ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି

29

ଭୁବନେଶ୍ୱର,୧୭ା୭(ବୁ୍ୟରୋ): ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ବିଶେଷକରି ନବକଳେବର ଲାଗି ଗତ ତିନି ମାସ ମଧ୍ୟରେ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ବନଯାଗ ଯାତ୍ରାଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ମୋଟ ୭ହଜାର ବିଦେଶୀ ଯାତ୍ରୀ ଆସିଛନ୍ତି । ସେଥିମଧ୍ୟରୁ ୫ହଜାର ଯାତ୍ରୀ କେବଳ ନବକଳେବର ସହ ଜଡିତ ସ୍ଥାନ ଓ ପୁରୀ ଭ୍ରମଣରେ ଆସିଛନ୍ତି । ଗତ ଜୁନ୍ ମାସରେ ଓଡ଼ିଶାକୁ ୨ହଜାର ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ସେହିପରି ଜୁଲାଇ ୧ ରୁ ୧୫ ତାରିଖ ମଧ୍ୟରେ ମୋଟ ୮ଶହରୁ ଉଦ୍ଧ୍ୱର୍ ପର୍ଯ୍ୟଟକ ବିମାନଯୋଗେ ଆସିଥିବା ବେଳେ ସେଥିରୁ ୩ଶହ ଯାତ୍ରୀ ଦୁବାଇ, ଥାଇଲାଣ୍ଡ, ମାଲେସିଆ, ଶ୍ରୀଲଙ୍କା, ଇଂଲଣ୍ଡ ଓ ଜାପାନରୁ ଆସିଥିବା ପର୍ଯ୍ୟଟନ ବିଭାଗ ସୂତ୍ରରୁ ଜଣାପଡିଛି । ବିଦେଶୀ ପର୍ଯ୍ୟଟକଙ୍କ ହିସାବ ରଖିବା ପାଇଁ ବିଭାଗ ତରଫରୁ ରେଳ ଷ୍ଟେସନ ଓ ବିମାନବନ୍ଦରରେ ସ୍ୱତନ୍ତ୍ର କାଉଣ୍ଟର ରହିଛି । ଯେଉଁଠି ପର୍ଯ୍ୟଟକଙ୍କୁ ଓଡ଼ିଶା ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଉଛି ।
ଦୁବାଇରୁ ଓଡ଼ିଶା ଆସିବା ପାଇଁ ଏୟାର ଇଣ୍ଡିଆ ବିମାନର ୬୦% ସିଟ୍ କେବଳ ବିଦେଶୀ ଯାତ୍ରୀଙ୍କ ଦ୍ୱାରା ସଂରକ୍ଷିତ କରାଯାଇଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ସୂଚନା ଦେଇଛି । ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭକୁ ୬ ଦିନ ହୋଇଥିବା ବେଳେ ଇତି ମଧ୍ୟରେ ରାଜ୍ୟକୁ ୧୫୦ ବିଦେଶୀ ଯାତ୍ରୀଙ୍କ ଆଗମନ ହୋଇଛି । ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବିଭାଗ ଆଶା ରଖିଛି । ଏୟାର ଇଣ୍ଡିଆ ବ୍ୟତୀତ ଅନ୍ୟ ୫ଟି ବେସରକାରୀ ବିମାନଗୁଡିକର ସିଟ୍ ମଧ୍ୟ ପ୍ରାୟ ପୂରଣ ହୋଇସାରିଛି । ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟକୁ ଆସୁଥିବା ସମସ୍ତ ବିମାନର ୮୦% ସିଟ୍ ଆସନ୍ତା ଶନିବାର ପର୍ଯ୍ୟନ୍ତ ପୂରଣ ହୋଇଥିବା ଜଣାଯାଇଛି । ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ସୂଚନା ଦିଆଯାଉଛି । ଯାତ୍ରୀଙ୍କୁ ପୁରୀ ନେବା ପାଇଁ ସ୍ୱତନ୍ତ୍ର ଭାବେ ୩୦ଟି ଟାକ୍ସି ବିମାନବନ୍ଦରରେ ରହିଛି । ପର୍ଯ୍ୟଟନ ବିଭାଗ ଦ୍ୱାରା ପ୍ରସ୍ତୁତ ବିଗତ ତିନି ବର୍ଷର ପରିସଂଖ୍ୟାନରୁ ଜଣାଯାଇଛି ଯେ, ୨୦୧୨ରେ ୮୭୭, ୨୦୧୩ରେ ୭୨୮ ଓ ୨୦୧୪ରେ ୯୪୦ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ବିଶେଷ କରି ଏମାନେ ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ଆମ ରାଜ୍ୟକୁ ଆସିଥାନ୍ତି ।

ସେଆର କରନ୍ତୁ:



Powered by odothemes.com