ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡ଼ିଜି

nirakar-1

ରାଷ୍ଟ୍ରପତିଙ୍କ ଗସ୍ତ ୭ରେ
ନିରାକାରପୁର,୧/୮(ଆପ୍ର): ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସନ୍ତା ୭ ତାରିଖରେ ଯୋଗ ଦେଉଛନ୍ତି ।ଏଥିପାଇଁ ଆଜି ପୁଲିସ ଡ଼ିଜି ସଞ୍ଜୀବ ମାରିକ ସୁରକ୍ଷା ବ୍ୟବସ୍ଥା କରିବା ପୂର୍ବରୁ ପ୍ରାଥମିକ ପ୍ରଦର୍ଶନ କରିଛନ୍ତି । ଶ୍ରୀ ମାରିକ ଦିନ ୧୨ଟାବେଳେ ରାମେଶ୍ୱର ଆସି ସୁରକ୍ଷା ଦାୟିତ୍ୱ ସମେତ ଅନ୍ୟାନ୍ୟ କାର୍ଯ୍ୟର ତଦାରଖ କରିଥିଲେ ।ସେ ପ୍ରସ୍ତାବିତ ସଭାସ୍ଥଳ, ମଞ୍ଚ, ଗମନାଗମନର ସୁବିଧା, ହେଲିପ୍ୟାଡ଼ ଓ ନିମନ୍ତ୍ରିତ ଅତିଥିଙ୍କ ଅନୁମତି ପତ୍ର ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଦାୟିତ୍ୱରେ ଥିବା ବିଭିନ୍ନ ସରକାରୀ ଅଫିସରମାନଙ୍କୁ ଏସଂପର୍କରେ ପଚାରି ବୁଝିଥିଲେ ।ଏହି ପରିଦର୍ଶନ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ ଉପସ୍ଥିତ ଥିଲେ ।ରାଷ୍ଟ୍ରପତିଙ୍କ ଗସ୍ତକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସମସ୍ତ କାର୍ଯ୍ୟ ତ୍ୱରାନିତ କରାଯାଉଛି ଓ ଠିକ ସମୟରେ ସବୁ ଶେଷ ହୋଇଯିବ ବୋଲି ସେ ଡିଜିପିଙ୍କୁ ସୂଚନା ଦେଇଥିଲେ । ଖୋର୍ଦ୍ଧା ଏସପି ଦିଲ୍ଲିପ କୁମାର ଦାସ,ବାଲୁଗାଁ ଏସଡ଼ିପିଓ ରାଜକିଶୋର ପାଇକରାୟଙ୍କ ସମେତ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବହୁ ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।