ପରଲୋକରେ ପ୍ରଫେସର ମିଶ୍ର

GANESWAR-MISHRA-(4)

ଭୁବନେଶ୍ୱର, ୧୦ା୮(ବୁ୍ୟରୋ): ବିଶିଷ୍ଟ ଶିକ୍ଷାବିତ୍, ସାହିତି୍ୟକ, ଦୈନିକ ଖବରକାଗଜ ‘ସମାଜ’ର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦକ, ‘ପ୍ରମେୟ’ର ପ୍ରତିଷ୍ଠାତା ସମ୍ପାଦକ ତଥା ଉକ୍ରଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ଦୁଇଦଶନ୍ଧିରୁ ଊଦ୍ଧ୍ୱର୍କାଳ ପ୍ରଫେସର ଥିବା ଗଣେଶ୍ୱର ମିଶ୍ର (୭୨)ଙ୍କର ଆଜି ପୂର୍ବାହ୍ନ ସାଢେ ୪ଟାରେ ଦେହାନ୍ତ ହୋଇଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିବାବେଳେ ପରିବାରବର୍ଗ ଉପସ୍ଥିତ ଥିଲେ । ଦୁଇ ବର୍ଷ ଧରି ପ୍ରଫେସର୍ ମିଶ୍ର କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତୁ୍ୟରେ ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ଇଂରାଜୀ ଭାଷାରେ ଅଧ୍ୟାପନା ସହିତ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ରଚନା କରି ସେ ରାଜ୍ୟ ତଥା ରାଜ୍ୟ ବାହାରର ବୁଦ୍ଧିଜୀବୀ ମହଲରେ ସୁପରିଚିତ ଥିଲେ । ଏକଦା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ଅଳଙ୍କୃତ କରିଥିବା ପ୍ରଫେସର୍ ମିଶ୍ର ଇଂରାଜୀ ଭାଷାରେ ୩୦ଟି, ଓଡ଼ିଆରେ ୫୦ଟି ପୁସ୍ତକର ରଚୟିତା । ଏହା ବ୍ୟତୀତ ତାଙ୍କ ଆଲେଖ୍ୟ ବିଭିନ୍ନ ପ୍ରମୁଖ ଖବରକାଗଜରେ ଆଦୃତ ହୋଇଥିଲା ।
୧୯୪୨ ଅକ୍ଟୋବର ୨୮ରେ ପୁରୀରେ ଜନ୍ମଗ୍ରହଣ କରିଥିବା ପ୍ରଫେସର୍ ମିଶ୍ର ୧୯୬୫ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଅଧ୍ୟାପନା ଆରମ୍ଭ କରିଥିଲେ । ୧୯୭୮ରେ ଇଂଲଣ୍ଡର କେଣ୍ଟ୍ ବିଶ୍ୱବିଦ୍ୟାଳୟରେ ସେ ଇଂରାଜୀ ଓ ଆମେରିକୀୟ ସାହିତ୍ୟରେ ଦୀର୍ଘ ଗବେଷଣା କରିଥିଲେ । ୧୯୮୬ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷାର ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୨୦୦୨ ମସିହାରେ ଇଂରାଜୀ ଭାଷାର ପ୍ରାଧ୍ୟାପକ ରୂପେ ଅବସର ଗ୍ରହଣ କରିବା ପରେ ୨୦୦୫ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ପଦ ଅଳଙ୍କୃତ କରିଥିଲେ । ୨୦୦୬ ମସିହାରେ ଦୈନିକ ଖବରକାଗଜ ‘ସମାଜ’ର ପରିଚାଳନା ସଂପାଦକ ଭାବେ ଯୋଗ ଦେଇ ଗଣମାଧ୍ୟମ ଜଗତରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଥିଲେ । ୨୦୧୦ ମସିହାରେ ଦୈନିକ ଖବରକାଗଜ ‘ପ୍ରମେୟ’ର ସଂପାଦକ ଭାବେ ଯୋଗ ଦେଇ ଏହାକୁ ରାଜ୍ୟର ଅଗ୍ରଣୀ ସମ୍ବାଦପତ୍ରରେ ପରିଣତ କରିଥିଲେ । ଏଥିସହିତ ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରକଳ୍ପ କମିଟିର ସଭାପତି ମଧ୍ୟ ରହିଥିଲେ । ଆଫ୍ରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ୍, ହଲାଣ୍ଡ, ଲକ୍ସମବର୍ଗ ସ୍ପେନ୍, ସ୍ୱିଡେନ୍, ଶ୍ରୀଲଙ୍କା ନେପାଳ ଓ ମାଲଦୀଭ୍ସ ପ୍ରଭୃତି ଦେଶ ପରିଭ୍ରମଣ କରି ଏହି ସବୁର ଦେଶର ସାହିତ୍ୟ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ । ପ୍ରଫେସର୍ ମିଶ୍ର ସାହିତ୍ୟ ସୃଷ୍ଟି ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ, ଉକ୍ରଳ ସାହିତ୍ୟ ସମାଜ, ପ୍ରଜାତନ୍ତ୍ର ପ୍ରଚାର ସମିତି, ଧରିତ୍ରୀ, ଉକ୍ରଳ ସମ୍ମାନ, ବାଗ୍ଦେବୀ ସମ୍ମାନ, ଆର୍ତ୍ତତ୍ରାଣ ସ୍ମୃତି ସମ୍ମାନ ଭଳି ଅନେକ ପୁରସ୍କାର ଲାଭ କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ସାହିତ୍ୟ କ୍ଷେତ୍ରରେ ଫେଲୋସିପ୍ ଲାଭ କରିଥିଲା ବେଳେ ଇଂଲଣ୍ଡର କେଣ୍ଟ୍ ବିଶ୍ୱବିଦ୍ୟାଳୟ ତରଫରୁ ମଧ୍ୟ ସମ୍ମାନିତ ହୋଇଥିଲେ । ଏଥିସହିତ ସାର୍କ ଲେଖକ ସମ୍ମିଳନୀ ଓ ବି୍ରଟିଶ୍ ବ୍ରଡକାଷ୍ଟିଂ କାଉନସିଲ୍ ତରଫରୁ ମଧ୍ୟ ପ୍ରଫେସର୍ ମିଶ୍ର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇଥିଲେ । ବୟସ୍କମାନଙ୍କ ପାଇଁ ସାହିତ୍ୟ ରଚନା କରୁଥିଲେ ମଧ୍ୟ ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରରେ ଅନେକ ଉପାଦେୟ ପୁସ୍ତକ ରଚନା କରି ପ୍ରଫେସର୍ ମିଶ୍ର ଶିଶୁମହଲରେ ଲୋକପ୍ରିୟତା ହାସଲ କରିଥିଲେ । ପ୍ରଫେସର୍ ମିଶ୍ରଙ୍କର ରଚିତ ଓଡ଼ିଆ ପୁସ୍ତକ ମଧ୍ୟରେ ‘ସାମୁଦ୍ରିକ’, ‘ଅନ୍ଧାରର ଲୁହ’, ‘ଆରୋହୀ’, ‘ନେତା’, ‘ସକାଳର ମୁହଁ’, ‘ତିନୋଟି ଉପନ୍ୟାସ’, ‘ସକାଳର ମୁହଁ’, ‘ମୃତୁ୍ୟ ପରେ ଜୀବନ’, ‘ଅନ୍ଧାର’, ‘ମଧୁମିଶ୍ରଙ୍କ ଶବ’ ଅନ୍ୟତମ । ଇଂରାଜୀ ପୁସ୍ତକ ମଧ୍ୟରେ ‘ଭଏସ୍ ଏଗନେଷ୍ଟ୍ ଦ ଷ୍ଟୋନ୍’, ‘ଫୋକ୍ ଟେଲ୍ସ ଅଫ୍ ଓଡ଼ିଶା’, ‘ଦ ହୋଲି ମ୍ୟାନ୍’, ‘ଫ୍ରିଡମ୍ ଫାଇଟର୍ସ ଅଫ୍ ଓଡ଼ିଶା’, ‘ଏ ଟେଷ୍ଟ୍ ଅଫ୍ କାଲାପାନି’, ‘ଦ ଲାଇଫ୍ ଏଣ୍ଡ୍ ଡେଥ୍ ଅଫ୍ ମିଷ୍ଟର୍ ମସ୍କିଟୋ’ ଅନ୍ୟତମ । ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ ପ୍ରଫେସର୍ ମିଶ୍ର ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଶିଶୁ ଲେଖା, ଫିଚର୍, ଅନୁବାଦ, ଭ୍ରମଣକାହାଣୀ, ଆତ୍ମଜୀବନୀ ସହିତ ସଂପାଦନା ବିଭାଗରେ ମଧ୍ୟ ସକ୍ରିୟ ଥିଲେ । ପ୍ରଫେସର୍ ମିଶ୍ରଙ୍କ ବିୟୋଗରେ ଓଡ଼ିଶା ଜଣେ ଶିକ୍ଷାବିତ୍, ସାହିତି୍ୟକ ତଥା ସାମ୍ବାଦିକତାର ଉଜ୍ଜ୍ୱଳ ବ୍ୟକ୍ତିତ୍ୱଙ୍କୁ ହରାଇଲା । ଗଜପତିନଗରର ପ୍ରଫେସର୍ ମିଶ୍ରଙ୍କ ବାସଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁ, ଖାଦ୍ୟ, ଯୋଗାଣ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ କୁମାର ଦାସବର୍ମା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ଶେକ୍ ମତଲୁବ ଅଲ୍ଲୀ, ସାହିତି୍ୟକ ଅଧ୍ୟାପକ ବିଶ୍ୱରଂଜନ, ‘ସର୍ବସାଧାରଣ’ ସଂପାଦକ ଡ. ହରପ୍ରସାଦ ପରିଛା ପଟନାୟକ, ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ସାହିତି୍ୟକ ହରପ୍ରସାଦ ଦାସ, ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା, ସୌରୀବନ୍ଧୁ କର, ଦାଶ ବେନହୁର, ପରେଶ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଶବାଧାର ନିକଟରେ ସ୍ୱର୍ଗତ ମିଶ୍ରଙ୍କ ପତ୍ନୀ ସୁରଙ୍ଗିଣୀ ମିଶ୍ର, ତିନି ପୁଅ ସୁବ୍ରତ, ସାନନ୍ଦ, ସନ୍ଦୀପ ଓ ଚାରି ପୁତ୍ରବଧୂଙ୍କ ସମତେ ନାତିନାତୁଣୀ ଉପସ୍ଥିତ ଥିଲେ ।