15-8-2015=5

ସନ୍ତୁଳିତ ଅଭିବୃଦ୍ଧି ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

19

ଭୁବନେଶ୍ୱର, ୧୬ା୮(ବୁ୍ୟରୋ): ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଏହି ପବିତ୍ର ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ନେତାଜୀ ସୁଭାଷ ବୋଷ, ପଣ୍ଡିତ ନେହେରୁ, ମୌଲାନା ଆଜାଦ୍, ଡଃ ଆମ୍ବେଦକର, ପଣ୍ଡିତ ଗୋପବନ୍ଧୁ ଦାସ, ଉକ୍ରଳଗୌରବ ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ, ଶହୀଦ ଲକ୍ଷ୍ମଣ ନାୟକ, ମା’ ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ନେତା ଏବଂ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ଦେଶଭକ୍ତମାନଙ୍କୁ ମୋର ସମ୍ମାନ ଜଣାଉଛି । ଦେଶ ପାଇଁ ଲଢ଼େଇ କରି ସହିଦ ହୋଇଥିବା ବୀର ଯବାନ୍ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱକୁ ଶାନ୍ତି ଓ ଅହିଂସାର ମହାନ ବାର୍ତ୍ତା ଦେଇଛି । ଶାନ୍ତି ଓ ଅହିଂସାର ଭୂମି ଓଡ଼ିଶା ମଧ୍ୟ ଦେଶର ସ୍ୱାଧୀନତା ସଂଗ୍ରାମରେ ଆଗୁଆ ଭୂମିକା ନେଇଥିଲା । ଭାରତର ସମୃଦ୍ଧିରେ ମଧ୍ୟ ଓଡ଼ିଶା ତାର ଅବଦାନ ରଖିଆସିଛି ।
ବିକାଶ ଆଜି କେବଳ ସହରର ଏକଚାଟିଆ ହୋଇ ରହିନାହିଁ । ଚାରି କୋଟି ଓଡ଼ିଆଙ୍କ ସହଯୋଗରେ ଆମର ବିକାଶ ଯାତ୍ରାରେ ଗାଁ ଆଜି ମୁଖ୍ୟ ଭୂମିକା ନେଇଛି । ଗାଁରେ ରହୁଥିବା ଗରିବ ଲୋକ ଓ କୋରାପୁଟ, କଳାହାଣ୍ଡିରେ ରହୁଥିବା ଆଦିବାସୀ ଭାଇଭଉଣୀ ସମସ୍ତେ ଆଜି ବିକାଶରେ ଭାଗୀଦାର ହୋଇପାରିଛନ୍ତି । ବଣ୍ଡା ଘାଟିରେ ରହୁଥିବା ମୋର ଯୁବ ବନ୍ଧୁମାନେ ସେମାନଙ୍କ ଅଞ୍ଚଳର ଉନ୍ନତି ପାଇଁ ଆଗେଇ ଆସିବା କମ୍ ଆନନ୍ଦର କଥା ନୁହେଁ ।
କନ୍ଧମାଳର ଚାଷୀ ଠାରୁ ଆରମ୍ଭ କରି ବରଗଡ଼ର ବୁଣାକାର, ରାଉରକେଲାର ଶ୍ରମିକ, ରେଢ଼ାଖୋଲର ଗରିବ କେନ୍ଦୁପତ୍ର ତୋଳାଳୀ, କୋରାପୁଟ ନବରଙ୍ଗପୁରର ଆଦିବାସୀ ଛାତ୍ରଛାତ୍ରୀ ଓ ଭୁବନେଶ୍ୱରର ନିର୍ମାଣ ଶ୍ରମିକଙ୍କ ବିକାଶ ଆଜି ସମସ୍ତଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାସ୍ତା ଖୋଲି ଦେଇଛି । ସରକାରଙ୍କ କଲ୍ୟାଣ କାର୍ଯ୍ୟକ୍ରମ ସମସ୍ତଙ୍କ ପାଖରେ ପହଞ୍ଚିପାରିଛି ।
