ସାଂସାରିକ ଜୀବନରେ ଗୀତାର ମହତ୍ତ୍ୱ ଅନେକ: ଗଜପତି

125

ଶୁଦ୍ରମୁନି ଶାରଳା ଦାସଙ୍କ ଓଡିÿଆ ଶ୍ରୀମଦ୍ଭଗବତ୍ ଗୀତା ଉନ୍ମୋଚନ
ଭୁବନେଶ୍ୱର,୨୧ା୭(ବୁ୍ୟରୋ): ସାଂସାରିକ ଜୀବନରେ ଗୀତାର ମହତ୍ତ୍ୱ ଅନେକ । କେବଳ ଯେ ଧାର୍ମିକ ପୋଥି, ପୁରାଣ, ବେଦ, ଜ୍ଞାନ ଓ ଗୀତାର ଆବଶ୍ୟକତା ରହିଛି, ତାହା ନୁହେଁ ମଣିଷ ଶ୍ରୀମଦ ଭଗବତ୍ ଗୀତାକୁ ସ୍ପଷ୍ଟ ଅନୁଭବ କରି ଏହାରି ମୁତାବକ ଚଳିପାରିଲେ ଭାରତବର୍ଷ ପୁଣି ଥରେ ପୂର୍ବ ଗୌରବ ଫେରି ପାଇବା ସହ ଏହା ଯେ ଅତୀତରେ ମୁନି ଋଷିଙ୍କ ଦେଶ ଥିଲା ତାହା ପୁଣିଥରେ ପ୍ରତିପାଦିତ କରିପାରିବ । ଗୀତା ଏକ ଅମୂଲ୍ୟ ପୁସ୍ତକ । ଯେହେତୁ ସାଧାରଣ ଲୋକେ ଗୀତାକୁ ସରଳ ଭାବେ ବୁଝି ପାରୁନାହାନ୍ତି, ସେ କ୍ଷେତ୍ରରେ ଏହା ଏକ ଧାର୍ମିକ ପୁସ୍ତକ ଭାବେ ପୂଜା ପାଇ ଆସୁଛି । ଆଧ୍ୟାମିକ ସାହିତ୍ୟ ତୁଳା ଓ ପାଣିର ସମ୍ପର୍କ ପରି । ଏହାର ଗଭୀର ପ୍ରଦେଶକୁ ପ୍ରବେଶ କଲେ ମଣିଷ ଧୀରେ ଧୀରେ ନିଜର ଅସ୍ତିତ୍ୱକୁ ଅନୁଭବ କରିପାରିବ ବୋଲି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି ।
ସ୍ଥାନୀୟ ଜୟଦେବ ଭବନଠାରେ ଶୁଦ୍ରମୁନି ଶାରଳା ଦାସଙ୍କ କୃତ ଓଡ଼ିଆ ଶ୍ରୀମଦ୍ଭଗବତ୍ ଗୀତାର ଶୁଭ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଗନ୍ନାଥଙ୍କ ଆଦ୍ୟ ସେବକ ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଏହା କହିଛନ୍ତି । ପୁରୀ ଝାଞ୍ଜିପିଟା ମଠର ମହନ୍ତ ବାବାଜୀ ସଚ୍ଚିଦାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ସାହିତି୍ୟକ ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦେଇ କହିଲେ ଯେ, ଓଡ଼ିଆ ଭାଷା ତାର ଅଧିକାର ବଳରେ ଗଙ୍ଗାରୁ କାବେରୀ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବାକୁ ସମର୍ଥ ଥିଲା । ୫୦୦ବର୍ଷ ପୂର୍ବେ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଉକିଳ ଭୂଖଣ୍ଡରେ ଓଡ଼ିଆ ରାଜଭାଷାର ମାନ୍ୟତା ଲାଭ କରିଥିଲା । ଯଦିଓ ସଂସ୍କୃତ ଭାଷାରେ ଗୀତା, ଭାଗବତ ପରି ଗ୍ରନ୍ଥ ରଚନା କରାଯାଇଥିଲା, ସେହି ସମୟରେ ଝଙ୍କଡ ମାଟିର ଶୁଦ୍ରମୁନି ସାରଳା ଦାସ ମହାଭାରତ ରଚନା ସହିତ ଭଗବତ୍ ଗୀତାର ଓଡ଼ିଆ ଅନୁବାଦ କରିଥିଲେ । ଗୀତାରେ ଜୀବନଚର୍ଯ୍ୟାର ସମସ୍ତ ଦିଗ ଉପରେ ଧ୍ୟାନ ଦିଆଯିବା ସହ ସାଧାରଣ ମଣିଷର ଜୀବନ ଜିଜ୍ଞାସାକୁ ସମାଧାନ କରାଯାଇଛି । ତାତ୍ତ୍ୱିକ ଭାବରେ ଗୀତାର ବିଶ୍ଳେଷଣ କଲେ ଏଥିରେ ସମର ବିଜ୍ଞାନଠୁ ଆରମ୍ଭ କରି ଦୈନିକ ଶୃଙ୍ଖଳିତ ଚଳଣିର ଉପାଦେୟ ତଥ୍ୟ ରହିଛି । ଯାହାକୁ ଅନୁସରଣ କଲେ ମାନବ ଜୀବନ ସଫଳ ହୋଇଥାଏ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ଅବସରରେ ମଞ୍ଜୁ ରାୟଙ୍କ ଲିଖିତ ଶ୍ରୀମଦ୍ଭଗବତ୍ ଗୀତା ଓ ସୁନାମଧନ୍ୟ କଣ୍ଠଶିଳ୍ପୀ ଡ. ସୁଚିତା ମହାପାତ୍ର, ସଂଗୀତା ଗୋସାଇଁ ଏବଂ ସୁମିତ୍ରା ମହାପାତ୍ରଙ୍କ ଗୀତା ସିଡିକୁ ମୁଖ୍ୟ ଅତିଥି ଲୋକର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଗୁରୁଚରଣ ରାୟ, ଶିବ ଚିଦାନନ୍ଦ ମହାରାଜା ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଡ. ମୃତୁ୍ୟଞ୍ଜୟ ରଥ ପରିଚାଳନା କରିଥିଲେ ।

ସେଆର କରନ୍ତୁ:



Powered by odothemes.com