ବିଧାନସଭା ଗୃହ କମିଟିର ପୁରୀ ଗସ୍ତ

26

ପୁରୀ, ୧୧ା୮(ଆପ୍ର):ବିଧାୟକ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ତଫସିଲଭୁକ୍ତ ଜାତି ଓ ଜନଜାତି ସମ୍ପର୍କିତ ବିଧାନସଭା ଗୃହ କମିଟି ଆଜି ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିଛି । କମିଟିର ସଦସ୍ୟମାନେ ଅସ୍ତରଙ୍ଗ, କାକଟପୁର ଓ କୋଣାର୍କ ଅଞ୍ଚଳ ଗସ୍ତ କରିବା ପରେ ସର୍କିଟ ହାଉସ୍ଠାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ସହ କମିଟି ସଦସ୍ୟ ଶଶିଭୂଷଣ ବେହେରା, ଦୁର୍ଯୋଧନ ମାଝି, ପ୍ରକାଶ ଚନ୍ଦ୍ର ବେହେରା, କିଶୋର ତରାଇ ଓ ସୁରେନ୍ଦ୍ର ସେଠୀ ପ୍ରମୁଖ ୮ ଜଣିଆ ସଦସ୍ୟ ଆଜି କୋଣାର୍କର ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ଥିବା ବିପଦସଂକୁଳ କୋଠା ଅବସ୍ଥା ଅନୁଧ୍ୟାନ କରିବା ସହ ବିଦ୍ୟାଳୟର ଉପସ୍ଥାନ, ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ୭୦ ପ୍ରତିଶତ ତଫସିଲଭୁକ୍ତ ଜାତି ଓ ଜନଜାତିର ପିଲାମାନେ ଅଧ୍ୟୟନ କରୁଥିବା କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିଦର୍ଶନ ଅବସରରେ ଛାତ୍ରାବାସ ନିର୍ମାଣ ପାଇଁ ଗୃହ କମିଟି ନିକଟରେ ଦାବି ହୋଇଥିଲା । କମିଟି କୋଣାର୍କସ୍ଥିତ କଲ୍ୟାଣ ବିଭାଗର ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ସୌଧର ନବୀକରଣ ପାଇଁ କମିଟିର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗୃହ କମିଟି କାକଟପୁରର ବଲରା ଆଶ୍ରମ ସ୍କୁଲ ପରିଦର୍ଶନ କରିଥିଲେ । ବିଦ୍ୟାଳୟର ବିପଦସଂକୁଳ ଅବସ୍ଥାରେ ଥିବା ଗୃହକୁ ତୁରନ୍ତ ଭାଙ୍ଗିଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧେଶ ଦେଇଥିଲେ । କମିଟି କାକଟପୁର ମଙ୍ଗଳା ମହାବିଦ୍ୟାଳୟ, ଅସ୍ତରଙ୍ଗ ବ୍ଲକର ନଗର ଓ ଆଳଙ୍ଗପୁର ପଞ୍ଚାୟତ ପରିଦର୍ଶନ କରିଥିଲେ । ଏହି ୨ ପଞ୍ଚାୟତରେ ବାସ କରୁଥିବା ୮୦ ପ୍ରତିଶତ ମତ୍ସ୍ୟଜୀବୀ ତଫସିଲଭୁକ୍ତ ଜାତିର ହୋଇଥିଲେ ମଧ୍ୟ ସେମାନଙ୍କୁ ଆଧାରକାର୍ଡ ମିଳିନଥିବା କମିଟି ନଜରକୁ ଆସିଥିଲା । ତୁରନ୍ତ ସେମାନଙ୍କୁ ଆଧାରକାର୍ଡ ଯୋଗାଇଦେବାକୁୁ ଜିଲ୍ଲା ପ୍ରଶାସନକୁ କମିଟି ନିର୍ଦ୍ଧେଶ ଦେଇଥିଲା । ଏଥି ସହିତ ସେମାନଙ୍କୁ ରିହାତି ମୂଲ୍ୟରେ ଜାଲ ଓ ଡଙ୍ଗା ଯୋଗାଇ ଦେବାପାଇଁ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ କମିଟି ପରାମର୍ଶ ଦେଇଛି । ଗସ୍ତ ସମୟରେ ଦୁଇ ପଞ୍ଚାୟତରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକମାନେ କମିଟିର ଦୃଷ୍ଟି ଆକର୍ଷଣ କରିଥିଲୋ । ଏତଦ୍ବ୍ୟତୀତ ଅଧିବାସୀମାନେ ଦୀର୍ଘ ଦିନ ଧରି କୌଣସି ଋଣ ପାଇନଥିବା କମିଟି ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କମିଟି ସଦସ୍ୟମାନେ ସର୍କିଟ ହାଉସ୍ଠାରେ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ । ହିତାଧିକାରୀଙ୍କୁ ଗୁରତ୍ୱ ଦେଇ ଯୋଜନାକୁ ସଠିକ୍ଭାବେ କାର୍ଯ୍ୟକାରୀ କରିବାକୁ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧେଶ ଦିଆଯାଇଛି । ପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନେ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିବେ ବୋଲି ଜଣାଯାଇଛି ।

ସେଆର କରନ୍ତୁ:



Powered by odothemes.com