ରାସ୍ତାକଡ଼ରୁ ନବଜାତ କନ୍ୟା ଉଦ୍ଧାର

କୋଣାର୍କ,୨୯ ।୮(ଆପ୍ର): କୋଣାର୍କ-କାକଟପୁର ରାସ୍ତା ବାଲିଦୋକାନ ଗୋଧନପଡ଼ା ଗ୍ରାମ ନିକଟ ମୁଖ୍ୟ ରାସ୍ତାକଡ଼ର ଏକ ପରିତ୍ୟକ୍ତ ସ୍ଥାନରୁ ଜରି ବ୍ୟାଗ୍ ମଧ୍ୟରେ ଥିବା ଏକ ନବଜାତ ଶିଶୁ କନ୍ୟାକୁ ଆଜି ଭୋର୍ ୫ଟାରେ ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ । ମିଳିଥିବା ଶିଶୁ କନ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ କୋଣାର୍କ ଥାନାକୁ ଖବର ଦେବା ପରେ କୋଣାର୍କ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାର ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଶିଶୁଟିକୁ ପୁଲିସ ଆମ୍ବୁଲାନ୍ସ ଯୋଗେ ପୁରୀ ବଡ଼ ଡାକ୍ତରଖାନାର ନବଜାତ ୱାର୍ଡକୁ ସ୍ଥାନାନ୍ତରିତ କରିବା ସହ ନବଜାତ ଅଚିହ୍ନା ଶିଶୁକୁ ପୁରୀ ଚାଇଲ୍ଡ ହେଲ୍ପ ଲାଇନ୍କୁ ହସ୍ତାନ୍ତର କରିଥିଲେ । କେହି କୁମାରୀ ମାତୃତ୍ୱ ଲାଭ କରି ଶିଶୁ କନ୍ୟାଟିକୁ ଛାଡ଼ି ଚାଲିଯାଇଥିବା ସନ୍ଦେହ କରାଯାଉଛି । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାର ଜଣାପଡ଼ିଛି ।