ମହିଳାଙ୍କୁ ବାନାବାବାଙ୍କ ସମର୍ଥକ ମାଡ଼ ମାରିଲେ

23

କୋଣାର୍କ,୨ା୯(ଆପ୍ର): ଆଜି କୋଣାର୍କ ନିକଟସ୍ଥ ବାଲିଦୋକାନରେ ବାନା ବାବାଙ୍କ ବିରୋଧରେ ଏକ ଗଣମାଧ୍ୟମକୁ କହିବା ବେଳେ ବାବାଙ୍କ ସମର୍ଥକ ଗାଁର ପେଞ୍ଚଇ ମହାରଣା ନାମ୍ନୀ ଜଣେ ମହିଳା ଓ ଅନ୍ୟମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ କରି ଉତ୍ୟକ୍ତ ଗ୍ରାମବାସୀ କୋଣାର୍କ-କାକଟପୁର ରାସ୍ତାକୁ ଅବରୋଧ କରିଥିଲେ । ୬ଘଣ୍ଟା କାଳ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ପୁରୀ ଅତିରିକ୍ତ ଏସ୍ପି ବନ ବିହାରୀ ସାହୁ, ନିମାପଡ଼ା ଡ଼ିଏସ୍ପି ଅରୁଣ କୁମାର ଜେନା, କୋଣାର୍କ ଥାନା ଅଧିକାରୀ ସସ୍ମିତା ବେହେରା, କାକଟପୁର ତହସିଲଦାର ପ୍ରାଚୀ ମହାପାତ୍ର ପ୍ରମୁଖ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ଉମାକାନ୍ତ ଖଟେଇଙ୍କୁ ଗିରଫ କରାଯାଇଥିବା ଜଣାଇବା ପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ । ଏକ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରି ତାଙ୍କ କ୍ୟାମେରା ଭାଙ୍ଗିବା ସହ ଗ୍ରାମବାସୀଙ୍କୁ ମାଡ଼ ମାରିଥିବା ଦୁଇଟି ଅଭିଯୋଗରେ କୋଣାର୍କ ଥାନାରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରାଯାଇଛି । ଅନ୍ୟ ପକ୍ଷରେ ଏହି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ପ୍ରତିନିଧି ବାନା ବାବାଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ କରୁଥିବାର ପ୍ରତିବାଦ କରିବାରୁ ସେ ଧମକ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଗୋଲରାଗଡ଼ା ଗ୍ରାମର ମାୟାଧର ରାୟ କୋଣାର୍କ ଥାନାରେ ଏକ ଏତଲା ଦାୟର କରିଥିଲେ । ବାନା ବାବା ନିଜକୁ ଆଜନ୍ମ ବ୍ରହ୍ମାଚାରୀ କହୁଥିବା ବେଳେ ବାବା ବିବାହିତ ହୋଇଥିବା ଏକ ଜମି ପଟ୍ଟାରୁ ଜଣାପଡ଼ିଛି । ବାବାଙ୍କ ବିବାହିତ ଖବରକୁ ତାଙ୍କ ଭାଇ ପ୍ରଭାକର ମହାରଣା ଅସ୍ୱୀକାର କରିଛନ୍ତି । ତାଙ୍କ ପିତା ବଞ୍ଚଥିବା ବେଳେ ତାଙ୍କର କୌଣସି ସ୍ଥିତିବାନ ଘର ଢ଼ିଅ ନଥିଲା । ଦୀର୍ଘ ବର୍ଷ ସରକାରୀ ଜମିରେ ରହିବା ପରେ ରାଜସ୍ୱ ବିଭାଗକୁ ଜମି ପାଇଁ ତାଙ୍କ ବାପା ଲଛ୍ମନ୍ ମହାରଣା ଆବେଦନ କରିଥିଲେ । ଘରବାରି ପଟ୍ଟା ପାଇବା ପାଇଁ ସେ ସମୟରେ ତାଙ୍କ ବାପା ବାନା ବାବଙ୍କୁ ବିବାହିତ ଦର୍ଶାଇଥିଲେ ବୋଲି ସେ କହିଥିଲେ । ଏ ସମ୍ପର୍କରେ ବାନା ବାବଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଘଟଣାସ୍ଥଳରେ ପୁରୀ ଉପଜିଲ୍ଲାପାଳ ମଧୁସୂଦନ ଦାସ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ସନ୍ଧ୍ୟା ଗଡ଼ିବା ପରେ ବାବାଙ୍କ ଗିରଫ ସମ୍ଭାବନା ଖବର ପ୍ରଚାର ହେବା ପରେ ବାବାଙ୍କ ଆଶ୍ରମରେ ଶହ ଶହ ସମର୍ଥକ ଭିଡ଼ ଜମାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥତି ସୃଷ୍ଠି ହେବାରୁ ଏକ ପ୍ଲାଟୁନ୍ ଫୋର୍ସ ସମେତ ୫ ଜଣ ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ।




Powered by odothemes.com