ଆଶ୍ରମରୁ ହଟିଲେ ବାନାବାବା

konark

କୋଣାର୍କ, ୪ ।୯(ଆପ୍ର): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ୧୯ ଏକର ଜଙ୍ଗଲ ଜମି ଓ ୩୦ ଡିସିମିଲି ରାଜସ୍ୱ ଜମି ଜବରଦଖଲ କରି ପବିତ୍ର ଦର୍ଶନୀବନ୍ତରେ ଜଗନ୍ନାଥ କଳ୍କୀ ଯୋଗାଶ୍ରମ ନିର୍ମାଣ କରିଥିବା ବିବାଦୀୟ ବାନାବାବା ଆଜି ମଧ୍ୟରାତ୍ରୀରେ ଆଶ୍ରମରୁ ହଟିଛନ୍ତି । ସେଠାରୁ କିଛି ଦୂରରେ ତାଙ୍କ ନାମରେ ଥିବା ୧୦ ଡିସିମିଲି ପରିମିତ ସ୍ଥିତିବାନ୍ ପ୍ଲଟ୍ରେ ଅସ୍ଥାୟୀ ଟେଣ୍ଟକୁ ସେ ସ୍ଥାନାନ୍ତର ହୋଇଛନ୍ତି । ବନ ସଂରକ୍ଷକ ବିଜୟ ପଟ୍ଟନାୟକ ଗତ ୩୧ ତାରିଖରେ ବାନାବାବାଙ୍କୁ ଜବରଦଖଲରେ ନିର୍ମିତ ଆଶ୍ରମ ଛାଡିବା ପାଇଁ ୪ ଦିନ ସମୟ ଦେଇଥିଲେ । ତେବେ ସେ ଆଶ୍ରମ ଛାଡିବା ପାଇଁ ଏକମାସ ମହଲତ ମାଗିଥିଲେ । ଆଜି ସମୟସୀମା ଶେଷ ହେଉଥିବାରୁ ତାଙ୍କୁ ଆଶ୍ରମ ଛାଡିବାକୁ କୁହାଯାଇଥିଲା । ବାବାଙ୍କ ସମର୍ଥକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ଆଶଙ୍କା ଥିବାରୁ ଅତିରିକ୍ତ ଏସ୍ପି ବନବିହାରୀ ସାହୁ, ନିମାପଡା ଡିଏସ୍ପି ଅରୁଣ କୁମାର ଜେନା, କୋଣାର୍କ ଥାନା ଅଧିକାରୀ ସସ୍ମିତା ବେହେରା, ଗୁଇନ୍ଦା ଡିଏସ୍ପି ଉମାକାନ୍ତ ମଲ୍ଲିକ ପ୍ରମୁଖ ଏକ ପ୍ଲାଟୁନ୍ ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ତେଣୁ ବାବାଙ୍କ ସ୍ଥାନାନ୍ତର ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଆଶ୍ରମ ଛାଡିବା ପୂର୍ବରୁ ବାବା କହିଛନ୍ତି, ତାଙ୍କ ବିରୋଧରେ ଆଗତ ସବୁ ଅଭିଯୋଗ ମିଥ୍ୟା । ସେ ଯେକୌଣସି ତଦନ୍ତ ସାମ୍ନା କରିବାକୁ ପ୍ରସ୍ତୁତ । ତେବେ ଆଶ୍ରମକୁ ନଭାଙ୍ଗି ତାହାକୁ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବାକୁ ବାବା ପ୍ରସ୍ତାବ ଦେଇଛନ୍ତି । ଆଗାମୀ ଦିନରେ ଆଶ୍ରମକୁ ଉଚ୍ଛେଦ କରାଯିବ କି ତାହାକୁ ରଖାଯାଇ କୌଣସି ଜନକଲ୍ୟାଣକାରୀ କାର୍ଯ୍ୟରେ ବ୍ୟବହାର କରାଯିବ, ସେ ସମ୍ପର୍କରେ ଉଚ୍ଚସ୍ତରୀୟ ନିଷ୍ପତ୍ତି ହେବ ବୋଲି ବନ ସଂରକ୍ଷକ ବିଜୟ ପଟ୍ଟନାୟକ କହିଛନ୍ତି ।