ନୂଆ ବସ୍ଷ୍ଟାଣ୍ଡ୍ ପାଲଟିଛି ଡଷ୍ଟ୍ବିନ୍

37

ନୟାଗଡ଼, ୨୧ା୭(ଆପ୍ର): ଦୀର୍ଘ ୨୨ ବର୍ଷ ତଳେ ନୟାଗଡ଼ ଜିଲ୍ଲା ଗଠିତ ହୋଇଥିଲା । ଏହି ଅବଧି ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ଭାବେ ଜନସଂଖ୍ୟା ବୃଦ୍ଧି ଘଟିଥିବା ବେଳେ ଗାଡ଼ିମୋଟର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମୁଖ୍ୟ ସହର ଦେଇ ୫୭ ନମ୍ବର ଜାତୀୟ ରାଜପଥ ଯାଇଛି । ନୟାଗଡ଼ ମୁଖ୍ୟ ସହର କଡେକଡେ ମୁଖ୍ୟ ଚିକିତ୍ସାଳୟ, ବ୍ଲକ ଅଫିସ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସରକାରୀ ହାଇସ୍କୁଲ୍, କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଆଦି ରହିଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୁଖ୍ୟ ସହର ଛକରେ ଥିବା ଅର୍ଦ୍ଧନିର୍ମିତ ପୁରୁଣା ବସ୍ଷ୍ଟାଣ୍ଡ୍ରେ ଯାତ୍ରୀଜନୀତ ସମସ୍ୟା ଦେଖାଯାଇଥିଲା । ଫଳରେ ନୟାଗଡ଼ବାସୀଙ୍କ ବହୁ ଦାବି ଆଗରେ ମୁଣ୍ଡ ନୂଆଇଁ ତତ୍କାଳୀନ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଭାଗବତ ବେହେରା ନୟାଗଡ଼ ପୁରୁଣାସହର ନିକଟସ୍ଥ ଭାଟସାହି ପଞ୍ଚାୟତ ଅନ୍ତର୍ଗତ କଳାହାଣ୍ଡି ମୌଜାଠାରେ ଏକ ନୂତନ ବସ୍ଷ୍ଟାଣ୍ଡ୍ ନିର୍ମାଣ ପାଇଁ ଶୁଭ ଦେଇଥିଲେ । ୨୦୦୩ ମସିହା ଜୁନ୍ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ମନ୍ଦାକିନୀ ବେହେରା ତଥା ରାଜ୍ୟର ବହୁ ବରିଷ୍ଠ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହା ଉଦ୍ଘାଟନ ହୋଇଥିଲା । ମାତ୍ର ୧୨ ବର୍ଷ ପରେ ବି ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ସେହି ପୁରୁଣା ବସ୍ଷ୍ଟାଣ୍ଡ୍ରେ ଯେନତେନ ପ୍ରକାରେ କାମ ଚାଲିଛି । ମଝିରେ ମଝିରେ ନୂଆବସ୍ଷ୍ଟାଣ୍ଡ୍ର ପ୍ରକୃତ କାର୍ଯ୍ୟକ୍ଷମ ପାଇଁ ଆନ୍ଦୋଳନ, ରାସ୍ତାରୋକ ହୋଇଥାଏ । ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ପ୍ରକୃତ ସତ୍ୟାସତ୍ୟ ଅନୁଭବ କରି ଖୁବ୍ଶୀଘ୍ର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନୂଆବସ୍ଷ୍ଟାଣ୍ଡ୍କୁ କାର୍ଯ୍ୟକ୍ଷମ କରାଯିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ । ମାତ୍ର ବାସ୍ତବରେ ଫଳାଫଳ ଶୂନ । କୋଟିକୋଟି ଟଙ୍କା ବ୍ୟୟରେ ଏହି ନବନିର୍ମିତ ବସ୍ଷ୍ଟାଣ୍ଡ୍ଟି ବର୍ତ୍ତମାନ ନୟାଗଡ଼ ଏନ୍ଏସିର ଡଷ୍ଟ୍ବିନ୍ ପାଲଟିଛି । ଏଠାରେ ସମଗ୍ର ନୟାଗଡ଼ରୁ ସଂଗୃହିତ ମଇଳା, ଅପରିଷ୍କାର ପକାଯାଇ ଏକ ପ୍ରଦୂଷିତ ଅଞ୍ଚଳ ଭାବେ ପରିଣତ ହୋଇଯାଇଛି । ଏପରିକି ଏଠାରେ ଜୁଆଡ଼ି, ମଦ୍ୟପ, ନିଶାସେବନକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଗତ ସଡ଼କ ସୁରକ୍ଷା ସପ୍ତାହ ୨୦୧୫ ପାଳନ ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ବହୁବରିଷ୍ଠ ନାଗରିକ, ଜନସାଧାରଣ ଯୋଗଦେଇ ତୁରନ୍ତ ପୁରୁଣା ବସ୍ଷ୍ଟାଣ୍ଡ୍କୁ ନୂଆବସ୍ଷ୍ଟାଣ୍ଡ୍ରେ ସ୍ଥାନାନ୍ତରିତ ପାଇଁ ଦାବି କରିଥିଲେ । ତେବେ ନୟାଗଡ଼ ଜନସାଧାରଣଙ୍କୁ ଟ୍ରାଫିକ୍ଜନୀତ ସମସ୍ୟାରୁ ରକ୍ଷା ପାଇଁ ନୂଆବସ୍ଷ୍ଟାଣ୍ଡ୍କୁ ଶୀଘ୍ର କାର୍ଯ୍ୟକ୍ଷମ ନିମିତ୍ତ ରାଜ୍ୟ ଆଇନ୍ ପଞ୍ଚାୟତି ରାଜମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି ଜଣାଯାଇଛି ।

ସେଆର କରନ୍ତୁ:



Powered by odothemes.com