ଓଡିÿଶା-କେନ୍ଦ୍ର ଭାଗୀଦାରୀରେ ରେଳ ବିକାଶ

16-7-2015=1 (1)

ଭୁବନେଶ୍ୱର/ଖୋର୍ଦ୍ଧା/ବୋଲଗଡ, ୧୬ ।୭ (ବୁ୍ୟରୋ): ସ୍ୱାଧୀନତା ପୂର୍ବରୁ ସର୍ଭେ ହୋଇଥିବା ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ମାତ୍ର ୩୨ କି.ମି. ଦୂର ବେଗୁନିଆ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଜି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ବେଗୁନିଆ ଷ୍ଟେସନ୍ରୁ ଖୋର୍ଦ୍ଧାରୋଡ୍ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ଅରୁଣ ସାହୁ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ୟାରୀ ମୋହନ ମହାପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ବୈଷ୍ଣବ ପରିଡା ପ୍ରମୁଖ ପତାକା ହଲାଇ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲେ । ଶ୍ରୀ ପ୍ରଭୁ ମଧ୍ୟ ରିମୋଟ୍ ଜରିଆରେ ବେଗୁନିଆ ରେଳଷ୍ଟେସନ, ଖୋର୍ଦ୍ଧା ଟାଉନ ରେଳ ଷ୍ଟେସନକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଭୁ କହିଲେ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପାଇଁ ୧୯୫ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରାଯାଇଛି । ବେଗୁନିଆରୁ ରାଜସୁନାଖଳା ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଆସନ୍ତା ସେପ୍ଟମ୍ବର ସୁଦ୍ଧା ଶେଷ ହେବ । ସ୍କିଲ୍ ଇଣ୍ଡିଆ ମିଶନ୍ରେ ବେଗୁନିଆରେ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଓଡ଼ିଶାରେ ଖଣିଜ ସଂପଦ ଭରପୂର ଥିବାରୁ ରାଜ୍ୟରେ ରେଳପଥର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଓଡିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ଯୁଗ୍ମ ଉଦ୍ୟୋଗ ବୁଝାମଣା ମାଧ୍ୟମରେ ଯୌଥ ରେଳ ବିକାଶ କଂପାନି ଗଠନ କରାଯିବ । କମ୍ପାନିର ଲାଭାଂଶ କେବଳ ଓଡ଼ିଶା ପ୍ରକଳ୍ପରେ ବିନିଯୋଗ ହେବ । ନିର୍ମାଣାଧୀନ ରେଳପଥ ପ୍ରକଳ୍ପ, ସଂପ୍ରାସରଣ ଓ ଦୋହରୀକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ କରିବା ଲାଗି ପଦକ୍ଷେପ ନିଆଯିବ । ନବକଳେବର ପାଇଁ ଏଥର ପୁରୀକୁ ୨୧୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।
ବେଗୁନିଆକୁ ରେଳ ଚଳାଚଳକୁ ପତାକା ଦେଖାଇ ଉଦ୍ଘାଟନ କରିବା ପରେ କେନ୍ଦ୍ର ମନ୍ତ୍ରୀ ବ୍ରହ୍ମପୁର ରେଳଷ୍ଟେନରେ ଦ୍ୱିତୀୟ ପ୍ରବେଶ ଦ୍ୱାରକୁ ରିମୋଟ୍ ଜରିଆରେ ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ରେଳମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ, ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ରେଳବାଇ ସହ ବୁଝାମଣାପତ୍ର ସ୍ୱାକ୍ଷର କରି ୧୩୩୫ କୋଟି ଟଙ୍କା ବିନିଯୋଗ କରିବେ । କେନ୍ଦ୍ର ସରକାର ୧୦୦୦ କୋଟି ଟଙ୍କା ଦେବେ । ରେଳପଥ ନଥିବା ଦେଓଗଡ଼, କେନ୍ଦ୍ରାପଡ଼ା, ମାଲକାନାଗିରି, ନୟାଗଡ଼, ବୌଦ୍ଧ ଜିଲ୍ଲାକୁ ରେଳପଥ ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଶ୍ରୀ ପ୍ରଭୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ପୂର୍ବ ଭାରତର ବିକାଶ ଲାଗି ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି । ଓଡ଼ିଶାକୁ ଏଥର ରେଳ ବଜେଟ୍ରେ ଅଧିକ ଅର୍ଥ ବରାଦ କରାଯାଇଛି ବୋଲି ସେ କହିଥିଲେ ।