ଢେଙ୍କାନାଳ ସଦର, ଗଁଦିଆ ବ୍ଲକରେ ଆସନ୍ନ ମରୁଡି | ସର୍ବସାଧାରଣ ଖବରକାଗଜ
Photo-No_3

ଢେଙ୍କାନାଳ ସଦର, ଗଁଦିଆ ବ୍ଲକରେ ଆସନ୍ନ ମରୁଡି

29

ଚାଷଜମି ଫାଟି ଆଁ
ଗଁଦିଆ,୧ ।୯(ଆପ୍ର): ଢେଙ୍କାନାଳ କୃଷି ଜିଲ୍ଲା ଅଧିନରେ ଥିବା ଗଁଦିଆ ଓ ସଦର ବ୍ଲକ୍ର ବ୍ରାହ୍ମଣୀ ନଦୀ କୂଳରେଥିବା ଗାଁର ଚାଷୀ ଭାଇମାନଙ୍କର ଧାନ ଜମି ଫାଟି ଆଁ କରିଥିବାବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଅଛି । ଚଳିତବର୍ଷ ବର୍ଷାର ଅନିୟମିତତା ସାଙ୍ଗକୁ ପ୍ରଚଣ୍ଡ ଖରା ଯୋଗୁଁ କ୍ଷେତରେ ପାଣି ନଥିବାରୁ ଧାନଗଛ ହଳଦିଆ ପଡି ମାଟି ଫାଟି ଆଁ କରି ଗଛ ପ୍ରାୟ ପୋଡିଗଲାଣି । ଚାଷୀ ଜୁନ୍ ମାସରେ ଜମିକୁ ଉପଯୁକ୍ତ ଚାଷକରି ଧାନ ବୁଣିଥିଲେ ବି ବର୍ଷା ଉପରେ ନିର୍ଭର କରୁଥିବା ଜମିଗୁଡିକ ପ୍ରାୟ ନଷ୍ଟ ହୋଇଗଲାଣି । ଗଁଦିଆ ଓ ସଦର ବ୍ଲକ୍ ଅଧିନରେ ଥିବା ବ୍ରାହ୍ମଣୀ ନଦୀ କୂଳ ଥିବା ଗାଁ ଗୁଡିକର ଚାଷୀ ବର୍ଷା ଉପରେ ନିର୍ଭର କରି ଧାନ ଚାଷ କରିଥାନ୍ତି । ଅନିୟମିତ ବର୍ଷା ଯୋଗୁଁ ଏହି ଚାଷୀମାନେ ଚଳିତ ଖରିଫ୍ ଋତୁରେ କ୍ଷେତରୁ ଧାନ ଅମଳ କରିବା ଆଶା କ୍ଷୀଣ ହୋଇପଡିଛି । ରୁଆଜମିରେ ବର୍ଷା ଠିକ୍ ଭାବେ ନହେବାରୁ ଚାଷୀମଧ୍ୟ ଅଧିକାଂଶ ଜମିରେ ଧାନ ବୁଣିପାରିନାହିଁ । ସେଥିପାଇଁ ଯାହା ତଳି ପକାଇଥିଲା ତାହା ବୁଢା ହୋଇ ନଷ୍ଟ ହୋଇଯିବା ସହିତ ହଳଦିଆ ମଧ୍ୟ ପଡିଯାଇଛି । ଧାନ ବୁଣାଯାଇଥିବା ଅଧିକାଂଶ କ୍ଷେତରେ ପାଣି ନଥିବାରୁ ବେଉଷଣ କରିବାକୁ ହଳ ନେବାକୁ ଚାଷୀ ଇଚ୍ଛା କରୁନାହିଁ । ଗଁଦିଆ ବ୍ଲକ୍ର ବ୍ରାହ୍ମଣୀ ନଦୀ କୂଳରେ ଥିବା କାଲୁରିଆ, କେନ୍ଦୁପଡା, ଠାକୁରପାଳ, ଲତାଦେଈପୁର, ବାଇଁଶିଆ, ଖଙ୍କର, ଆମ୍ବବାହାଳି, କାଠପାଳ, ବଲ୍ଲଭ, କରମୂଳ, ମକୁନ୍ଦପୁର, ଆମ୍ବପଡା, ଗୋରଡାପାଳ, ରାଇପାଳ, ଭାଲିଆକଣ, ହାତୀବାରୀ, ମଝିପାଳ, ମନ୍ଦାର, ନବଲିଙ୍ଗା, ଦଲାର, ରାଇପୁର, ଓରସିଙ୍ଗା, ଦିଗମ୍ବରପୁର, ନୂଆଗଡ, ଲହଡା, ବାଘୁଆ, ଚିତ୍ତଲପୁର, ଶଶିପୁର, ଖଣ୍ଡବନ୍ଧ, ପିଙ୍ଗୁଆ, ଦଶମାଣପାଟଣା