ଗାଁରେ ସବୁ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା ପାଇଁ ଆମେ ‘ବିଜୁ ପକ୍କାଘର ଯୋଜନା’ ଆରମ୍ଭ କରିଛୁ । ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୭୦ହଜାର ଘର ତିଆରି ସରିଛି । ସହରରେ ରହୁଥିବା ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ଆମେ ଖୁବ୍ଶୀଘ୍ର ‘ଓଡ଼ିଶା ହାଉସିଂ ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ । ଗାଁର ଉନ୍ନତି ପାଇଁ ପଞ୍ଚାୟତଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯାଉଛି । ଗାଁର ବିକାଶ ପାଇଁ ପାଣ୍ଠିର ଅଭାବ ନାହିଁ । ଆଗାମୀ ପାଞ୍ଚ ବର୍ଷରେ ପଞ୍ଚାୟତଗୁଡ଼ିକୁ ୧୬ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯିବ । ତେଣୁ ପ୍ରତି ପଞ୍ଚାୟତ, ପ୍ରତି ଗାଁକୁ ଆଦର୍ଶ ପଞ୍ଚାୟତ ଓ ଆଦର୍ଶ ଗ୍ରାମ କରିବା ପାଇଁ ସେମାନେ ପ୍ରତିଯୋଗିତା ମନୋଭାବ ନେଇ କାମ କରିବା ଦରକାର ।
ଆମ ଚାଷୀଭାଇ ଓ ଭଉଣୀଙ୍କ ପରିଶ୍ରମ ଯୋଗୁଁ ଓଡ଼ିଶା ଚାରି ଚାରି ଥର ନ୍ୟାସନାଲ୍ ଆୱାର୍ଡ଼ ହାସଲ କରିପାରିଛି । ସ୍ୱାଧୀନତା ଦିବସ ଅବସରରେ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କୁ ମୁଁ ବିଶେଷ ଅଭିନନ୍ଦନ ଜଣାଇବାକୁ ଚାହେଁ । ଚଳିତ ବର୍ଷ ରାଜ୍ୟର କେତେକ ଅଞ୍ଚଳରେ ଭଲ ବର୍ଷା ହୋଇନାହିଁ । ତେଣୁ ଚାଷୀର ଯେପରି କ୍ଷତି ନହୁଏ, ସେଥିପ୍ରତି ଆମେ ସଜାଗ ରହିଛୁ ।
ବିଭିନ୍ନ କାରଣରୁ ଶିଳ୍ପ କ୍ଷେତ୍ରରେ କିଛି ସମସ୍ୟା ଥିଲା । ପରିସ୍ଥିତିରେ ଧୀରେ ଧୀରେ ଉନ୍ନତି ଆସୁଛି । ବର୍ତ୍ତମାନର ଆବଶ୍ୟକତାକୁ ଦେଖି ନୂଆ ଶିଳ୍ପନୀତିରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଅଧିକ ସରଳୀକରଣ କରାଯାଇଛି ।ମୋର ବିଶ୍ୱାସ, ଖୁବ୍ ଶ୍ରୀଘ୍ର ଶିଳ୍ପ କ୍ଷେତ୍ରରେ ଉନ୍ନତି ଆସିବ ଏବଂ ୨୦୧୯ ସୁଦ୍ଧା ନିର୍ମାଣ କ୍ଷେତ୍ରରେ ଆମେ ୩ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ସଫଳ ହେବୁ । ସରକାରୀ କ୍ଷେତ୍ରରେ ମଧ୍ୟ ସତୁରୀ ହଜାର ଖାଲିଥିବା ପଦବୀରେ ନିଯୁକ୍ତି ପାଇଁ ତ୍ୱରିତ୍ ପଦକ୍ଷେପ ନିଆଯାଇଛି ।
