ସ୍ୱଳ୍ପ ବ୍ୟୟରେ ଉତ୍ତମ ସ୍ୱାସ୍ଥ୍ୟସେବା ଆୟୁଷ ମିଶନ୍ର ଲକ୍ଷ୍ୟ

31

ଭୁବନେଶ୍ୱର, ୧୭ା୮(ବୁ୍ୟରୋ): ରାଜ୍ୟରେ ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ୟୁନାନି, ସିଦ୍ଧ ଏବଂ ହୋମିଓପ୍ୟାଥି (ଆୟୁଷ) ମିଶନ୍ ଆରମ୍ଭ ହୋଇଛି । ଆୟୋଜିତ ଉଦ୍ଘାଟନୀ ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ମିଶନ୍କୁ ରାଜ୍ୟବାସୀଙ୍କୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଲେ, ଆୟୁଷ ଚିକିତ୍ସା ପଦ୍ଧତିରେ ସାଧାରଣ ଲୋକଙ୍କୁ ସ୍ୱଳ୍ପ ବ୍ୟୟରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସଂପୃକ୍ତ ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମି ବିକାଶ, ଶିକ୍ଷାର ମାନ ବୃଦ୍ଧି, ଔଷଧ ପ୍ରସ୍ତୁତିରେ ଗୁଣବତ୍ତା ନିୟନ୍ତ୍ରଣ ଏବଂ ଔଷଧୀୟ ବୃକ୍ଷର ଯତ୍ନ ତଥା ବିକାଶ ଆଦି ଏହି ମିଶନ୍ ମାଧ୍ୟମରେ କରାଯିବ । ଚଳିତ ଆର୍ଥିକ ବର୍ଷରେ ମିଶନ୍ କାର୍ଯ୍ୟକାରିତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୧୭କୋଟି ୬୬ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଏକ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।ମନ୍ତ୍ରୀ ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ ଓ ଭୁବନେଶ୍ୱରରେ ଯୋଗ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକରିବ । ରାଜ୍ୟରେ ଔଷଧୀୟ ଉଦ୍ୟାନ ସୃଷ୍ଟିକୁ ବ୍ୟାପକ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଲେଖାଏଁ ଗ୍ରାମକୁ ‘ଆୟୁଷ ଗ୍ରାମ’ ଭାବେ ଗ୍ରହଣ କରାଯାଇଛି । ପୁରୁଣା ଭୁବନେଶ୍ୱରରେ ଥିବା ଆୟୁର୍ବେଦ ହସ୍ପିଟାଲରେ ପ୍ରାକୃତିକ ଚିକିତ୍ସା ପାଇଁ ଖୁବ୍ଶୀଘ୍ର ବର୍ହିବିଭାଗ ଖୋଲିବ ଏବଂ ପୁରୀସ୍ଥିତ ଗୋପବନ୍ଧୁ ମେଡିକାଲ କଲେଜର ଭିତ୍ତିଭୂମି ବିକାଶ କରାଯିବ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତି ଆହୁଜା ଆୟୁଷ କାର୍ଯ୍ୟକ୍ରମକୁ ନିଷ୍ଠା ଓ ଆନ୍ତରିକତାର ସହ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ମିଶନ୍ କାର୍ଯ୍ୟକରିବ ବୋଲି କହିଥିଲେ । ମିଶନ୍କୁ ସଫଳ କରିବା ପାଇଁ ଆୟୁଷ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ ପାରା ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି କରାଯିବ । ସେହିପରି ରାଜ୍ୟରେ ଔଷଧୀୟ ବୃକ୍ଷ ପାଇଁ ନୂତନ ନର୍ସରୀ ସୃଷ୍ଟି କରାଯିବ । ଜନସ୍ୱାସ୍ଥ୍ୟ ବିଭାଗ ସହ ମିଳିତ ଭାବେ ଏହି ମିଶନ୍ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମତି ଆହୁଜା କହିଥିଲେ । ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଧେଶିକା ରୁପା ମିଶ୍ର କହିଛନ୍ତି ଯେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଆୟୁଷ ଚିକିତ୍ସାକୁ ପ୍ରୋତ୍ସାହିତ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୧୪୮୫ଟି ୟୁନିଟ୍ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍ଏଚ୍ଏମ୍) ସହ ଆୟୁଷ ମିଶନ୍କୁ ଥଇଥାନ କରାଯାଇଛି । ଏନ୍ଏଚ୍ଏମ୍ ଓ ଆୟୁଷ ମିଶନ୍ ଟିମର ମିଳିତ ସହଯୋଗରେ ରାଜ୍ୟର ୨୮ଲକ୍ଷ ଶିଶୁଙ୍କୁ ସ୍କ୍ରିନିଙ୍ଗ୍ କରାଯାଇଛି । ମିଶନ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କ ନିକଟରେ ୪୨ କୋଟି ଟଙ୍କାର ଆକ୍ସନ ପ୍ଲାନ୍ ପ୍ରଦାନ କରାଯାଇଥିବା ମିଶନ୍ ନିର୍ଦ୍ଧେଶକ ବାସୁଦେବ ବାହିନୀପତି ସୂଚନା ଦେଇଥିଲେ ।
କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ତଥା ରାଜ୍ୟ ଆୟୁଷ ମିଶନ୍ ନିୟମାବଳୀ ଅନୁସାରେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିୟନ୍ତ୍ରଣ କମିଟି ଏବଂ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କରିଚାଳନା କମିଟି ଗଠନ କରାଯାଇଛି । ସେହିପରି ମିଶନର ସୁପରିଚାଳନା ପାଇଁ ଓଡ଼ିଶା ରାଜ୍ୟ ଆୟୁଷ ସୋସାଇଟି (ଓଏସ୍ଏଏସ୍) ପଞ୍ଜୀକୃତ ହୋଇଛି । ଏହି ଅବସରରେ ଆୟୁଷ ମିଶନ୍ ପ୍ରଣୟନ ସମ୍ବନ୍ଧୀୟ ଏକ ପୁସ୍ତକ ଓ ଆୟୁଷ ନିର୍ଦ୍ଧେଶାଳୟ ପକ୍ଷରୁ ପୁରାତନ ତାଳପତ୍ର ପୋଥିରୁ ସଂଗୃହୀତ ହୋଇ ପ୍ରସ୍ତୁତ ‘ପର୍ଯ୍ୟାୟ ମୁକ୍ତାବଳୀ’ ପୁସ୍ତକ ଉନ୍ମୋଚନ ହୋଇଥିଲା ।




Powered by odothemes.com