ସଚେତନତା ହେପାଟାଇଟିସ୍ରୁ ମୁକ୍ତି ଦେବ | ସର୍ବସାଧାରଣ ଖବରକାଗଜ
SUM-HOSPITAL-O-BHARAT-SCAUTS-O-GUIDES-RA-MILITA-SAHOJOGA-RE--BISWA-HEPATITIES-DIBASA-PALANA-ABASA-RA-RE-JAN-SCHETNT-KARYAKRAMA-(2)

ସଚେତନତା ହେପାଟାଇଟିସ୍ରୁ ମୁକ୍ତି ଦେବ

23

ଭୁବନେଶ୍ୱର,୨୮ ।୭(ବୁ୍ୟରୋ): ସଚେତନ ହେଲେ ମଣିଷ ହେପାଟାଇଟିସ୍ ଭଳି ମାରାତ୍ମ ରୋଗରୁ ମୁକ୍ତି ପାଇପାରିବ । ହେପାଟାଇଟିସ୍ ମୁକ୍ତ ସମାଜ ଗଠନ ହେବ । ଏମିତି ଲକ୍ଷ୍ୟ ଆଉ ଉଦ୍ଧେଶ୍ୟ ନେଇ ଲୋକଙ୍କୁ ସଚେତନ କରିବାକୁ ଆଜି ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି । ସ୍କାଉଟ୍ସ ଗାଇଡ୍ ମୁଖ୍ୟାଳୟଠାରୁ ଶୋଭାଯାତ୍ରା ବାହାରି ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ବିଭିନ୍ନ ସ୍କୁଲର ସ୍କାଉଟସ୍ ଗାଇଡ୍ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ । ଛାତ୍ରଛାତ୍ରୀମାନେ ହେପାଟାଇଟିସ୍ ରୋଗର ଭୟାବହତା ସମ୍ପର୍କରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ । ଶୋଭାଯାତ୍ରା ପୂର୍ବରୁ ସ୍କାଉଟସ୍ ଗାଇଡ୍ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ ହସ୍ପିଟାଲ ଅଧୀକ୍ଷକ ଡା. ପି.କେ ମହାନ୍ତି ଯୋଗଦେଇ ହେପାଟାଇଟିସ୍-ବି ରୋଗ ନେଇ ସଚେତନ ହେବାକୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ଏଥିସହିତ ଅବଦୁଲ କଲାମଙ୍କ ସମ୍ପର୍କରେ ଉଦାହରଣ ଦେଇ ଛାତଛାତ୍ରୀଙ୍କୁ ତାଙ୍କ ଆଦର୍ଶରେ ଆନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସମ୍ ହସ୍ପିଟାଲର ପେଟ ଓ ଯକୃତ ବିଭାଗର ମୁଖ୍ୟ ପ୍ରଫେସର ଡା.ମନୋଜ ସାହୁ ରୋଗର ଭୟାବହତା ଓ ଏହାର ଚିକିତ୍ସା ସୁବିଧା ନେଇ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶ୍ରୀ ସାହୁ କହିଲେ, ଲିଭର୍ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହେପାଟାଇଟିସ୍ ବି ଭୂତାଣୁ ଆକ୍ରମଣ ଯୋଗୁ ହିଁ ଅଧିକାଂଶ ଲିଭର୍ ରୋଗ ଦେଖାଯାଇଥାଏ । ହେଲେ ଏହି ରୋଗରେ ପୀଡିତ ଲୋକେ ଯଦି ଠିକ୍ ସମୟରେ ପରୀକ୍ଷା କରି ରୋଗ ଚିହ୍ନଟ କରାଇ ପାରିବେ, ତେବେ ଏଥିରୁ ମୁକ୍ତି ମିଳିପାରିବ । ହେପାଟାଇଟିସ୍ ବି ପାଇଁ ଟୀକା ଏବେ ବଜାରରେ ଉପଲବ୍ଧ ରହିଛି । ସମ୍ ହସ୍ପିଟାଲ ହେଉଛି ଭାରତର ଏକମାତ୍ର ଘରୋଇ ହସ୍ପିଟାଲ ଯେଉଁଠାରେ ଲୋକଙ୍କୁ ମାଗଣାରେ ହେପାଟାଇଟିସ୍ ପରୀକ୍ଷା ସହ ଟୀକାକରଣ ମାଗଣାରେ କରାଯାଉଛି । ସେହିପରି ହେପାଟାଇଟିସ୍ ଇ ଟୀକା ମଧ୍ୟ ଏବେ ବାହରି ସାରିଲାଣି । ଏବେ ଏହା ଚାଇନାରେ ଉପଲବ୍ଧ ରହୁଥିବା ବେଳେ ଭାରତରେ ଖୁବ୍ଶୀଘ୍ର ଉପଲବ୍ଧ ହୋଇ ପାରିବ । ହସ୍ପିଟାଲ ପକ୍ଷରୁ ପ୍ରତ୍ୟେକ ମାସରେ ସ୍କୁଲ ଓ ଗ୍ରାମକୁ ଯାଇ ଲୋକଙ୍କୁ ହେପାଟାଇଟିସ୍ ଭୟାବହତା ନେଇ ସଚେତନ କରାଯାଉଥିବାର ଶ୍ରୀ ସାହୁ କହିଛନ୍ତି । ବୈଠକ ଆରମ୍ଭରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସମ୍ମାନ ଉଦ୍ଧେଶ୍ୟରେ ସ୍କାଉଟ୍ସ ଓ ଗାଇଡମାନେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ରାଜେଶ ପ୍ରଧାନ, ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ କମିଶନର କାଳି ପ୍ରସାଦ ମିଶ୍ର, ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ।




Powered by odothemes.com