ରାଜ୍ୟର ସବୁ ଅଞ୍ଚଳ, ସବୁ ବର୍ଗ ଏବଂ ସବୁ କ୍ଷେତ୍ରର ସନ୍ତୁଳିତ ଅଭିବୃଦ୍ଧି ଆମର ଲକ୍ଷ୍ୟ । ଆଜି ମହିଳାମାନେ ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମହିଳାମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଅଧିକାରର ସୁରକ୍ଷାକୁ ସରକାର ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି ଓ ଦେଇଚାଲିବେ । ଆମର କାର୍ଯ୍ୟକ୍ରମ ଆଜି ଗରିବ ଲୋକ, ବୁଢ଼ାବୁଢ଼ୀ, ଆଦିବାସୀ ଓ ଦଳିତ ସମସ୍ତଙ୍କ ମନରେ ଭରସା ସୃଷ୍ଟି କରିପାରିଛି । ଭିନ୍ନକ୍ଷମ ଭାଇଭଉଣୀମାନେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛନ୍ତି । ସରକାର ସେମାନଙ୍କ ସାଥିରେ ରହିଛନ୍ତି ଏବଂ ସବୁବେଳେ ସହଯୋଗ ଯୋଗାଇ ଚାଲିବେ ।
ଦେଶର ସ୍ୱାଧୀନତା ସଂଗ୍ରାମରେ ଯୁବସମାଜ ମୁଖ୍ୟ ଭୂମିକା ନେଇଥିଲା । ସ୍ୱାଧୀନତା ପରେ ଦେଶର ବିକାଶରେ ଯୁବଶକ୍ତି ହିଁ ସବୁଠାରୁ ଆଗରେ । ଖୁସିର କଥା ନିଜ ପାଇଁ ନିଜ ପରିବାର ପାଇଁ ଓ ଦେଶ ପାଇଁ ସ୍ୱପ୍ନ ଦେଖିବା ଓ ତାକୁ ସାକାର କରିବାର ଦକ୍ଷତା ଆଜି ଯୁବ ସମାଜ ଭିତରେ ବିକଶିତ ହୋଇଛି । ଏହା ହିଁ ସ୍ୱାଧୀନ ଭାରତର ସବୁଠାରୁ ବଡ଼ ସଂପଦ ଓ ଶକ୍ତି ।
ଆମର ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ‘ବୃତ୍ତି ପରିଷଦ’ ଗଠନ କରିବାକୁ ସ୍ଥିର କରିଛନ୍ତି । ଏହା ସାରା ଦେଶରେ ଏକ ଅଗ୍ରଣୀ ଉଦ୍ୟମ । ଏହି ପରିଷଦ ସ୍ୱାଧୀନ ଓ ବୃତ୍ତିଗତ ସଂସ୍ଥା ଭାବରେ କାର୍ଯ୍ୟ କରିବ । କେବଳ ବଡ଼ ବଡ଼ ସହର ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳ, ଏପରିକି କେବିକେର ଛୋଟ ଛୋଟ ଗାଁରେ ଥିବା ମେଧାବୀ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କ ପାଇଁ ବୃତ୍ତି ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟରେ ସବୁ ଛାତ୍ରଛାତ୍ରୀମାନଙ୍କର ଏକ ଡାଟାବେସ୍ ତିଆରି କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।
ଗାଁରେ ରହୁଥିବା ସାଧାରଣ ଲୋକ, ସହରର ବୁଲା ବିକାଳୀ, ଚାଷୀ, ଶ୍ରମିକ, ମହିଳା, ଛାତ୍ର, ଯୁବକ, ଆଦିବାସୀ ଓ ଦଳିତ ସମସ୍ତେ ହେଉଛନ୍ତି ମହାନ୍ ଭାରତବର୍ଷର ଅଂଶ । ତେଣୁ ସମସ୍ତଙ୍କ ସଶକ୍ତିକରଣ ଜରିଆରେ ହିଁ ଭାରତ ସମୃଦ୍ଧ ହୋଇପାରିବ ଓ ସ୍ୱାଧୀନତାର ମୂଲ୍ୟବୋଧର ସୁରକ୍ଷା ହୋଇପାରିବ ।




Powered by odothemes.com