ଏହିପରି ୩୯ଟି ଗାଁ ଓ ସଦର ବ୍ଲକ୍ର ବଣସିଂହ, ଶଙ୍କରପୁର, ଭୁଇଁପୁର, ରାଧାଦେଈପୁର, ନୂଆପଡା, ଛଡାସିଂହ, ଭାଟକାଟେଣୀ, ବଡନାଗେନା, ସାନନାଗେନା, ଚାଉଳିଆ, ଟଭାପାଳ, ସୁନ୍ଦରପଡା, ମଣ୍ଡାପାଳ, ତରଭା, ନୂଆଗାଁ, କୋଟପାଳ, ସାଙ୍କୁଲେଇ, ରଣପଶି, ଗୁରୁଜଙ୍ଗ, କୁମାରଦେଈପୁର, ଗେଙ୍ଗୁଟିଆ, ବାରଦା ଓ ଏହାର ଆଖପାଖ ଅଞ୍ଚଳରେ ଚାଷୀ କ୍ଷେତରେ ପାଣିନଥିବାରୁ ବେଉଷଣ କି ରୁଆ କାର୍ଯ୍ୟ ପ୍ରାୟ କରିପାରିନାହାନ୍ତି । ଗଁଦିଆର କାବେରା, ଯୋରନ୍ଦା, ବେଗା, ଲାଉଲଇ, ଖଙ୍କିରା, ରତନପୁର, ନିହଲପ୍ରସାଦ ଓ ଏହାର ଗ୍ରାମପଞ୍ଚାୟତ, ସଦର ବ୍ଲକ୍ର କାଙ୍କଡପାଳ, ଚାଉଳିଆ, ସୋଗରପଶି, ବେଲଟିକିରୀ ଗ୍ରାମପଞ୍ଚାୟତର ଅଧିକାଂଶ ଜମି ପଡିଆ ପଡିଥିବାବେଳେ ଚାଷ କାର୍ଯ୍ୟ ଆଗେଇପାରିନାହିଁ । ଆଗକୁ ଯଦି ବର୍ଷା ହୁଏ ତାହାହେଲେ ବେଉଷଣ ହୋଇଥିବା ଧାନ ଜମିରେ ହଳଦିଆ ପଡିଥିବା କି ମରିଯାଇଥିବା ଗଛଗୁଡିକରୁ ଚାଷୀ ଆଉ ଧାନ ଅମଳ କରିବାର ଆଶାନାହିଁ । ଧାର, ଉଧାର କରି ଚାଷୀ କ୍ଷେତରେ ଧାନଚାଷ କାର୍ଯ୍ୟ ଆରମ୍ଭ କରିଥିଲା । ମାତ୍ର କ୍ଷେତରୁ ଧାନ ଅମଳ କରିବା ସ୍ୱପ୍ନ ମଉଳି ଯାଇଥିବାବେଳେ ପରିବାର କିପରି ପ୍ରତିପୋଷଣ କରିବ ଭାଳି ହେଉଛି । ବର୍ତ୍ତମାନ ଯଦି ବର୍ଷା ହୁଏ ଶତକଡା ୭୦ ଭାଗ ଜମିରୁ ଧାନଗଛ ଆଉ ଉଧାଇବ ନାହିଁ । ଗଁଦିଆ ଓ ସଦର ବ୍ଲକ୍କୁ ମରୁଡିର ଆଶଙ୍କା ନିଶ୍ଚିତ ବୋଲି ଏବେଠାରୁ ବାରି ହୋଇପଡିଲାଣି । ଏହି ବ୍ଲକ ଦୁଇଟିକୁ ମରୁଡି ଘୋଷଣା କରିବାକୁ କରମୂଳ ଗ୍ରାମ ପଞ୍ଚାୟତର ସମିତିସଭ୍ୟା ବନ୍ଦିତା ପଣ୍ଡା, ସମାଜସେବୀ ପ୍ରଦ୍ୟୁମ୍ନ ପଣ୍ଡା, ବଣସିଂହ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଞ୍ଚ ଜୟନ୍ତ ହୋତା ପ୍ରମୁଖ ଶତାଧିକ ଚାଷୀ ଦାବି କରିଛନ୍ତି ।




Powered by odothemes.com