୫୪୪ ସୈନିକଙ୍କ ଠାରୁ ୩୫ କୋଟି ଠକେଇ

35

ଭୁବନେଶ୍ୱର,୨୮ା୮(ବୁ୍ୟରୋ): ଜମି ଯୋଗାଇ ଦେବା ନାମରେ ସୈନିକ ଓ ଅର୍ଦ୍ଧସୈନିକ ବଳର ୫୪୪ ଜଣଙ୍କ ଠାରୁ ୩୫ କୋଟି ଟଙ୍କା ଠକି ନେବା ମାମଲାରେ କ୍ରାଇମ୍‍ବ୍ରାଞ୍ଚ୍ ଅର୍ଥନୈତିକ ଅପରାଧ ଶାଖା ମେସର୍ସ ବ୍ରୋକ୍‍ସନ୍‍ ଇନ୍‍ଫ୍ରାଷ୍ଟ୍ରକଚର୍‍ ପ୍ରାଇଭେଟ୍‍ ଲିମିଟେଡର ପରିଚାଳନା ନିର୍ଦ୍ଧେଶକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଆଜି ଗିରଫ କରିଛି । କଟକସ୍ଥିତ ଅଧିକୃତ କୋର୍ଟ ତଥା ଅତିରିକ୍ତ ଦୌରାଜଜ୍‍ଙ୍କ କୋର୍ଟରେ ପୂର୍ଣ୍ଣଚନ୍ଦ୍ରଙ୍କୁ କ୍ରାଇମ୍ବ୍ରାଞ୍ଚ୍ ହାଜର କରିଛି । ଏସ୍‍ପି ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ସୁଚନା ଅନୁଯାୟୀ କିର୍ତ୍ତୀଚକ୍ର ବିଜେତା ଲେଫ୍ଟନାଣ୍ଟ କର୍ଣ୍ଣେଲ ରାକେଶ ରଣା ଏବଂ ଅନ୍ୟ କେତେକ ଅବସରପ୍ରାପ୍ତ ସୈନିକମାନେ ‘ସୈନିକ କଲ୍ୟାଣ ସଙ୍ଗଠନ’ ନାମରେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ କରିଥିଲେ । ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗାପୁଟ ମୌଜାରେ ୨୭ ଏକର ପରିମିତ ଜମିରେ ଏକ ‘ଡିଫେନସ୍‍ ଇଣ୍ଟରସିଟି ଭାଟିକା’ ତିଆରି କରିବାକୁ ଯୋଜନା କରିଥିଲେ । ସବୁ ସଦସ୍ୟଙ୍କ ଠାରୁ ସଙ୍ଗଠନ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲା । ୨୦୧୨ ସୁଦ୍ଧା ଏହି ସଙ୍ଗଠନ ସମସ୍ତ ଜମି ଓ ଉପଯୁକ୍ତ କାଗଜପତ୍ର ଦାଖଲ କରିବାକୁ ସଦସ୍ୟଙ୍କୁ ଚୁକ୍ତି କରିଥିଲା । ପ୍ରତ୍ୟେକ ପ୍ଲଟ ନିକଟକୁ ରାସ୍ତା ଓ ଡ୍ରେନ୍‍ ଆଦି ସୁବିଧା ରହିବ ବୋଲି ନକ୍ସା ଆଦି ପ୍ରସ୍ତୁତି କରାଯାଇଥିଲା । ସୈନିକ କଲ୍ୟାଣ ବୋର୍ଡର ମୁଖ୍ୟ ଅବସରପ୍ରାପ୍ତ ଲୁ୍ୟଟ୍ନାଣ୍ଟ କର୍ଣ୍ଣେଲ ରାକେଶ ରଣା ଚନ୍ଦ୍ରଶେଖରପୁରସ୍ଥିତ ବ୍ରୋକସନ୍‍ ଇନଫ୍ରାର ମୁଖ୍ୟ ପୂର୍ଣ୍ଣଚନ୍ଦ୍ରଙ୍କୁ ଏହି ପ୍ରକଳ୍ପର ଦାୟିତ୍ୱ ଦେଇଥିଲେ । ତାଙ୍କ ସହିତ ସଙ୍ଗଠନ ବି ହାତ ମିଳାଇଥିଲା । ବ୍ରୋକସନ୍‍ ଇନ୍‍ଫ୍ରାଷ୍ଟ୍ରକଚରର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର କିଛି ଜମି ମଧ୍ୟ ସୈନିକ କଲ୍ୟାଣ ବୋର୍ଡକୁ ଯୋଗାଇ ଦେଇଥିଲେ । ସେ ବାବଦରେ ପୂର୍ଣ୍ଣଚନ୍ଦ୍ର ୧୯.୬୨ କୋଟି ଟଙ୍କା ନେଇଥିଲେ । ଏହି ଜମି ଯୋଗାଣରେ ପୂର୍ଣ୍ଣଚନ୍ଦ୍ର ଜାଲିଆତି କରିଥିବା ପରେ ଜଣାପଡିଥିଲା । ଜାଲିଆତି ଜଣାପଡ଼ିବା ପରେ ସୈନିକ କଲ୍ୟାଣ ବୋର୍ଡର ସଦସ୍ୟମାନେ କର୍ଣ୍ଣେଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସେ ଚୁପ୍‍ ରହିଥିଲେ । ୨୦୧୫ ଅପ୍ରେଲ୍ ମଧ୍ୟରେ ସମସ୍ତ ସଦସ୍ୟଙ୍କୁ ଜମି ଦଖଲ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କାହାକୁ ବି ଜମି ଦିଆଯାଇନଥିଲା । ସଦସ୍ୟମାନଙ୍କଠାରୁ ଉପରୋକ୍ତ କର୍ଣ୍ଣେଲ୍‍ ୩୫ କୋଟି ଟଙ୍କା ଆଦାୟ କରି ସମ୍ପୃକ୍ତ ବିଲ୍ଡର ସଂସ୍ଥା ଉପରେ ଦୋଷ ଲଦି ଖସିଯିବାକୁ ବସିଥିଲେ । ଠକାମିର ଶିକାର ହୋଇଥିବା ସୈନିକମାନେ ଜାତୀୟ ଉପଭୋକ୍ତା ଆୟୋଗଙ୍କ ନିକଟରେ ମେ’ ୨୭ରେ ଅଭିଯୋଗ କରିଥିଲେ । ଉପଭୋକ୍ତାଙ୍କୁ ଜମି ଯୋଗାଇ ଦେବା ପାଇଁ ଜାତୀୟ ଉପଭୋକ୍ତା ଆୟୋଗ ବ୍ରୋକସନ୍‍ ଇନ୍‍ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‍ ଲିମିଟେଡକୁ ନିର୍ଦ୍ଧେଶ ଦେଇଥିଲେ । ଶେଷରେ ଅବସରପ୍ରାପ୍ତ ସୈନିକ ପତିତପାବନ ବିଶ୍ୱାଳ କ୍ରାଇମ୍‍ ବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ । କ୍ରାଇମ୍ ବ୍ରାଞ୍ଚ୍ ତାଙ୍କ ଅଭିଯୋଗର ତଦନ୍ତ କରିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରିଥିଲା ।

ସେଆର କରନ୍ତୁ:



Powered by odothemes.com