୩୦ ଲକ୍ଷ ଶ୍ରମିକଙ୍କୁ କଲ୍ୟାଣ ବୋର୍ଡ ପଞ୍ଜିକୃତ କରିବ

sramika-sahayata

ଭୁବନେଶ୍ୱର,୨୩ା୭(ବୁ୍ୟରୋ): ରାଜ୍ୟ ସାମାଜିକ ସୁରକ୍ଷା ପ୍ରଦାନରେ ଆଗୁଆ । ଏବେ ୬ ଲକ୍ଷରୁ ୭ ଲକ୍ଷ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି । ଆଗାମୀ ଦିନର ୩୦ ଲକ୍ଷ ପଞ୍ଜୀକୃତ ପାଇଁ ଶ୍ରମିକ କଲ୍ୟାଣ ବୋର୍ଡ ଲକ୍ଷ୍ୟ ରଖିଛି । ଏଥିସହିତ ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ କହିଛନ୍ତି । ଆଜି ସ୍ଥାନୀୟ ନୟାପଲ୍ଲୀ ଶ୍ରମିକ ପେଣ୍ଠସ୍ଥଳୀ ଠାରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସି.ସି.ଡବ୍ଲୁ୍ୟ.ଡି., ଆକ୍ସନ୍ ଏଡ୍ ଓ ୟୁରୋପିଆନ୍ କମିଶନଙ୍କ ମିଳିତ ଆନୁକୂଲ୍ୟରେ ଶ୍ରମିକ ସହାୟତା କେନ୍ଦ୍ରର ଉଦ୍ଘାଟନ ଓ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ଯୋଗଦାନ କରି ଶ୍ରମିକମାନେ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତାକୁ ଜାଣିବା ଓ କଲ୍ୟାଣ ବୋର୍ଡରେ ପଞ୍ଜିକୃତ ହେବା ପାଇଁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଆକ୍ସନ୍ ଏଡ୍ର ପୋଗ୍ରାମ୍ ମ୍ୟାନେଜର ଘାସିରାମ ପଣ୍ଡା କହିଲେ ଯେ, ପ୍ରତ୍ୟେକ ଶ୍ରମିକ ସ୍ଥଳୀରେ ସମସ୍ତ ସୁବିଧା ପ୍ରଦାନ କରାଯିବା ଜରୁରୀ । ଫଳରେ ଶ୍ରମିକମାନଙ୍କର ସଶକ୍ତିକରଣ ହୋଇପାରିବ । ଶ୍ରମିକମାନଙ୍କର ଏକ ତଥ୍ୟ କମିଶନରେଟ୍ ପୁଲିସ ପାଖରେ ରହିବା ଦ୍ୱାରା ସେମାନେ ଶୋଷଣରରୁ ବିରତ ହେବେ । ଅନ୍ୟତମ ଅତିଥି ଭାବରେ, ଏଆଇସିସିଟିୟୁର ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ମହେନ୍ଦ୍ର ପରିଡା କହିଲେ ଯେ, ପ୍ରତ୍ୟେକ ନିର୍ମାଣ ଶ୍ରମିକ ନାମ ପଞ୍ଜୀକରଣ କରିବା ଜରୁରୀ । ଉକ୍ତ ଶ୍ରମିକ ସହାୟତା କେନ୍ଦ୍ର ଶ୍ରମିକମାନଙ୍କର ନାମ ପଞ୍ଜୀକରଣ ଓ ଶ୍ରମିକମାନଙ୍କୁ ସଚେତନତା କରାଇବା ଦିଗରେ ସହାୟକ ହୋଇପାରିବ ବୋଲି ଶ୍ରୀ ପରିଡା ଆଶାବ୍ୟକ୍ତ କରିଥିଲେ । କମିଶନରେଟ୍ ପୁଲିସ୍ର ଏ.ସି.ପି (କ୍ରାଇମ୍) ଲକ୍ଷ୍ମୀଧର ମହାପାତ୍ର ଯୋଗଦେଇ କହିଲେ ଯେ, କର୍ମକ୍ଷେତ୍ରରେ କୌଣସି ଅସୁବିଧା ହେଲେ ନିକଟସ୍ଥ ଥାନାରେ ଯୋଗାଯୋଗ କରିବା ଆବଶ୍ୟକ । ପୁଲିସ୍ ତରଫରୁ ସମସ୍ତ ସାହାଯ୍ୟ ପ୍ରଦାନ କରାଯିବ । ପୂର୍ବତନ କର୍ପୋରେଟର୍ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପ୍ରତ୍ୟେକ ଶ୍ରମିକ ଭାଇ ଓ ଭଉଣୀ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ଉପରେ ଗୁରୁତ୍ୱାରୋପ କରିଥିଲେ । ସିସିଡବ୍ଲୁ୍ୟଡିର ସଂପାଦକ ସଦାଶିବ ସ୍ୱାଇଁ ସଭାପତିତ୍ୱ କରି କହିଲେ ଯେ, ଶ୍ରମିକ ସହାୟତା କେନ୍ଦ୍ରରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଫର୍ମ, ପଞ୍ଜୀକରଣର ଆବଶ୍ୟକତା, ପଞ୍ଜୀକୃତ ଶ୍ରମିକମାନଙ୍କ ନିମନ୍ତେ ପ୍ରଦନ ସୁବିଧା ସୁଯୋଗ ଉପରେ ଜାଣିବା, ଆବଶ୍ୟକୀୟ କାଗଜପତ୍ର, ପାନୀୟ ଜଳର ସୁବିଧା ପାଇଁ ପ୍ରତ୍ୟେକ ମାସରେ ୨ଥର ଅସ୍ଥାୟୀ କ୍ୟାମ୍ପ ଆକାରରେ ପରିଚାଳିତ ହେବ । ଏହି କେନ୍ଦ୍ର ମାଧ୍ୟମରେ ଶ୍ରମିକମାନେ ସଚେତନ ଓ ଶିକ୍ଷିତ ହୋଇପାରିବେ । ସାମାଜିକ ସୁରକ୍ଷାର ବାସ୍ତବ ରୂପାୟନ ହୋଇପାରିବ । ବିଶେଷ କରି ଗୃହହୀନ ଶ୍ରମିକମାନଙ୍କୁ ରାତ୍ରୀ ଆଶ୍ରୟସ୍ଥଳୀରେ ରହଣି ନିମନ୍ତେ ପ୍ରୋତ୍ସାହିତ କରିବା ଉପରେ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଶେଷରେ ସନ୍ତାପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସହାୟତା କେନ୍ଦ୍ରରେ ୫୦ ଜଣ ଶ୍ରମିକ ନିର୍ଦ୍ଧାରିତ ଫର୍ମ ପୂରଣ କରିଛନ୍ତି । ଆଗାମୀ ଦିନରେ ଭୁବନେଶ୍ୱରର ବିଭିନ୍ନ ଶ୍ରମିକ ପେଣ୍ଠସ୍ଥଳୀରେ କ୍ୟାମ୍ପ ପଡିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି । କାର୍ଯ୍ୟକ୍ରମକୁ ଅଶୋକ ଗୋଚ୍ଛୀ, ମାନସ ରଞ୍ଜନ ପ୍ରଧାନ, ମୃଣ୍ମୟୀ ମିଶ୍ର, ରେଣୁବାଳା ସାହୁ ପ୍ରମୁଖ ପରିଚାଳନା କରିଥିଲେ ।