ୍‍ ଓ ହାଇକୋର୍ଟରେ ଅନେକ ମାମଲା ବର୍ଷବର୍ଷ ଧରି ଚାଲିଲା । ତେବେ ବୟସସୀମା କୋହଳ ସହିତ ଅମର ଛାଟୋଇ ମାମଲାରେ ଏସ୍‍ଇବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଆଇନ୍‍ ବାତିଲ ହେବା ପରେ ଏହି ବିବାଦ ଥମିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଓଡିଶା ଲୋକସେବା ଆୟୋଗଙ୍କ ଦାୟିତ୍ୱହୀନ ତଥା ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପ୍ରସ୍ତୁତି ପୁଣିଏକ ବିବାଦ ସୃଷ୍ଟି କରିବା ଫଳରେ ସ୍ୟାଟ୍‍ରୁ ହାଇକୋର୍ଟ ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ମାମଲା ଗଡିଚାଲିଛି । ଇତିମଧ୍ୟରେ ଓଡିଶା ବିଚାର ବିଭାଗୀୟ ସେବା ଲାଗି ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ଆଧାରରେ ଓପିଏସ୍‍ସି କରିଥିବା ପ୍ରବେଶିକା ପରୀକ୍ଷାକୁ ଓଡିଶା ହାଇକୋର୍ଟ ବାତିଲ କରିବା ପରେ ଏବେ ପୁଣି ସାନି ପରୀକ୍ଷା ହେବାକୁ ଯାଉଛି । ସେହିଭଳି ସର୍ବଭାରତୀୟସ୍ତରରେ ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ଆଧାରରେ ହୋଇଥିବା ପ୍ରବେଶିକା ପରୀକ୍ଷାକୁ ସୁପ୍ରିମ୍‍ କୋର୍ଟ ବାତିଲ କରିବା ପରେ ସାନି ପ୍ରବେଶିକା ପରୀକ୍ଷା ହୋଇସାରିଛି । ଏ ଦୁଇଟି ଘଟଣାରୁ ରାଜ୍ୟ ସରକାର ଓ ଓପିଏସ୍‍ସି ଶିକ୍ଷା ଲାଭ କରି ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ଆଧାରରେ ହୋଇଥିବା ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାକୁ ବାତିଲ କରିସାନି ପରୀକ୍ଷା କରିବାରେ ଅସୁବିଧା କେଉଁଠି ବୋଲି ଦଶବର୍ଷ ତଳୁ ଏଥିପାଇଁ ପ୍ରସ୍ତୁତି ଚଳାଇ ଆସୁଥିବା ବହୁ ପ୍ରାର୍ଥୀ ପ୍ରଶ୍ନ କରୁଛନ୍ତି । ଏହି ଘଟଣାର ସମାଧାନ ନକରି ଚାରିବର୍ଷ ବ୍ୟବଧାନରେ ପୁଣିଥରେ ଓଏଏସ୍‍, ଓପିଏସ୍‍, ଓସିଏସ୍‍, ଓଆରଏସ୍‍, ଓଟିଏଏସ୍‍ ଆଦି ରାଜ୍ୟ ସିଭିଲ ସର୍ଭିସର ୬୭୦ ପଦବୀ ପୂରଣ ପାଇଁ ଅନ୍ୟ ଏକ ବିଜ୍ଞାପନ ପ୍ରକାଶ ପାଇଛି । ଏହି ଆଧାରରେ ପ୍ରାର୍ଥୀମାନେ ବି ଆବେଦନ କରୁଛନ୍ତି । ଯଦି ପରବର୍ତ୍ତୀ ବିଜ୍ଞାପନ ଆଧାରରେ ଆଗୁଆ ନିଯୁକ୍ତି ହୋଇଯାଏ ତେବେ ପୂର୍ବ ବିଜ୍ଞାପନ ଆଧାରରେ ଯେଉଁ ମାନେ ପରେ ନିଯୁକ୍ତି ପାଇବେ ସେମାନଙ୍କ ବରିଷ୍ଠତା ଓ ଅନ୍ୟାନ୍ୟ ପ୍ରସଙ୍ଗ ଘେନି ପୁଣି ଗୁଡିଏ ମାମଲା ଉପୁଜିବା ସମ୍ଭାବନା ରହିଛି । ପ୍ରତିବର୍ଷ କେନ୍ଦ୍ର ସରକାର ସୁରୁଖୁରୁରେ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷା ଆଧାରରେ ନିଯୁକ୍ତି ଦେଉଥିବାବେଳେ ଓଡିଶାରେ ଏହା ପ୍ରତିବର୍ଷ ନକରି ମାମଲା ଆଳରେ ପଦବୀ ଖାଲି ରଖାଯାଉଛି । ସରକାରୀ ହିସାବ ଅନୁଯାୟୀ ଓଏଏସ୍‍, ଓପିଏସ୍‍, ଉଭୟ ଓଏଫ୍‍ଏସ୍‍, ଓସିଏସ୍‍, ଓଆରଏସ୍‍, ଓଟିଏଏସ୍‍ ଆଦି ବିଭିନ୍ନ ପଦବୀରେ ଏବେ ପାଖପାଖି ୨୦୦୦ ଚାକିରି ଖାଲିପଡିଥିବାରୁ ସରକାରୀ କାମ ଗୁରୁତର ଭାବେ ବ୍ୟାହତ ହେଉଛି । ଚାକିରି ସଂକ୍ରାନ୍ତୀୟ ମାମଲା ପରିଚାଳନାରେ ଅଭିଜ୍ଞତା ଓ ନିଯୁକ୍ତି ଆଇନ୍‍ ସଂକ୍ରାନ୍ତରେ ପାରଦର୍ଶିତା ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ କମିଶନର ସଦସ୍ୟ ଭାବେ ନନେଇ କେବଳ ଅବସରପ୍ରାପ୍ତ ଅଧିକାରୀଙ୍କ ଥଇଥାନ କାର୍ଯ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂସ୍ଥାକୁ ବ୍ୟବହାର କରାଯାଉଥିବାରୁ ଏଭଳି ଚରମ ବିଭ୍ରାଟ ଉପୁଜୁଛି ବୋଲି ବିଧି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।




Powered by odothemes.com