ଶିିକ୍ଷକ ମହାସଂଘ ପକ୍ଷରୁ ହରତାଳ | ସର୍ବସାଧାରଣ ଖବରକାଗଜ
naya1

ଶିିକ୍ଷକ ମହାସଂଘ ପକ୍ଷରୁ ହରତାଳ

19

ନୟାଗଡ଼,୧୦ା୮(ଆପ୍ର):ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ତାଲବନ୍ଦ ଆନ୍ଦୋଳନ କରାଯାଇଛି । ଏହି କ୍ରମରେ ହଜାର ହଜାର ସଂଖ୍ୟକ ଶିକ୍ଷକ ଏବଂ କର୍ମଚାରୀମାନେ ବିଦ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସାମନାରେ ସୋମବାର ଦିନ ବିକ୍ଷୋଭ ଏବଂ ପ୍ରତିବାଦ ସଭା କରିଥିଲେ । ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସାମନାରୁ ଶିକ୍ଷକମାନଙ୍କର ଏକ ବିଶାଳ ଶୋଭାଯାତ୍ରା ଦିନ ୧୨ଟାରୁ ବାହାରି ସହର ପରିକ୍ରମା କରିବା ସହ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସାମନାରେ ପହଞ୍ଚି ଜାତୀୟ ରାଜପଥକୁ ଅବରୋଧ କରିବା ସହ ପ୍ରତିବାଦ ସଭା କରାଯାଇଥିଲା ।ଏଥିରେ ଜିଲ୍ଲାର ୭୨ଟି ବ୍ଲ୍କଗ୍ରାଣ୍ଟ୍ ହାଇସ୍କୁଲ ଏବଂ ୩୦ଟି ଏମ୍ଇ ସ୍କୁଲର ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଥିଲେ । ଜିଲ୍ଲାର ୮ଟି ବ୍ଲକରେ ନୟାଗଡ଼ ବ୍ଲକର ୬ଟି ହାଇସ୍କୁଲ ଏବଂ ୬ଟି ଏମ୍ଇ ସ୍କୁଲ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଖଣ୍ଡପଡ଼ାର ୧୦ଟି ହାଇସ୍କୁଲ ଏବଂ ୨ଟି ଏମ୍ଇ ସ୍କୁଲ୍,ଭାପୁରର ୨ଟି ହାଇସ୍କୁଲ ଏବଂ ୩ଟି ଏମ୍ଇ,ଦଶପଲ୍ଲାର ୮ଟି ହାଇସ୍କୁଲ ଏବଂ ଗୋଟିଏ ଏମ୍ଇ,ରଣପୁରର ୧୬ଟି ହାଇସ୍କୁଲ ଏବଂ ୧୦ଟି ଏମ୍ଇ,ଓଡ଼ଗାଁର ୧୦ଟି ହାଇସ୍କୁଲ ଏବଂ ୩ଟି ଏମ୍ଇ,ନୂଆଗାଁର ୮ଟି ହାଇସ୍କୁଲ ଏବଂ ୫ଟି ଏମ୍ଇ ତଥା ଗଣିଆ ବ୍ଲକର କେବଳ ୨ଟି ବ୍ଲକ ଗ୍ରାଣ୍ଟ୍ ହାଇସ୍କୁଲ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦାବି ମଧ୍ୟରେ ବ୍ଲକଗ୍ରାଣ୍ଟ୍ ପ୍ରଥା ଉଚ୍ଛେଦ, ଶତପ୍ରତିଶତ ପ୍ରତ୍ୟକ୍ଷ ଅନୁଦାନ, ୪୦ ହଜାର ଶିକ୍ଷକ ଓ କର୍ମଚାରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା,୧୯୯୪ ଅନୁଦାନ ଆଇନ୍ ଲାଗୁ କରିବା,ଜ ଗଣଶିକ୍ଷକ,ଶିକ୍ଷା ସହାୟକ,ଚୁକ୍ତିଭତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା,ନୂତନ ସମୟ ନିଘଣ୍ଟ ପ୍ରତ୍ୟାହାର କରିବା,ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ପଞ୍ଚାୟତ ହାତକୁ ନଟେକିବା ଆଦି ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ବ୍ଳକଗ୍ରାଣ୍ଟ୍ଣ୍ଟ ପ୍ରଥା ଉଚ୍ଛେଦ ଦାବିରେ ସଂଘ ପକ୍ଷରୁ ୪୫ ଦିନ ଧରି ତାଲାବନ୍ଦ ଆନ୍ଦୋଳନ ଚାଲିଥିଲା ।ଅଗଷ୍ଟ ମାସରେ ବ୍ଲକଗ୍ରାଣ୍ଟ୍୍ ଉଚ୍ଛେଦ ହେଲା ବୋଲି ବିଧାନସଭାରେ ସରକାର ଘୋଷଣା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ କରାଯାଇନଥିଲା ।ଜିଲ୍ଲା ବିଦ୍ୟାଳୟ ଶିକ୍ଷକ ମହାସଂଘ ସଭାପତି ଦଣ୍ଡପାଣି ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ବିକ୍ଷୋଭ ସମାବେଶରେ ବ୍ଲକଗ୍ରାଣ୍ଟ୍ ଶିକ୍ଷକ ସଂଘ ପକ୍ଷରୁ ମାଣିକେଶ୍ୱର ସ୍ୱାଇଁ, ଓଷ୍ଟା ପକ୍ଷରୁ କିଶୋର ଚନ୍ଦ୍ର ପରମଗୁରୁ,କମୁ୍ୟନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣନୀତିର ତୀବ୍ର ସମାଲୋଚନା କରିଥିଲେ । ଆସନ୍ତା କାଲିଠାରୁ ଜିଲ୍ଲାର ସମସ୍ତ ୮ଟି ବ୍ଳକରେ ପ୍ରତ୍ୟହ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।




Powered by odothemes.com