ଜନ୍ମବେଦିରେ ଶ୍ରୀଜିଉଙ୍କୁ ଅନ୍ନଭୋଗ ଲାଗି

29

ପୁରୀ, ୨୧ା୭(ଆପ୍ର): ଶ୍ରୀଗୁଣ୍ଡିଚା ଠାରୁ ଶ୍ରୀଜିଉମାନଙ୍କୁ ତିନିଦିନ ଧରି ଫଳମୂଳ ସହ ଶୁଖିଲି ଓ ଚକଟା ଭୋଗ କରାଯାଉଥିବା ବେଳେ ଆଜି ଆଡ଼ପ ମଣ୍ଡପରେ ଅନ୍ନଭୋଗ ଲାଗି କରାଯାଇଛି । ଉଲ୍ଲେଖଯୋଗ୍ୟ, ନଅଦିନ ଯାତ୍ରାରେ ବାହାରିଥିବା ନୂତନ ଦାରୁ ବିଗ୍ରହମାନେ ଗତକାଲି ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ବିଜେ କରି ଜନ୍ମବେଦିରେ ଅବସ୍ଥାନ କରିଥିଲେ । ଆଜି ସେଠାରେ ମହାପ୍ରଭୁଙ୍କ ଦୈନଦିନ ନୀତି ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜିଠାରୁ ଅନ୍ନ ମହାପ୍ରସାଦ ଭୋଗ ଉପଲବ୍ଧ ହୋଇଛି । ସୁଆର, ମହାସୁଆର, ସେବକମାନେ ଛେକ ବୋହି ଅନ୍ନ ମହାପ୍ରସାଦ ରାନ୍ଧି ମହାପ୍ରଭୁଙ୍କ ଠାରେ ବାଢିଛନ୍ତି । ପୂଜାପଣ୍ଡା ସେବକମାନେ ପେଞ୍ଚାପଚାରରେ ତାହାକୁ ଭୋଗ ଲଗାଇଛନ୍ତି । ରଥଯାତ୍ରା ପୂର୍ବରୁ ଦେଢମାସ ଧରି ଚତୁର୍ଦ୍ଧାମୂର୍ତ୍ତି ଅନବସରରେ ଥିବା ଯୋଗୁ ପଟ୍ଟି ଦିଅଁଙ୍କ ଠାରେ ମହାପ୍ରସାଦ ଭୋଗ ଲାଗୁଥିଲା । କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଫଳମୂଳ ଭୋଗ କରାଯାଉଥିଲା । ଫଳରେ ଅନେକ ଭକ୍ତ ଅନ୍ନ ମହାପ୍ରସାଦ ଗ୍ରହଣ କରିନଥିଲେ । ଅପରାହ୍ନ ପ୍ରାୟ ୩ଟାବେଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଅନ୍ନ ମହାପ୍ରସାଦ ଭୋଗ କରାଯାଇଥିଲା । ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆନନ୍ଦବଜାରରେ ପ୍ରବେଶ କରି ମହାପ୍ରସାଦ ସେବା କରିଥିଲେ । ଅନେକ ଶ୍ରଦ୍ଧାଳୁ ପିତୃ ପୁରୁଷଙ୍କ ଉଦ୍ଧେଶ୍ୟରେ ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ଭୋଜନ ଦେବା ସହିତ ଦକ୍ଷିଣା ଦାନ କରୁଥିବା ଦେଖିବାକୁ ମିଳିଥିଲା ।




Powered by odothemes.com