ନିର୍ମାଣସ୍ଥଳ ବୁଲି ଦେଖିଲେ ରେଳବାଇ ଅଧିକାରୀ

jatani

ଫ୍ଲାଏ ଓଭରବି୍ରଜ୍ ନିର୍ମାଣରେ ବିଳମ୍ବ
ଜଟଣୀ, ୨୨ ।୮ (ଆପ୍ର): ଜଟଣୀ ସହରବାସୀଙ୍କ ଦୀର୍ଘ ଦିନର ଦାବି ରେଲୱେ ଅଣ୍ଡର ଗ୍ରାଉଣ୍ଡ ଉପରେ ଏକ ଫ୍ଲାଏ ଓଭର ବି୍ରଜ୍ ନିର୍ମାଣକୁ ନେଇ ବିଭିନ୍ନ ସମୟରେ ସମସ୍ତ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ଦାବି କରି ଆସୁଛି । ଏଠାରେ ଏକ ଫ୍ଲାଏ ଓଭର ବି୍ରଜ୍କୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏବଂ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ମିଳିତଭାବେ ଫ୍ଲାଏ ଓଭରବି୍ରଜ୍ ନିର୍ମାଣ କାର୍ଯ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇ ସାରିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏଥି ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇ କଣ୍ଟ୍ରାକ୍ଟର ଚୟନ ହୋଇସାରିଛି । ତେବେ ଠିକାଦାର କାର୍ଯ୍ୟର ଶୁଭ ଦେଇ ବସି ରହିଥିବା ବେଳେ ରେଳବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଅଣ୍ଡର ଗ୍ରାଉଣ୍ଡ ଉପରେ ରେଳ ଚଳାଚଳ କରୁଥିବା ବେଳେ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଦେଇ ଶହଶହ ଗାଡ଼ି ମଟର ଓ ସାଧାରଣ ଲୋକ ଯାଆଆସ କରନ୍ତି । ଜଟଣୀ ସହର ଦେଇ ପିପିଲି ଓ ପୁରୀ, କୋଣାର୍କ, ନିମାପଡ଼ା ଆଦି ଅଞ୍ଚଳକୁ ସଂଯୋଗ କରୁଥିବା ଏହି ସମ୍ବେଦନଶୀଳ ରାସ୍ତାଟିରେ ପ୍ରତିଦିନ ଶହଶହ ଗାଡ଼ି ମଟର ଯାଏ । ଅସରାଏ ବର୍ଷା ହେଲେ ଉକ୍ତ ଅଣ୍ଡର ଗ୍ରାଉଣ୍ଡ ରାସ୍ତାରେ ୫ ଫୁଟ୍ ପାଣି ଜମା ହୋଇ ଯାତାୟାତ ବନ୍ଦ ହୋଇଯାଏ । ସେଥିପାଇଁ ଏହି ଓଭରବି୍ରଜ୍ର ନିର୍ମାଣ ଆବଶ୍ୟକତାକୁ ଅନୁଭବ କରି ବଜେଟ୍ରେ ଅର୍ଥ ମଞ୍ଜୁର ହେବା ସହ ୫୪ କୋଟି ୯୭ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳ ହେବାସହ ଠିକାଦାର ଶୁଭ ଦେଇ ବସିରହିଛି । ମାତ୍ର ରେଳ ବିଭାଗର ଉଦାସିନତା ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଏହି କାର୍ଯ୍ୟ ଆଗେଇ ପାରୁନଥିବା ଚର୍ଚ୍ଚା ହେଉଛି । ଫ୍ଲାଏ ଓଭରବି୍ରଜ୍ ହେବାସ୍ଥଳରେ ଏବେ ମଧ୍ୟ କେତେକ ଦୋକାନ, ବିଦ୍ୟାଳୟ ଓ ସେସୁର ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ରହିଥିବାରୁ କାର୍ଯ୍ୟ ହୋଇ ପାରୁନାହିଁ । ଶୁକ୍ରବାର ଦିନ ରେଲ୍ୱେ ମୁଖ୍ୟଯନ୍ତ୍ରୀ (କନ୍ଷ୍ଟ୍ରକ୍ସନ୍) ଏସ୍.ବି. ନିନାୱେ, ମୁଖ୍ୟଯନ୍ତ୍ରୀ ଶଙ୍କର୍ଷଣ, ଖୋର୍ଦ୍ଧାରୋଡ଼ ଡିଭିଜନ୍ ଯନ୍ତ୍ରୀ ଏସ୍. ଶାନ୍ତାରାମ ପ୍ରମୁଖଙ୍କ ସହ ଅନୁସନ୍ଧାନରେ ଆସି ତଦନ୍ତ କରି ଫେରି ଯାଇଛନ୍ତି । ଏହି ପ୍ରତିନିଧି ଦଳ ସହିତ ଗଣମାଧ୍ୟମ ପ୍ରତିନିଧି ଶ୍ରୀକାନ୍ତ ପରିଜା, ଲଳିତ କୁମାର ମହାରଣା, ଦିଲ୍ଲୀପ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ । ରେଳବିଭାଗ ଓ ଜିଲ୍ଲା ପ୍ରଶାସନ ଏଠାରୁ ଜବରଦଖଲ ଉଚ୍ଛେଦ କରିବା ସହ ତୁରନ୍ତ ଏହି ଫ୍ଲାଏ ଓଭରବି୍ରଜ୍ କାର୍ଯ୍ୟ କରାଯିବାକୁ ଦାବି ହେଉଛି । ତେବେ ଜଟଣୀ ତହସିଲ୍ଦାର ବିଜୟ କୁମାର ସ୍ୱାଇଁ କହିଛନ୍ତି ଯେ ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା ପରେ ଏହି ସମସ୍ୟାର ସମାଧାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ।