ପ୍ରସାଦଙ୍କ ‘ମୁଁ ନୁହେଁ ଆମେ’ ଟିମ୍ରେ ୧୭୯ ନେତା

32

ଭୁବନେଶ୍ୱର, ୧ ।୮(ବୁ୍ୟରୋ): ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ପ୍ରସାଦ ହରିଚନ୍ଦନ ନିଯୁକ୍ତି ହେବାର ୭ମାସ ପରେ ଆଜି ତାଙ୍କର ଜୁମ୍ବୋ ଟିମ୍ ଘୋଷଣା କରିଛନ୍ତି । ମୁଖପାତ୍ର ଓ ବିଭିନ୍ନ ସେଲ୍ର ଅଧ୍ୟକ୍ଷଙ୍କୁ ବାଦ ଦେଲେ ପ୍ରସାଦଙ୍କ କମିଟିରେ ୧୭୯ ଜଣ ନେତାଙ୍କୁ ସ୍ଥାନିତ କରାଯାଇଛି । ଦଳତ୍ୟାଗୀମାନଙ୍କୁ କମିଟିରେ କାର୍ଯ୍ୟକର୍ତ୍ତା କରାଇ ପୁରସ୍କୃତ କରାଯାଇଥିବା ବେଳେ ବରିଷ୍ଠ ନେତା, ୪୨ ଜଣ ପୂର୍ବତନ ବିଧାୟକ, ଏଥର ନିର୍ବାଚନ ଜିଣିଥିବା ୧୬ ବିଧାୟକ ଓ ଦଳର ଏକମାତ୍ର ରାଜ୍ୟସଭା ସାଂସଦଙ୍କୁ ମଧ୍ୟ କମିଟିରେ ସ୍ଥାନିତ କରାଯାଇଛି । କାହାର ଯେଭଳି ମନଦୁଃଖ ନହେବ ସେଥିପ୍ରତି ପିସିସି ସଭାପତି ବେଶ୍ ଧ୍ୟାନ ଦେଇଛନ୍ତି ଓ ସେ ଆରମ୍ଭ କରିଥିବା ‘ମୁଁ ନୁହେଁ ଆମେ’ ସ୍ଲୋଗାନ୍କୁ କଥାରେ ନୁହେଁ କାର୍ଯ୍ୟରେ ପରିଣତ କରିବାକୁ ଚେଷ୍ଟା କରିଛନ୍ତି ।
ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ଅନୁମୋଦନ କ୍ରମେ ଓଡ଼ିଶା କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦଙ୍କ ଦ୍ୱାରା ପ୍ରକାଶିତ ପିସିସିରେ ୧୦ ଜଣ ଉପସଭାପତି, ୨୫ ଜଣ ସାଧାରଣ ସଂପାଦକ, ୩୭ ଜଣ ସଂପାଦକ, ୫୫ ଜଣ ସଙ୍ଗଠନ ସଂପାଦକ, ପ୍ରଥମ କରି ସୃଷ୍ଟି ହୋଇଥିବା ରାଜନୈତିକ ସଂପାଦକ ପଦବିରେ ୫ଜଣ, ସମନ୍ୱୟ କମିଟିରେ ୨୩ ଜଣ, ୨୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ, ଶୃଙ୍ଖଳାଗତ କମିଟିରେ ୭ଜଣ ସଭ୍ୟ, ଓ ୧୦ ଜଣ ଜିଲ୍ଳା କଂଗ୍ରେସ କମିଟି ସଭାପତି,୨୫ ଜଣିଆ କାର୍ଯ୍ୟନିର୍ବାହୀ କମିଟିର ଘୋଷଣା କରାଯାଇଛି । ଏହାଛଡ଼ା ଆଇନ୍ ଓ ମାନବିକ ଅଧିକାର ସେଲ୍ର ଅଧ୍ୟକ୍ଷ ଭାବେ ଧରଣୀଧର ନାୟକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୩ଜଣଙ୍କୁ ମୁଖପାତ୍ର ଓ ଦୁଇଜଣଙ୍କୁ ସୋସିଆଲ ମିଡ଼ିଆ ଦାୟିତ୍ୱରେ ରଖାଯାଇଛି । ଉପସଭାପତି ଭାବେ ବିଜୟଲକ୍ଷ୍ମୀ ସାହୁ, ପ୍ରଦୀପ ମାଝୀ, ରଞ୍ଜୀବ ବିଶ୍ୱାଳ ଓ ରବିନ୍ଦ୍ର ସେଠୀଙ୍କୁ ସମେତ ୧୦ ଜଣ ସ୍ଥାନ ପାଇଛନ୍ତି । ମହମ୍ମଦ ମୋକିମ୍ଙ୍କୁ ପିସିସିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟସଭା ନିର୍ବାଚନରେ ଅନୁପସ୍ଥିତ ରହି ଦଳ ମୁହଁରେ କଳା ବୋଳି ବିଜେପିରୁ ବହିଷ୍କୃତ ହୋଇଥିବା ଭୀମସେନ ଚୌଧୁରୀ ଗତ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ । ତାଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡ଼ିରୁ ଲୋକସଭା ଆସନ ପାଇଁ ଟିକଟ ନେବା ଲାଗି ଚେଷ୍ଟା କରି ଶେଷରେ ବିଫଳ ହୋଇଥିବା ହମିଦ୍ ହୁସେନ୍ ଓ ସିପିଆଇ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ବିଭୂ ପ୍ରସାଦ ତରାଇଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ସମନ୍ୱୟ କମିଟିରେ ବିରୋଧୀଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳର ଉପନେତା ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମାହାପାତ୍ର, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକଙ୍କ ସମେତ ୨୩ ଜଣ ବରିଷ୍ଠ ନେତା ଅଛନ୍ତି । ବରିଷ୍ଠ କଂଗ୍ରେସ ନେତା ଡ଼ମ୍ବରୁଧର ଉଲାକାଙ୍କ ଅଧ୍ୟକ୍ଷତାରେ ୭ଜଣିଆ ଶୃଙ୍ଗଳାଗତ କମିଟି ଗଠନ କରାଯାଇଛି ।
ତେବେ ପିସିସି ପକ୍ଷରୁ ପ୍ରକାଶିତ ପ୍ରେସ ଇସ୍ତାହାରରେ ଦର୍ଶାଯାଇଛି, ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ପ୍ରତିନିଧିତ୍ୱ ରହିଥିବା ବେଳେ ଆଞ୍ଚଳିକ ବୈଷମ୍ୟ ଦୁର କରିବା ପାଇଁ ଚେଷ୍ଟା କରାଯାଇଛି । ଏହି ତାଲିକାରେ ପଶ୍ଚିମ ଓଡ଼ିଶାରେ ୪୪ ଜଣ ପ୍ରତିନିଧିତ୍ୱ କରୁଥିବା ବେଳେ ଦକ୍ଷିଣ ଓଡ଼ିଶାରେ ୨୨ ଜଣ ଅଛନ୍ତି । ୮୦% ନୂଆ ମୁହଁ ସ୍ଥାନ ପିସିସିରେ ସ୍ଥାନ ପାଇଛନ୍ତି । ଏହି କମିଟିରେ ୭୭ ଜଣ ୪୦ ବର୍ଷରୁ କମ ବୟସ୍କ ସଦସ୍ୟ ଅଛନ୍ତି । ସବୁ ବର୍ଗର ପ୍ରତିନିଧିତ୍ୱକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆଦିବାସୀ ବର୍ଗରୁ ୧୧ ଜଣ ଥିବା ବେଳେ ଦଳିତ ୧୪ , ସଂଖ୍ୟାଲଘୁ ୧୨ ଏବଂ ଅନ୍ୟ ପଛୁଆବର୍ଗ ୩୮ ଜଣଙ୍କୁ କମିଟିରେ ସୁଯୋଗ ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com