ଆଠଦଫା ଦାବିରେ ଭକ୍ତନିବାସ କର୍ମଚାରୀ ସଂଘର ବିକ୍ଷୋଭ

32

ପୁରୀ,୨୨ା୮(ଆପ୍ର):ବ୍ୟାଙ୍କ ଜରିଆରେ କର୍ମଚାରୀଙ୍କୁ ନିୟମିତ ବେତନ ପ୍ରଦାନ ଏବଂ ପ୍ରୋଭିଡେଣ୍ଟ ଫଣ୍ଡ ଓ ଇଏସ୍ଆଇ ଅର୍ଥ ଦାଖଲ ଆଦି ଆଠଦଫା ଦାବିରେ ନିଳାଚଳ ଭକ୍ତନିବାସର କାର୍ଯ୍ୟରତ କର୍ମଚାରୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସିଆଇଟି ସହବନ୍ଧିତ ଶ୍ରୀମନ୍ଦିର ଭକ୍ତନିବାସ କର୍ମଚାରୀ ସଂଘର ସଦସ୍ୟମାନେ ଭକ୍ତନିବାସରୁ ଏକ ଶୋଭାଯାତ୍ରାରେ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବାପରେ ସେଠାରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଶରତ କୁମାର ରାୟଗୁରୁ, ଉପସଭାପତି ଜଗନ୍ନାଥ ଦେଓ, ସାଧାରଣ ସଂପାଦକ ରଶ୍ମିତା ଗୋଚ୍ଛିକାର ଓ ସଂପାଦକ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇ ନିଳାଚଳ ଭକ୍ତନିବାସର କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ମିଳୁନଥିବା ଅଭିଯୋଗ କରିଥିଲେ । ବକ୍ତାମାନେ କହିଥିଲେ ଯେ ୨୦୦୭ମସିହାରୁ ମୁଖ୍ୟନିଯୁକ୍ତି ଦାତାଭାବେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତନିବାସରେ କର୍ମଚାରୀ ନିଯୁକ୍ତି ପାଇଁ ପ୍ରଥମେ ମେସର୍ସ ଜେଏନ୍ ଶର୍ମା ଓ ପରେ ମେସର୍ସ ସିଟି ଇନଫ୍ରା ଡେଭଲପର ପ୍ରାଇଭେଟ ଲିମିଟେଡଙ୍କ ସହ ଚୁକ୍ତିବଦ୍ଧ ହୋଇ ବିଭିନ୍ନ ପଦପଦବିରେ କର୍ମଚାରୀଙ୍କୁ ନିୟୋଜିତ କରିଛି । କିନ୍ତୁ ଠିକାଦାର ସଂସ୍ଥା ଗୁଡିକ ଶ୍ରମ ଆଇନ୍ର ଉଲ୍ଲଘଂନ କରି କର୍ମଚାରୀମାନଙ୍କୁ ନିୟମିତ ଦରମା ଦେଉନାହାଁନ୍ତି । ଏପରିକି ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଓ ଇଏସ୍ଆଇ ଅର୍ଥ ମଧ୍ୟ ଦାଖଲ କରାଯାଉନାହିଁ । କୁଶଳୀ କର୍ମଚାରୀଙ୍କୁ ପ୍ରତିମାସରେ ମାସିକ ୧୫ହଜାର ଟଙ୍କା ଦରମା ବ୍ୟାଙ୍କ ଜମାଖାତା ଜରିଆରେ ପ୍ରଦାନ କରିବା, ବକେୟା ଦରମା ସହ ଇପିଏଫ୍ ଓ ଇଏସ୍ଆଇ ଅର୍ଥ ଜମାକରି ପ୍ରତ୍ୟେକ କର୍ମଚାରୀଙ୍କୁ କୋର୍ଡ ପ୍ରଦାନ କରିବାକୁ ଦାବି କରାଯାଇଥିଲା । କର୍ମଚାରୀମାନଙ୍କୁ ବାର୍ଷିକ ଦୁଇହଳ ପୋଷାକ ପ୍ରଦାନ, ସମସ୍ତ କର୍ମଚାରୀମାନଙ୍କୁ ବୀମାର୍ଭୁକ୍ତ କରିବା ଏବଂ ଶ୍ରମ ଆଇନ୍କୁ କଡାକଡି ଭାବେ କାର୍ଯ୍ୟକାରୀ କରି ସରକାରୀ ଛୁଟି ଦିବସମାନଙ୍କରେ ସବୈତନିକ ଛୁଟି ପ୍ରଦାନ ପାଇଁ ସଂଘର କର୍ମକର୍ତ୍ତାମାନେ ଦାବି କରିଥିଲେ । ପରେ କର୍ମଚାରୀ ସଂଘ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ଉଦ୍ଧେଶ୍ୟରେ ନୀତିପ୍ରଶାସକ ପ୍ରଦୀପ୍ତ କୁମାର ଦାସଙ୍କୁ ଏକ ଆଠଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।




Powered by odothemes.com