ଗଜଭିୟେ ନିଲମ୍ବିତ

32

ଭୁବନେଶ୍ୱର, ୧୩ ।୮(ବୁ୍ୟରୋ): ସାରଥୀ ବିରୋଧୀ ଆନ୍ଦୋଳନକାରୀଙ୍କ ପ୍ରତି ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର, ସର୍ବଭାରତୀୟ ପ୍ରଶାସନିକ ନିୟମରେ ଥିବା ଆଚରଣ ସଂହିତା ଉଲ୍ଲଂଘନ ଆଦି ଅଭିଯୋଗରେ କେନ୍ଦ୍ରାପଡାର ପୂର୍ବତନ ଏସ୍ପି ସତିଶ କୁମାର ଗଜଭିୟେଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସସ୍ପେଣ୍ଡ କରିଛନ୍ତି । ଗତ ୬ ତାରିଖ ସନ୍ଧ୍ୟାରେ ତକ୍ରାଳୀନ ଏସ୍ପି ଗଜଭିୟେଙ୍କ ନିର୍ଦ୍ଧେଶରେ ବିବାଦୀୟ ସାରଥୀ ବାବାଙ୍କ ଆଶ୍ରମ ସାମ୍ନାରେ ପୁଲିସ୍ ଆତଙ୍କରାଜ ସୃଷ୍ଟି କରି ବିକ୍ଷୋଭକାରୀ ଓ ସାଧାରଣ ଲୋକଙ୍କୁ ଘଉଡାଇ ଦେବା ପରେ ସେମାନେ ଛାଡିଯାଇଥିବା ସାଇକେଲ୍ ଓ ବାଇକ୍ଗୁଡିକୁ ଭଙ୍ଗାରୁଜା କରିଥିଲେ । ତହିଁପରଦିନ ବିକ୍ଷୋଭକାରୀମାନଙ୍କୁ ପୁଲିସ୍ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହ ଓକିଲଙ୍କ ସମେତ କେତେକ ଲୋକଙ୍କୁ ରାସ୍ତାରେ ମାଡମାରି ବସ୍-ଉଠ୍ କରାଇଥିଲେ । ଏହି ଦମନଲୀଳାର ନେତୃତ୍ୱ ନେଇଥିଲେ ଖୋଦ୍ ଏସ୍ପି ଗଜଭିୟେ । ପୁଲିସ୍ର ମାତ୍ରାଧିକ କାର୍ଯ୍ୟକଳାପ ସମ୍ପର୍କରେ ରାଜ୍ୟବ୍ୟାପୀ ଜନଅସନ୍ତୋଷ ସୃଷ୍ଟି ହେବା ପରେ କେନ୍ଦ୍ରାପଡା ଏସ୍ପି ଗଜଭିୟେଙ୍କୁ ସରକାର ୮ ତାରିଖରେ ଅଚାନକ ବଦଳି କରିଥିଲେ । ତାଙ୍କ ସ୍ଥାନରେ ତୁରନ୍ତ ନୀତିନଜିତ୍ ସିଂହଙ୍କୁ କେନ୍ଦ୍ରାପଡା ପୁଲିସ୍ ଜିଲ୍ଲାର ଦାୟିତ୍ୱ ନେବାକୁ ସରକାର ନିର୍ଦ୍ଧେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ପରିସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ଆର୍ପି କୋଚେ ତୁରନ୍ତ କେନ୍ଦ୍ରାପଡା ଯାଇଥିଲେ । ତେବେ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ଗଜ୍ଭିୟେ ‘ଦଣ୍ଡ ନୁହେଁ’ ବୋଲି ଗଣମାଧ୍ୟମରେ ବିବୃତି ଦେବା ସହ ଫେସ୍ବୁକ୍ରେ ଗଣମାଧ୍ୟମକୁ ସମାଲୋଚନା କରି ଦର୍ଶାଇଥିଲେ ଯେ ସେ ଯାହା କରିଛନ୍ତି ଠିକ୍ କରିଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେ କୋର୍ଟକୁ ଯିବେ ବୋଲି ଗଣମାଧ୍ୟମରେ ବିବୃତି ଦେଇ ଗଜଭିୟେ ରାଜ୍ୟ ସରକାରଙ୍କୁ ପରୋକ୍ଷ ଚ୍ୟାଲେଞ୍ଜ କରିଥିଲେ ।
ଗଜଭିୟେଙ୍କୁ ନିଲମ୍ବନ ଓ ଗିରଫ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ସମେତ ରାଜ୍ୟ ଓକିଲ ସଂଘ ପକ୍ଷରୁ ଦାବି ହୋଇଥିଲା । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଓକିଲମାନେ କୋର୍ଟରେ ଯୋଗଦେବେ ନାହିଁ ବୋଲି ଘୋଷଣା କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ସନ୍ଧ୍ୟାରେ ଆଇଜି ଆର୍ପି କୋଚେ ବିବାଦୀୟ ଗଜଭିୟେଙ୍କ କାର୍ଯ୍ୟକଳାପ ସମ୍ପର୍କରେ ରିପୋର୍ଟ ଦେବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହାଛଡା ସେ ପନିୀଙ୍କ ନାମରେ କିଣିଥିବା ଜମି ଓ ଚଳାଇଥିବା ଚିଙ୍ଗୁଡି ଘେରି ସମ୍ପର୍କରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେବା ପରେ ଆଜି ଭିଜିଲାନ୍ସ ପୁଲିସ୍ ସରଜମିନ ତଦନ୍ତ ଆରମ୍ଭ କରିଛି । ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର କିଛି ଘଣ୍ଟା ପୂର୍ବରୁ ଗୃହ ବିଭାଗର ପ୍ରମୁଖ ସଚିବ ଅସୀତ କୁମାର ତ୍ରିପାଠୀ ଓ ପୁଲିସ୍ ମହାନିର୍ଦ୍ଧେଶକ (ଡିଜିପି) ସଂଜୀବ ମାରିକ୍ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଆଇଜି ଆର୍ପି କୋଚେଙ୍କ ରିପୋର୍ଟ ଆସିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେଆର କରନ୍ତୁ:



Powered by odothemes.com