ପୁଣି କଂଗ୍ରେସ କନ୍ଦଳ ଦିଲ୍ଲୀ ଦରବାରରେ

15

ଭୁବନେଶ୍ୱର, ୨୧ ।୭(ବୁ୍ୟରୋ): ଦିଲ୍ଲୀଗସ୍ତରେ ଥିବା ରାଜ୍ୟ କଂଗ୍ରେସର ୧୨ ଜଣ ବିଧାୟକ ଆଜି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପୃଥକ ପୃଥକ ଭାବେ ସାକ୍ଷାତ କରିଛନ୍ତି । ସାକ୍ଷାତକୁ ସୌଜନ୍ୟମୂଳକ ବୋଲି ସଂପୃକ୍ତ ବିଧାୟକମାନେ କହୁଥିବା ବେଳେ ବିଧାନସଭାର ମୌସୁୂମୀ ଅଧିବେଶନ ପୂର୍ବରୁ ସେମାନଙ୍କ ଅଚାନକ ଦିଲ୍ଲୀଗସ୍ତ ଓ ହାଇକମାଣ୍ଡଙ୍କୁ ସାକ୍ଷାତ ଯେ ଧାରାବାହିକ କାର୍ଯ୍ୟକ୍ରମ ନୁହେଁ, ତାହାର ସୁରାକ୍ ମିଳିଛି ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ମନ୍ତବ୍ୟରୁ । ସେ କହିଛନ୍ତି, ବିରୋଧୀଦଳ ମୁଖ୍ୟ ସଚେତକ ପଦବୀରୁ ତାରା ବାହିନିପତିଙ୍କୁ ହଟାଇ ତାଙ୍କ ସ୍ଥାନରେ ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ ନିଯୁକ୍ତି ଦେବା ଉଦ୍ଧେଶ୍ୟରେ ଏମାନେ ଦିଲ୍ଲୀରେ । ତେବେ ହାଇକମାଣ୍ଡ ସେମାନଙ୍କ କଥାକୁ କେତେ ଗୁରୁତ୍ୱ ଦେବେ ତାହା ପରେ ଜଣାପଡିବ । ତେବେ ଏମାନେ ବିରୋଧୀ ଦଳ ନେତାଙ୍କୁ ହଟାଇବା ମସୁଧାରେ ନାହାନ୍ତି ବୋଲି ଲୁଲୁ ଜୋର୍ ଦେଇ କହିଛନ୍ତି । ସେ ଶୁଣିଛନ୍ତି ଯେ ଏହି ବିଧାୟକମାନେ କେବଳ ମୁଖ୍ୟ ସଚେତକଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କୁ ଅବଗତ କରାଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଗୋଷ୍ଠୀକନ୍ଦଳଗ୍ରସ୍ତ କଂଗ୍ରେସ ଗତ ୧୫ ବର୍ଷ ମଧ୍ୟରେ ବିଧାନସଭା ପ୍ରତିନିଧିତ୍ୱକୁ ୪୬ରୁ ୧୬କୁ ଖସିଥିଲେ ମଧ୍ୟ ନେତାଙ୍କ ପୁରୁଣା ପ୍ରବୃତ୍ତି ଏବେ ବି ବଳବତ୍ତର ।
ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟ ବିରୋଧୀ କଂଗ୍ରେସ ବିଧାୟକ ଦଳରେ ଦେଖାଯାଇଥିବା ଫାଟର ପ୍ରଭାବ ଯେ ସରକାରଙ୍କୁ ସୁହାଇବ ତାହା ଜଳଜଳ ହୋଇ ଦିଶିଲାଣି । କାରଣ ଏଥର ସରକାରଙ୍କ ବିରୋଧରେ ଅନେକ ପ୍ରସଙ୍ଗ ରହିଛି । ଅଧିବେଶନ ପୂର୍ବରୁ ନେତୃତ୍ୱ କନ୍ଦଳ ଘରେ ନପଶୁୂଣି ଚାଳ ବାଜିଲା ଭଳି ପରିସ୍ଥିତି ସୃଷ୍ଟି କରିଥିବାରୁ ଏହାକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାରେ ମୁଖ୍ୟ ବିରୋଧୀଦଳ ଯେ ବିଫଳ ହେବ ଏହା ହିଁ ତାହାର ପ୍ରାକ୍ ସୂଚନା ।
