ସ୍ମାର୍ଟ ସିଟି ସହିତ ସ୍ମାର୍ଟ ଭିଲେଜ୍ ଚିନ୍ତା କରାଯାଉ

IMG_0169

ଭୁବନେଶ୍ୱର, ୧୭ା୭ (ବୁ୍ୟରୋ): କେବଳ ସହର କଥା ଚିନ୍ତା କଲେ ଦେଶର ବିକାଶ ହେବନାହିଁ । ଗ୍ରାମାଞ୍ଚଳର ବିକାଶକୁ ମଧ୍ୟ ଧ୍ୟାନ ହେବାକୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ମାର୍ଟ ସିଟି ଯୋଜନା ସହିତ ସ୍ମାର୍ଟ ଭିଲେଜ ଯୋଜନା ଆରମ୍ଭ କରିବାକୁ ଉଦ୍ୟମ ହେବା ଆବଶ୍ୟକ ବୋଲି ବିଶିଷ୍ଟ ଲେଖକ ତଥା ‘ଟ୍ରିବୁ୍ୟନ୍’ ପତ୍ରିକାର ପୂର୍ବତନ ସଂପାଦକ ହରି ଜୟସିଂହ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟର ଅଷ୍ଟମ ପ୍ରତିଷ୍ଠା ଦିବସର ମୁଖ୍ୟଅତିଥି ହରି ଜୟସିଂହ ନିଜ ସମ୍ଭାଷଣରେ କହିଲେ, ସମାଜର ଆବଶ୍ୟକତା ଓ ଛାତ୍ରମାନଙ୍କର ଇଚ୍ଛାକୁ ଶିକ୍ଷାନୁଷ୍ଠାନ ସମ୍ମାନ ଦେଇ କାର୍ଯ୍ୟ କରିବା ପାଇଁ ସମୟ ଆସିଛି । ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ଦିଆଗଲେ ଉଭୟ ଛାତ୍ର ଓ ଶିକ୍ଷାନୁଷ୍ଠାନର ଉନ୍ନତି ସମ୍ଭବ ହେବ । ସେହିଭଳି ପାଠପଢା ସହ ଜଡ଼ିତ ସମସ୍ତଙ୍କୁ ନିଜର ଅସୁବିଧା ବାବଦରେ କହିବା ପାଇଁ ସୁଯୋଗ ମିଳିବା ଉଚିତ ବୋଲି ସେ କହିଥିଲେ । ଶ୍ରୀ ଜୟସିଂହ ପରାମର୍ଶ ଦେଲେ ଯେ ଶିକ୍ଷାନୁଷ୍ଠାନଗୁଡିକୁ ବିଦ୍ୟାର ମନ୍ଦିର ଭାବେ ଚିନ୍ତା କରିବା ଦରକାର । ଏଗୁଡିକରେ ନକରାତ୍ମକତା କିମ୍ବା ନିମ୍ନ ଧରଣର ରାଜନୀତିକୁ ସ୍ଥାନ ଦେବା ଅନୁଚିତ । ଏହି ଅବସରରେ ଶ୍ରୀ ଜୟସିଂହ ଭାରତୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ସଂସ୍ଥାନ (ଏଫ୍ଟିଆଇଆଇ)ର ମୁଖ୍ୟ ନିଯୁକ୍ତି ବିବାଦ ବାବଦରେ କହିଥିଲେ । ଶିକ୍ଷାନୁଷ୍ଠାନଗୁଡିକର ମୁଖ୍ୟ ପଦବି ଚୟନ ଯୋଗ୍ୟତା ଭିତ୍ତିରେ କରିବାକୁ ପରାମର୍ଶ ଦେଇଥିଲେ । ଆମ ଦେଶର ୭୦% ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି । ତେଣୁ ସରକାର ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀଙ୍କର ଉନ୍ନତି ପାଇଁ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ତଥା ପ୍ରଧାନମନ୍ତ୍ରୀ କେବଳ ‘ସ୍ମାର୍ଟ ସିଟିଜ୍’ କଥା କହୁଥିବା ବେଳେ ‘ସ୍ମାର୍ଟ ଭିଲେଜ୍’ ବାବଦରେ ମଧ୍ୟ ଚିନ୍ତା କରିବାକୁ କହିଥିଲେ । କୁଳପତି ପ୍ରଫେସର ଅମିତ୍ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶ୍ୱବିଦ୍ୟାଳୟର ଡେପୁଟି ଚେୟାରମ୍ୟାନ୍ ପ୍ରଫେସର ବି.କେ. ସରାଫ ଓ ଗବେଷଣା ନିର୍ଦ୍ଧେଶକ ପ୍ରଫେସର ପି.କେ. ଦାଶଙ୍କୁ ସୋଆର ଅଭିବୃଦ୍ଧିରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ସୋଆର ଅଧ୍ୟାପକ ସ୍ମୃତିରଂଜନ ମହାନ୍ତି ଓ ପାମେଲା ଶତପଥୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକରେ ପ୍ରଫେସର ସରାଫ, ପ୍ରଫେସର ଦାଶ, ଡିନ୍ ରିସର୍ଚ୍ଚ ପ୍ରଫେସର ପି.କେ. ନନ୍ଦ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ ପ୍ରମୁଖ ବକ୍ତବ୍ୟ ରହିଥିଲେ ।