ପତ୍ନୀଙ୍କ ଜମି, ଚିଙ୍ଗୁଡି ଘେରିର ଭିଜିଲାନ୍ସ ତଦନ୍ତ

31

କୋଣାର୍କ,୧୩ ।୮(ଆପ୍ର):ସାରଥୀ ବିବାଦରେ ଛନ୍ଦି ହୋଇପଡିଥିବା ଆଇପିଏସ୍ ଅଫିସର ଗଜଭିୟେଙ୍କ ପଛରେ କ୍ରାଇମ୍ ବ୍ରାଞ୍ଚ୍ ପଡିଥିବା ବେଳେ ଆଜି ତାଙ୍କ ପତ୍ନୀ ରଞ୍ଜନା ଗଜଭିୟେଙ୍କ ମାଛଚାଷ ପ୍ରକଳ୍ପ ଓ ଜମିକିଣା ପ୍ରସଙ୍ଗରେ ଭିଜିଲାନ୍ସ ଛାନ୍ଭିନ୍ ଆରମ୍ଭ କରିଛି । ଗତକାଲି କ୍ରାଇମ୍ ବ୍ରାଞ୍ଚ୍ର ସ୍ୱତନ୍ତ୍ର ଟିମ୍ ଗଜଭିୟେଙ୍କ ପତ୍ନୀ ରଞ୍ଜନାଙ୍କ ନାମରେ ଗୋପ ତହସିଲ୍ ଅନ୍ତର୍ଗତ ସାନକିଆପାଳ ଓ ବଡକିଆପାଳ ମୌଜାରେ ଥିବା ଜମି ଓ ମାଛ ପୋଖରୀ ଠାବ କରିଥିଲା । ଏହି ଆଧାରରେ ଆଜି ପୁରୀ ଭିଜିଲାନ୍ସ ଟିମ୍ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ବିଭାଗୀୟ ଡିଏସ୍ପି ପିକେ ଦ୍ୱିବେଦୀଙ୍କ ନେତୃତ୍ୱରେ ଗୋପ ଅତିରିକ୍ତ ତହସିଲ୍ଦାର ଉମାକାନ୍ତ ନାୟକ ଓ ସରକାରୀ ଅମିନ ସାନକିଆପାଳ ଓ ବଡକିଆପାଳରେ ପହଞ୍ଚି ସରଜମିନ୍ ତଦନ୍ତ ଆରମ୍ଭ କରିଥିଲେ । ସେମାନେ ରଞ୍ଜନା ମାଛଚାଷ କରୁଥିବା ପୋଖରୀ ନିକଟରେ ପହଞ୍ଚି ସଂପୃକ୍ତ ଜମିର ମାପଚୁପ କରିଥିଲେ । ଦୀର୍ଘ ୩ କିମି ପରିବ୍ୟାପ୍ତ ପୋଖରୀକୁ ୮ଜଣ ରାଜସ୍ୱ କର୍ମଚାରୀ ୬ ଘଣ୍ଟା ଧରି ମାପଚୁପ କରିଥିଲେ । ଏହି ମାପରେ ମୋଟ ୭୦ ଏକର ଜମିରେ ମାଛଚାଷ ହୋଇଥିବା ଜଣାପଡିଥିଲା । ଇତ୍ୟବସରରେ ସ୍ଥାନୀୟ ଲୋକେ ସରକାରୀ ଉଠା ଜଳସେଚନ ହୋଇଥିବା ସ୍ଥାନରେ ପୋଖରୀ ଖୋଳାହୋଇଛି ବୋଲି ଅଭିଯୋଗ କରିଥିଲେ । କୋରୁଆଳ ଗାଁର ନଟବର କଅଁର ତାଙ୍କ କିଆପାଳ ଜମିରେ ବିନା ଅନୁମତିରେ ପୋଖରୀ ଖୋଳା ଯାଇଥିବା ଅଭିଯୋଗ କରିଥିଲେ । ସେହିପରି ସ୍ୱର୍ଗତ ହଟ କଅଁରଙ୍କ ପତ୍ନୀ କମଳି ବେୱା ମଧ୍ୟ ଅନୁରୂପ ଅଭିଯୋଗ କରିଥିଲେ । ତାଙ୍କର ଅଜ୍ଞାତସାରରେ ପୁଅଠାରୁ ଜମି କୌଶଳରେ ଜମି ମାଫିଆ ହାତେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଇତ୍ୟବସରରେ ବରିଷ୍ଠ ଆଇନ୍ଜିବୀ ଓ ସାମାଜିକ କର୍ମୀ ସୁଧୀର ମହାନ୍ତି ବେଆଇନ୍ ଜବରଦଖଲକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରିଥିଲେ । ମାପ ହୋଇଥିବା ବିବାଦୀୟ ଜମିର ସ୍ଥିତି କ’ଣ ବୋଲି ଭିଜିଲାନ୍ସ ଡିଏସପିଙ୍କୁ ପଚାରିବାରେ ସେ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ । ତେବେ ଗଜଭିୟେଙ୍କ ପତ୍ନୀ ରଞ୍ଜନାଙ୍କ ନାମରେ ୬.୭୫.୧/୨ ଏକର ଜମି ଦଲିଲ୍ ହୋଇଥିବା ଜଣାପଡିଛି । ଅବଶିଷ୍ଟ ୩୦ରୁ ୪୦ ଏକର ଜମି ଭିନ୍ନଭିନ୍ନ ବ୍ୟକ୍ତିଙ୍କ ନାମରେ କିଣାଯାଇଥିବା ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି ।

ସେଆର କରନ୍ତୁ:



Powered by odothemes.com