କଣ୍ଟାପଡ଼ାରେ ଖୋଲୁଛି ଭଣ୍ଡବାବାଙ୍କ ଗୁମର

27

ବାବା ଲିଙ୍କ୍ରେ ବିଧାୟକଙ୍କ ସମେତ ବହୁ ରାଜନେତା
କଣ୍ଟାପଡ଼ା, ୨୮ ।୮(ଆପ୍ର): କଣ୍ଟାପଡ଼ା ଅଞ୍ଚଳରେ ଭଣ୍ଡବାବାମାନଙ୍କର କଳାକାରନାମା ବଢ଼ିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନର ନାକ ତଳେ ଏବେ ମଧ୍ୟ ବାବାମାନେ ତାଙ୍କର କାର୍ଯ୍ୟକଳାପ ·ଲୁ ରଖିଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, କଣ୍ଟାପଡ଼ା ବ୍ଲକ୍ ସୁଦୁସାଇଲୋଠାରେ ଦୀର୍ଘ ୧୦ ବର୍ଷ ଧରି ଗାଦିମଡ଼ା ହୋଇ ବସିଛନ୍ତି ନାଲିବାବା ଓରଫ୍ ଧୁନ୍ଦରାମ ମହାରାଜ । ବାବାଙ୍କ ସହିତ ଆଲୋଚନା ବେଳେ ଫିଟିଥିଲା ବହୁ ଗୁମର । ବିଧାୟକମାନଙ୍କର ସିଧାସଳଖ ମଠ ଓ ବାବାଙ୍କ ସହିତ ଲିଙ୍କ୍ ଥିବା କହିଛନ୍ତି ନାଲିବାବା । ଜଣେ ପୂର୍ବତନ ବିଧାୟକ ୨୦୦୬-୦୭ ଆର୍ଥିକ ବର୍ଷରେ ମଠ ପାଇଁ ୫୦ ହଜାର ଟଙ୍କା ଏମଏଲଏ ଲ୍ୟାଡ୍ରୁ ଦେଇଥିବା ବେଳେ ବର୍ତ୍ତମାନର ବିଧାୟକ ନିଜର କର୍ମକର୍ତ୍ତାମାନଙ୍କ ସହ ଆସି ମଠ ପରିସରରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ଆଲୋଚନା କରିଥିବା କହିଛନ୍ତି ବାବା । ଖାଲି ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳର ୪ ଜଣ ସରପଞ୍ଚ ନିୟମିତ ମଠକୁ ଯିବା ଆସିବା ସହିତ ସହଯୋଗର ହାତ ବଢ଼ାଇଥାନ୍ତି । ସେମାନଙ୍କ ମଧ୍ୟରେ ବ୍ରାହ୍ମଣସାଇଲୋ ପଞ୍ଚାୟତ ନକୁଳ ରାଉତ, ପୋସ୍ତଳର ପୂର୍ବତନ ସରପଞ୍ଚ ପ୍ରଦୀପ୍ତ କୁମାର ପାତ୍ର ଓ ବ୍ରାହ୍ମଣବାଟୀର ପୂର୍ବତନ ଓ ବର୍ତ୍ତମାନର ସରପଞ୍ଚ ପ୍ରବୀର କୁମାର ଭୋଇ, ବଳରାମ ପାତ୍ର ଅନ୍ୟତମ । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବାବାଙ୍କ ପ୍ରକୃତ ନାମ, ପିତାଙ୍କ ନାମ ଓ ଠିକଣା ଉହ୍ୟ ରଖାଯାଇ ନକଲି ଭୋଟ ପରିଚୟ ପତ୍ର ସ୍ଥାନୀୟ ରାଜନେତାଙ୍କର ସହାୟତାରେ ହାତେଇଛନ୍ତି ବାବା । ବାବା ଦାବି କରନ୍ତି, ମେଡ଼ିକାଲ ଫେରାଇ ଦେଉଥିବା ବହୁ କ୍ୟାନ୍ସର ଓ ଦୁରାରୋଗ୍ୟ ବ୍ୟାଧି, ସାପ କାମୁଡ଼ା, ଜଣ୍ଡିସ୍ ଇତ୍ୟାଦି ରୋଗ ପାଇଁ ଯଜ୍ଞ ବିଭୂତି ଓ ସିରିଣି ଖାଇ ଏଠାରେ ଭଲ ହୋଇଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତ ଓ ରୋଗୀ ଏଠାକୁ ନିୟମିତ ଆସୁଥିବା ସ୍ୱୀକାର କରିଛନ୍ତି ବାବା । ତେବେ ସେ ଭଣ୍ଡ ନୁହନ୍ତି, ଧର୍ମ ରକ୍ଷା କରିବା ପାଇଁ ଏହିସବୁ କାର୍ଯ୍ୟ କରିଥାନ୍ତି । ବାବା କାହାଠାରୁ ଟଙ୍କାଟିଏ ନେଉ ନଥିବା କହିଥିବା ବେଳେ ଆଶ୍ରମ କୋଠରୀରେ ରହିଛି ବିଶ୍ୱ ନିର୍ମାଣ ପାଇଁ ଦାନବାକ୍ସ । ବହୁ ମୂଲ୍ୟବାନ୍ ଆସ୍ଥାନ ଚେୟାର୍ । ଏଗୁଡ଼ିକ ସବୁ ଭକ୍ତଙ୍କ ଦାନ ବୋଲି ବାବା ସଫେଇ ଦେଇଛନ୍ତି । ଆହୁରି ମଧ୍ୟ ସ୍ଥାନୀୟ ଏକ ଜାତୀୟ ବ୍ୟାଙ୍କ୍ରେ ବାବାଙ୍କ ନାମରେ ଆକାଉଣ୍ଟ ଖୋଲାଯାଇ ବିପୁଳ ଅର୍ଥ ଥିବା ଜାଣିବାକୁ ମିଳିଛି । ବାବାଙ୍କୁ ପାଖାପାଖି ୮ ଗୁଣ୍ଠ ଜମି ସ୍ଥାନୀୟ ଲୋକେ ଆଶ୍ରମ ପାଇଁ ଦେଇଥିବା ବେଳେ ବାବା ଆଶ୍ରମର ନାମ ରଖିଛନ୍ତି ବଟଗୋସ୍ୱାମୀ ପୀଠ । ପ୍ରତିବର୍ଷ ଏଠାରେ ଯଜ୍ଞର ଆୟୋଜନ କରନ୍ତି ବାବା ଓ ହଜାର ହଜାର ଲୋକଙ୍କୁ ମାଗଣାରେ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥାଏ । ଯେଉଁଥିରେ ଖର୍ଚ୍ଚ ହୁଏ ଲକ୍ଷାଧିକ ଟଙ୍କା । ଖାଲି ନାଲିବାବା ନୁହେଁ, ଡାଳିବାବା, ପୋସ୍ତଳ କାଳେସୀ ବାବା, ଭୋଦଳ ବେଣୁବାବା, ଚଉପଡ଼ା ବାବା ପରି ଅନେକ ବାବା ଏବେ ମଧ୍ୟ ଲୀଳାଖେଳା ଜାରି ରଖିଛନ୍ତି । ତେବେ ଏହି ଘଟଣା ଦୀର୍ଘ ୧୦ ବର୍ଷ ଧରି ପ୍ରଶାସନର ନାକତଳେ ·ଲି ଆସୁଥିବା ବେଳେ ପ୍ରଶାସନର ନୀରବତା ଓ ରାଜନେତାଙ୍କ ପୃଷ୍ଠପୋଷକତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଘଟଣାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com