ତେବେ ସୂଚନା ମୁତାବକ, ଉଭୟ ବିରୋଧୀଦଳ ନେତା ଓ ମୁଖ୍ୟ ସଚେତକଙ୍କ ପରିବର୍ତ୍ତନ ସହ ତୁରନ୍ତ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର କର୍ମକର୍ତ୍ତା ଘୋଷଣା ଓ ରାଜ୍ୟରେ ସଙ୍ଗଠନର ସ୍ଥିିତି ସଂପର୍କରେ ଏହି ବିଧାୟକମାନେ ହାଇକମାଣ୍ଡଙ୍କୁ ଅବଗତ କରାଇଛନ୍ତି । ଏହାଛଡ଼ା ସଙ୍ଗଠନ ଓ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ଏବଂ ବିଧାୟକଙ୍କୁ ଦଳୀୟ କାର୍ଯ୍ୟରେ ପ୍ରଧାନ୍ୟ ଦେବା ନେଇ ମଧ୍ୟ ଆଲୋଚନା କରାଯାଇଥିବା ଜଣାଯାଇଛି । ବିଧାୟକଙ୍କ ମତକୁ ଗୁରୁତ୍ୱ ଦିଆଯିବ ବୋଲି ଏଆଇସିସି ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧି ଏହି ବିଧାୟକମାନଙ୍କୁ କହିଥିବା ଜଣାପଡ଼ିଛି । ବିଧାୟକ ନବ ଦାସ କହିଛନ୍ତି, କାହାକୁ ବାହାର କରିବା ବା କାହାକୁ ନିଯୁକ୍ତି ଦେବା ପାଇଁ ଆମେ ଦିଲ୍ଳୀ ଆସି ନଥିଲୁ । କେବଳ ଆମେ ଆମର ନେତାଙ୍କୁ ସାକ୍ଷାତ କରି ସଙ୍ଗଠନ ସଂପର୍କରେ ଅବଗତ କରାଇବା ପାଇଁ ଆସିଥିଲୁ ବୋଲି ସେ କହିଛନ୍ତି ।
କିଛିି ଦିନର ନିରବତା ପରେ ପୁଣି କଂଗ୍ରେସରେ ନେତୃତ୍ୱ କନ୍ଦଳ ଆରମ୍ଭ ହୋଇଛି । ୨୦୧୪ ଡ଼ିସେମ୍ବର ୧୫ରେ ପିସିସି ସଭାପତିଭାବେ ପ୍ରସାଦ ହରିଚନ୍ଦନ ନିଯୁକ୍ତ ହେଲା ପରେ ରାଜ୍ୟ କଂଗ୍ରେସ ନେତାଙ୍କ ଦିଲ୍ଲୀ ଦଉଡ଼ ଆପତତଃ ବନ୍ଦ ହୋଇ ଯାଇଥିଲା । ତେବେ ପୁଣି ୭ମାସ ପରେ ଏହି ପୁରୁଣା ରୋଗ ଲେଉଟିଛି । ଗତ ସପ୍ତାହରେ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଓ ବିରୋଧୀଦଳ ନେତା ନରସିଂହ ମିଶ୍ର ଦିଲ୍ଲୀ ଯାଇ ଏଆଇସିସି ଉପାଧ୍ୟକ୍ଷ ଶ୍ରୀ ଗାନ୍ଧିଙ୍କୁ ସାକ୍ଷାତ କରି ଫେରିଥିଲେ । ଏମାନଙ୍କ ସହ ଦଳର ଅନ୍ୟ କୌଣସି ବିଧାୟକ କି ବରିଷ୍ଠ ନେତା ଯାଇ ନଥିଲେ । ସପ୍ତାହ ପରେ ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତ ବହୁ କଳ୍ପନାଜଳ୍ପନା ସୃଷ୍ଟି କରିଛି । ବିଧାନସଭା ଅଧିବେଶନ ହେଉ ବା ନିର୍ବାଚନ ପାଖେଇ ଆସିଲେ ରାଜ୍ୟ କଂଗ୍ରେସ ନେତା ମାନେ ଦିଲ୍ଲୀ ଦଉଡ଼ି ଥାନ୍ତି । ସାଙ୍ଗଠନିକ ଦୁର୍ବଳତା ହେଉ ବା ଅପକର୍ମ ଲାଗି ୨୦୦୦ ମସିହାରୁ ରାଜ୍ୟରେ କଂଗ୍ରେସ କ୍ଷମତାଚୁ୍ୟତ । କେବଳ ସେତିକି ନୁହେଁ ପ୍ରତି ନିର୍ବାଚନରେ ସେମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ୨୦୦୦ରେ କଂଗ୍ରେସର ୪୬ ଜଣ ବିଧାୟକ ଥିଲା ବେଳେ ଏବେ ଏମାନଙ୍କ ସଂଖ୍ୟା ୧୬ରେ ପହଞ୍ଚିଲାଣି । ତଥାପି ନେତୃତ୍ୱ କନ୍ଦଳ ମାନିଆ ଦଳରୁ ଯାଉ ନାହିଁ ।




Powered by odothemes.com