ବିରୋଧୀଙ୍କୁ ଉତ୍ତର ଦେବାକୁ ସରକାର ପ୍ରସ୍ତୁତ

29

ଭୁବନେଶ୍ୱର, ୧୭ ।୮(ବୁ୍ୟରୋ): ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନ ବିତର୍କିତ ହେବାର ସକଳ ସମ୍ଭାବନା ଅଛି । ନବକଳେବରରେ ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି ଭଣ୍ଡ ବାବା ସାରଥୀର କଳାକାରନାମା ଏବଂ କେନ୍ଦ୍ରାପଡାରେ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଆଦି ସାମ୍ପ୍ରତିକ ଘଟଣାବଳୀ ବିରୋଧୀଙ୍କୁ ଖୋରାକ ଯୋଗାଇଛି । ତେବେ ସେମାନଙ୍କୁ ପାଲଟା ଜବାବ ଦେବା ପାଇଁ ଶାସକ ଦଳ ହାତରେ କେନ୍ଦ୍ରୀୟ ଉପେକ୍ଷାର ପର୍ଯ୍ୟାୟ ବ୍ୟାପୀ ପ୍ରସଙ୍ଗ ରହିଛି । ଆଜି ବିଜେଡି ବିଧାୟକ ଦଳ ବୈଠକ ପରେ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସୂଚନାରୁ ଏହା ସ୍ପଷ୍ଟ । ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଲେ, ଓଡିଶା ପ୍ରତି କେନ୍ଦ୍ରର କ୍ରମାଗତ ଉପେକ୍ଷା ଓ ବୈମାତୃକ ମନୋଭାବ ବିରୋଧରେ ଦଳୀୟ ବିଧାୟକମାନେ ପ୍ରସଙ୍ଗ ଉଠାଇବା ସ୍ୱାଭାବିକ । ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସୁପାରିସରେ ଥିବା ଅସଙ୍ଗତି ଯୋଗୁଁ ଓଡିଶା ଏବର୍ଷ କେନ୍ଦ୍ରୀୟ ଟିକସରୁ ପ୍ରାୟ ୨୧୬୦ କୋଟି ଟଙ୍କା ହରାଇବ । ତା ସାଙ୍ଗକୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ କେନ୍ଦ୍ର ସରକାର ମନଇଚ୍ଛା ଅନୁଦାନ ଓ କେନ୍ଦ୍ରୀୟ ଅଂଶ କାଟ୍ କରିଥିବାରୁ ରାଜ୍ୟର ଅନେକ ଯୋଜନା ପ୍ରଭାବିତ ହେବ । ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରରେ କ୍ଷମତାସୀନ ବିଜେପି ନିର୍ଦ୍ଧିଷ୍ଟ ରାଜ୍ୟଗୁଡିକ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରୁଥିବାବେଳେ ଓଡିଶାର ଯୁକ୍ତିଯୁକ୍ତ ଦାବି ‘ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟା’ ପ୍ରତି ସରକାର ଏପର୍ଯ୍ୟନ୍ତ ଉଦାସୀନ । ଖଣି ଆଇନ ସଂଶୋଧନର ବହୁ ପୂର୍ବରୁ ଦେଶର ସର୍ବାଧିକ ପୁଞ୍ଜିବିନିଯୋଗ ପ୍ରକଳ୍ପ ପୋସ୍କୋର ପାରାଦୀପ ପ୍ଲାଣ୍ଟ ପାଇଁ ଖଣି ଲିଜ୍ ଦେବାକୁ ରାଜ୍ୟ ସରକାର ବାରମ୍ବାର ପ୍ରସ୍ତାବ ଦେଇଆସିଥିଲେ ମଧ୍ୟ ସେଥିରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଇଛି । ତେଣୁ ପୋସ୍କୋ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବିଚାର ନକରିବା ଯାଏ ବିଜେଡି ଏହି ପ୍ରସଙ୍ଗକୁ ହାତଛଡା କରିପାରିବନାହିଁ । ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଓଡ଼ିଶାରୁ ୨୨୦ଟି ବିଟିଏସ୍କୁ ଇନ୍ଦୋର ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ମଧ୍ୟ ବିଜେଡି ବିରୋଧ କରିବ । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସରକାର ୯ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବେ । ବିରୋଧୀ ଦଳ ଏ କ୍ଷେତ୍ରରେ ଗଠନମୂଳକ ସହଯୋଗ ଦେବେ ବୋଲି ସେ ଆଶା କରନ୍ତି । ଅଧିବେଶନକାଳରେ ମାନବ ଅଙ୍ଗ ପ୍ରତିରୋପଣ ସଂପର୍କିତ ବୈଧାନିକ ସଙ୍କଳ୍ପ ମଧ୍ୟ ଆଗତ କରାଯିବ ।
ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଅଧିକାଂଶ ସଦସ୍ୟ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ହାତପାଣ୍ଠି)କୁ ୧ କୋଟିରୁ ୩କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଲେ, ଏଥର ଅଧିବେଶନରେ ଥିବା ୧୧ଟି କାର୍ଯ୍ୟ ଦିବସ ମଧ୍ୟରୁ ୯ଟି ସରକାରୀ ଓ ଦୁଇଟି ବେସରକାରୀ କାର୍ଯ୍ୟ ଦିବସ । ସରକାରଙ୍କ ପକ୍ଷରୁ ଓଡ଼ିଶା ଜମି ଆତ୍ମସାତ୍ (ନିଷେଧ) ବିଲ୍, ଓଡ଼ିଶା ପୁଲିସ୍ ବିଲ୍, ଓଡ଼ିଶା ମୂଲ୍ୟଯୁକ୍ତ କର (ସଂଶୋଧନ) ବିଲ୍, ଓଡ଼ିଶା ଆପର୍ଟମେଣ୍ଟ ମାଲିକାନା (ସଂଶୋଧନ) ବିଲ୍, ଓଡ଼ିଶା ଭୂତଳ ପାଇପ୍ ଲାଇନ୍, କେବଲ୍ ଓ ନାଳୀ (ଭୂମିରେ ବ୍ୟବହାରକାରୀଙ୍କ ଅଧିକାର ସାବ୍ୟସ୍ତ) ବିଲ୍, ଓଡ଼ିଶା ଶିକ୍ଷା ସଂଶୋଧନ ବିଲ୍, ଓଡ଼ିଶା ଭୂମି ଜବର ଦଖଲ ନିବାରଣ (ସଂଶୋଧନ) ବିଲ୍, ଓଡ଼ିଶା ପୌରନିଗମ (ସଂଶୋଧନ) ବିଲ୍, ଓଡ଼ିଶା ପୌର ଆଇନ୍ ସଂଶୋଧନ ବିଲ୍ ଆଗତ କରାଯିବ । ଆଲୋଚନା ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡିକୁ ପାସ୍ କରାଇବା ପାଇଁ ସରକାର ଉଦ୍ୟମ କରିବେ । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉତ୍ଥାପନ କରିବେ ସରକାର ସେ ସବୁର ଉତ୍ତର ଦେବାକୁ ପ୍ରସ୍ତୁତ ।
ବୈଠକରେ ବିଧାୟକମାନେ ସୋମାନଙ୍କ ନିଜ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ସଂପର୍କରେ ଉତ୍ଥାପନ କରିଥିଲେ । ବିଧାୟକ ବେଦ ପ୍ରକାଶ ଅଗ୍ରୱାଲା ୫ ଲକ୍ଷ ଟଙ୍କା ମଧ୍ୟରେ ହେବାକୁ ଥିବା ଜରୁରୀକାଳୀନ ନିର୍ମାଣ କାର୍ଯ୍ୟଗୁଡ଼ିକର ଟେଣ୍ଡର କରା ନଯାଇ ସେସବୁର କେ-୨ରେ କରିବାକୁ କହିଥିଲେ । ଶ୍ରୀ ଅଗ୍ରୱାଲଙ୍କୁ ଅଧିକାଂଶ ବିଧାୟକ ସମର୍ଥନ କରି ସରକାର ଯଥାଶୀଘ୍ର ଏଭଳି ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ । ପୌରସଂସ୍ଥାକୁ ଅଧିକ ଅନୁଦାନ ଦେବା ଏବଂ କାର୍ଯ୍ୟ ସଂପାଦନ ସମୟରେ ସ୍ଥାନୀୟ ବିଧାୟକଙ୍କ ପରାମର୍ଶ ନେବା ପାଇଁ ମଧ୍ୟ କେତେକ ବିଧାୟକ ଗୁରୁତ୍ୱ ଦେଇଥିଲେ । ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ କେନ୍ଦ୍ର ସରକାର ଯେଉଁ ଯୋଜନାଗୁଡିକରେ କେନ୍ଦ୍ରୀୟ ଅଂଶ କାଟ୍ କରିଛନ୍ତି, ସେ ସଂପର୍କରେ ବିଜେଡି କେଉଁ ଆଭିମୁଖ୍ୟ ଗ୍ରହଣ କରିବ ସେ ଜାଣିବାକୁ ଚାହିଁଥିଲେ ।

ସେଆର କରନ୍ତୁ:



Powered by odothemes.com