ଡାକ୍ତର ଅଛନ୍ତି, ଭିତ୍ତିଭୂମି ନାହିଁ-ରୋଗୀ ଅଛନ୍ତି, ସେବା ନାହିଁ

29

ଭୁବନେଶ୍ୱର,୨୫ ।୮(ବୁ୍ୟରୋ): କ୍ୟାପିଟାଲ୍‍ ହସ୍ପିଟାଲ୍‍ରେ ଡାକ୍ତର ଅଭାବ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଅଭାବ ରୋଗୀ ମାନଙ୍କ ପୀଡାକୁ ବଢାଉଛି । କେଉଁଠି ଭିତ୍ତିଭୂମି ଅଛିତ ଡାକ୍ତର ନାହାଁନ୍ତି । ଅନ୍ୟ କେଉଁଠି ତାର ଠିକ୍‍ ବିପରୀତ । ଯେମିତି ହେଲେ ବି ସେବାରୁ ବଞ୍ଚିତ ରୋଗୀ । ଏହି ଦୁର୍ଦ୍ଧଶା ଭୋଗୁଛନ୍ତି ନୀରିହ ଗରିବ ଲୋକ ।
ମିଳିଥିବା ସୂଚନା ଅନୁଯାୟୀ କ୍ୟାପିଟାଲ୍‍ ହସ୍ପିଟାଲ୍‍ରେ ବର୍ତ୍ତମାନ ୬୦ ଡାକ୍ତର ପଦବି ଖାଲି ପଡିଛି । ଅନ୍ୟପକ୍ଷରେ ଯେଉଁ ଡାକ୍ତର ନିଯୁକ୍ତି ପାଉଛନ୍ତି ସେମାନେ ସେବା ପ୍ରଦାନ କରିବା ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମି ନାହିଁ । ହସ୍ପିଟାଲ୍‍ର ନିର୍ଦ୍ଧେଶକ ଡା. ବିଶ୍ୱଭୂଷଣ ପଟ୍ଟନାୟକ ଦେଇଥିବା ସୂଚନା ଅନୁଯାୟୀ କ୍ୟାପିଟାଲ୍‍ ହସ୍ପିଟାଲ୍‍ରେ ପେଡିଆଟ୍ରିକ୍‍ ସର୍ଜର୍ରୀ, ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ୍‍ ସର୍ଜର୍ରୀ ପାଇଁ ତିନିଜଣ ଡାକ୍ତର ନୂତନ ଭାବେ ନିୟୋଜିତ ହୋଇଛନ୍ତି । କିନ୍ତୁ ଏହି ତିନୋଟି ସେବା ପାଇଁ କ୍ୟାପିଟାଲ୍‍ ହସ୍ପିଟାଲ୍‍ରେ ଅପରେସନ୍ ଥିଏଟର୍ (ଓଟି) ନାହିଁ କି ୱାର୍ଡ୍‍ ମଧ୍ୟ ନାହିଁ । ରୋଗୀ ଅଛନ୍ତି । ଡାକ୍ତର ଅଛନ୍ତି । କିନ୍ତୁ ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ଡାକ୍ତର ସେମାନଙ୍କ କର୍ତ୍ତବ୍ୟ ସଠିକ୍‍ କରିପାରିବେ ନାହିଁ ବୋଲି ସେ କହିଛନ୍ତି । ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ପଡୁ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଭୁକ୍ତଭୋଗୀଙ୍କର ଅସନ୍ତୋଷପୂର୍ଣ୍ଣ ପ୍ରତିକ୍ରୀୟା ହେଲା କ୍ୟାପିଟାଲ୍‍ ହସ୍ପିଟାଲ୍‍ କେବଳ ରୋଗୀଙ୍କୁ ବଡ଼ ମେଡିକାଲ୍‍ ସ୍ଥାନାନ୍ତର କରିବାରେ ବ୍ୟସ୍ତ । ପ୍ରତିଦିନ କିଡ୍‍ନୀ ରୋଗ, ସ୍ନାୟୁବିକ ରୋଗର ଚିକିସିା ପାଇଁ ଆସୁଥିବା ରୋଗୀଙ୍କୁ ବଡ଼ ମେଡିକାଲ୍‍ ସ୍ଥାନାନ୍ତରିତ କରାଯାଉଛି । ଯିଏ ଅନ୍ୟତ୍ର ଯିବା ପାଇଁ ଚାହିଁଲା ଗଲା ନଚେତ୍‍ ଘରକୁ ଫେରିଲା ।




Powered by odothemes.com