୩୦ କୋଟି ବ୍ୟୟରେ ବସ୍ତି ଥଇଥାନ ଯୋଜନା

bhumi-puja-BY-BMC-FOR-SLUM-RESETTELMENT

ଭୁବନେଶ୍ୱର,୨୨ା୭(ବୁ୍ୟରୋ): ରାଜୀବ ଆବାସ ଯେଜନାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ଲାଗି ଚନ୍ଦ୍ରଶେଖରପୁର ନିକଟ ମଣ୍ଡପ ବସ୍ତିରେ ୩୮୪ ଘର ନିର୍ମାଣ ହେବ । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସମେତ ପର୍ଯ୍ୟଟନ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର ଓ ଡେପୁଟି ମେୟରଙ୍କ ଉପସ୍ଥିତିରେ ଯୋଜନାର ଶିଳାନ୍ୟାସ ହୋଇଛି । ନିର୍ମାଣ ହେବାକୁ ଥିବା ଘରେ ମଣ୍ଡପ ବସ୍ତି ଓ ମୁଣ୍ଡା ସାହିରେ ବସବାସ କରୁଥିବା ପରିବାରଙ୍କୁ ଥଇଥାନ କରାଯିବ । ଆସନ୍ତା ଦେଢ ବର୍ଷ ମଧ୍ୟରେ ଘର ନିର୍ମାଣ ଶେଷ କରିବାକୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ସହ ବିଏମସି ଅନୁବନ୍ଧିତ ହୋଇଛି । ଉପରୋକ୍ତ ସଂଖ୍ୟକ ଘର ନିର୍ମାଣ ପାଇଁ ସମୁଦାୟ ୩୦ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ପ୍ରତି ବ୍ଲକ୍ ପାଇଁ ୩୩୩୭.୬୫ ବର୍ଗମିଟର ଜମି ହିସାବରେ ମୋଟ ୫ଟି ବ୍ଲକରେ ୩୮୪ ପରିବାରଙ୍କୁ ଥଇଥାନ କରାଯିବ । ନିର୍ମାଣ ହେବାକୁ ଥିବା ଘର ପାଇଁ ମୋଟ ୧୦, ୮୭୦ ବର୍ଗର୍ମିଟର ଜମି ଆବଶ୍ୟକ ରହିଛି । ଘର ବ୍ୟତିତ ଏଠାରେ ୧୭ଶହ ବର୍ଗ ମିଟର ପାର୍କିଂ ସ୍ଥାନ, ୨୬୮୦ ବର୍ଗ ମିଟର ପାର୍କ ଓ କମୁ୍ୟନିଟି ହଲ ନିର୍ମାଣକୁ ମିଶାଇ ସମୁଦାୟ ୧୬, ୬୮୮.୨୫ ବର୍ଗମିଟର ସ୍ଥାନ ରହିଥିବା ବିଏମ୍ସି ବୈଷୟିକ ଟିମ୍ ସୂଚନା ଦେଇଛି । ସେହିପରି ପରବର୍ତ୍ତୀ ସମୟରେ ଆବଶ୍ୟକ ଅନୁଯାୟୀ ଯୋଜନାକୁ ପରିବର୍ଦ୍ଧିତ କରିବାକୁ ଅତିରିକ୍ତ ୮, ୫୬୬.୯ ବର୍ଗମିଟର ସ୍ଥାନ ଛଡାଯାଇଛି । ଯୋଜନାର ଶିଳାନ୍ୟାସ ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ କହିଲେ, ନବୀନ ପଟ୍ଟନାୟକ ସରକାରଙ୍କ କେତେକ ଜନ ମଙ୍ଗଳ ଯୋଜନା ମଧ୍ୟରୁ ଏହା ଅନ୍ୟତମ । ବସ୍ତି ବାସିନ୍ଦାଙ୍କ ପାଇଁ ଘର ନିର୍ମାଣ ସହରାଞ୍ଚଳ ବିକାଶ ଯୋଜନାକୁ ସମୃଦ୍ଧ କରିବ ବୋଲି ସେ କହିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଳାନ୍ୟାସ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମଧ୍ୟମ ବିଧାୟକ ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।