ବୟନ ଓ ହସ୍ତଶିଳ୍ପ ବିଭାଗ – ଏଏଚ୍ଏଫ୍ ଚୁକ୍ତି

36

ଆଦିବାସୀଙ୍କ ଜୀବିକା ମିଶନ୍
ଭୁବନେଶ୍ୱର, ୧୪ା୮(ବୁ୍ୟରୋ): ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ ସଚିବାଳୟଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତିରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ବୁଣାକାରମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ଏସିଆନ ହେରିଟେଜ ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ତିନୋଟି ରାଜ୍ୟ ଯଥା-ଓଡ଼ିଶା, ଝାଡଖଣ୍ଡ ଏପଂ ମଧ୍ୟପ୍ରଦେଶରେ ବିଶ୍ୱବ୍ୟାଙ୍କ୍ ପରିଚାଳନାରେ ଜାପାନ ସାମାଜିକ ବିକାଶ ପାଣ୍ଠିରୁ ଆର୍ଥିକ ସହାୟତାରେ ଏକ ୪ବର୍ଷିଆ ପ୍ରକଳ୍ପ ‘ବଞ୍ଚିତ ଜନଜାତିଙ୍କ ନିମନ୍ତେ ସାମଗ୍ରୀକ ବ୍ୟବସାୟିକ ସୁଯୋଗ ସୃଷ୍ଟି’ କାର୍ଯ୍ୟକାରୀ ହେଉଛି । ନୂଆଦିଧଲ୍ଲୀ ସ୍ଥିତ ଏସିଆନ୍ ହେରିଟେଜ୍ ଫାଉଣ୍ଡେସନ୍ ସଂସ୍ଥା ଜରିଆରେ ଏହା କରାଯାଉଛି । ପୂର୍ବରୁ ଏହି ସଂସ୍ଥା ବିହାର, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀଙ୍କ ନିମନ୍ତେ ଏହି ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ କରିଛି । ପ୍ରକଳ୍ପର ଶତ ପ୍ରତିଶତ ପାଣ୍ଠି ବିନିଯୋଗ ଏହି ସଂସ୍ଥା ବହନ କରିବେ । ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ, ମହିଳା ଏବଂ ଅବହେଳିତ ବର୍ଗର ଜନସାଧାରଣଙ୍କ ମଧ୍ୟରେ ଥିବା ପାରମ୍ପରିକ ଜ୍ଞାନକୌଶଳର ପୂର୍ଣ୍ଣ ବିନିଯୋଗ କରି ସେମାନଙ୍କ ଜୀବନ ଜୀବିକା ନିର୍ବାହ ଏବଂ ଉପାର୍ଜନ ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି କରିବା ହେଉଛି ପ୍ରକଳ୍ପର ଅଭିମୁଖ୍ୟ ।
ଆମ ରାଜ୍ୟ ଓଡ଼ିଶାର ଜନଜାତି ବହୁଳ ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲରେ ୨.୭୨ କୋଟି ଟଙ୍କା ଆର୍ଥିକ ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏଥି ନିମନ୍ତେ ଆନୁସଙ୍ଗିକ ସହାୟତା ପ୍ରଦାନ କରିବ । ଯୋଜନାର ଅବଧି ୨୦୧୫-୧୦୧୯ ପର୍ଯ୍ୟନ୍ତ ରଖାଯାଇଛି । ବିଭିନ୍ନ ପ୍ରାଥମିକ ବୁଣାକାର ସମବାୟ ସମିତି, ପ୍ରାଥମିକ ହସ୍ତଶିଳ୍ପ ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଇତ୍ୟାଦିମାନଙ୍କୁ ଏହି ପ୍ରକଳ୍ପରେ ସାମିଲ କରାଯିବ ।
ରାଜ୍ୟ ସରକାରଙ୍କ ତରଫରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଚିତ୍ରା ଆରୁମୁଗମ୍ ଏବଂ ଏସିଆନ ହେରିଟେଜ ଫାଉଣ୍ଡେସନର ମୁଖ୍ୟ ରାଜୀବ ସେଠି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗନୀ ଛୁରିଆ, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଅର୍ଥ) ଆର୍ ବାଲକ୍ରିଷ୍ଣ, ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ ସିଂ, ସଂସ୍କୃତି ତଥା ସୂଚନା ଓ ଲୋକସମ୍ପର୍କ ସଚିବ ମନୋରଞ୍ଜନ ପାଣିଗ୍ରାହୀ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ ଏବଂ ବିଶ୍ୱବ୍ୟାଙ୍କ୍ ଓ ଏସିଆନ୍ ହେରିଟେଜ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com