ଆଜି ମାର୍କେଟ ବିଲ୍ଡିଂ ବନ୍ଦ

37

ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ସଂଘ ବିବାଦ
ଭୁବନେଶ୍ୱର,୧୩ା୭(ବୁ୍ୟରୋ): ମାର୍କେଟବିଲ୍ଡିଂରେ ଉଠାଦୋକାନୀଙ୍କ ପୁନର୍ବାର ବ୍ୟବସାୟ ଆରମ୍ଭକୁ କେନ୍ଦ୍ରକରି ଦୁଇ ସଂଘ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏପଟେ ହାଇକୋର୍ଟଙ୍କ ନିର୍ଦ୍ଧେଶ ଓ ବିଏମସିର ଥଇଥାନ ପ୍ରତିଶ୍ରୁତି ଅନୁସାରେ ଉଠାଦୋକାନୀ ବ୍ୟବସାୟୀ ସଂଘ ଏଠାରେ ବ୍ୟବସାୟ ଜାରି ରଖିବାକୁ ଜିଦ୍ରେ ଅଟଳ ରହିଛନ୍ତି । ଅନ୍ୟପକ୍ଷରେ ଉଠାଦୋକାନୀଙ୍କୁ ମାର୍କେଟବିଲ୍ଡିଂରୁ ହଟାନଗଲେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ମଙ୍ଗଳବାର ଠାରୁ ମାର୍କେଟ ବନ୍ଦ ରଖିବାକୁ ନିଷ୍ପତି ନେଇଥିବା ସଂଘ ସମ୍ପାଦକ ପ୍ରଦୁ୍ୟମ୍ନ ଜେନା କହିଛନ୍ତି । ଆଜି ଅନୁଷ୍ଠିତ ବୈଠକରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ କର୍ମକର୍ତ୍ତା ଏଭଳି ନିଷ୍ପତି ନେଇଛନ୍ତି । ଶ୍ରୀ ଜେନା କ୍ୟାପିଟାଲ ଥାନାକୁ ଏବାବଦରେ ଅବଗତ କରିଥିଲେ ମଧ୍ୟ ବିଏମସିର ଅନୁମତି ବିନା ଉଠାଦୋକାନୀଙ୍କୁ ହଟାଯିବନି ବୋଲି ପୁଲିସ୍ କହିଛି । ସେହିପରି ମାର୍କେଟ ବିଲ୍ଡିଂ ପରିସରରେ ବେଆଇନ୍ ଗାଡି ପାର୍କିଂ ଏଠାକୁ ଆସୁଥିବା ଗ୍ରାହକଙ୍କ ଲାଗି ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ସାଧାରଣ ଲୋକଙ୍କ ଯାତାୟତ ଓ ଏଠାକୁ ଆସୁଥିବା ଗ୍ରାହକଙ୍କ ସୁବିଧା ଦୃଷ୍ଟିରୁ ମାର୍ଚ୍ଚ ୧୨ ତାରିଖରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ବିଏମସି ଉଚ୍ଛେଦ ଟିମ୍ ମାର୍କେଟବିଲ୍ଡିଂ ଉଠାଦୋକାନୀଙ୍କୁ ବ୍ୟବସାୟ ସ୍ଥଳରୁ ହଟାଇଥିଲେ । ଉଚ୍ଛେଦକୁ ବେଆଇନ୍ ବର୍ଣ୍ଣନା କରି ଉଠାଦୋକାନୀ ସଂଘ ସେତେବେଳେ କ୍ୟାପିଟାଲ ଥାନାରେ ମାମଲା, ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଏବଂ ଶେଷରେ ମାର୍ଚ୍ଚ ୧୭ରେ ବିଏମସି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଦୀର୍ଘ ଦିନ ଧାରଣାରେ ବସିବା ପରେ ମେୟରଙ୍କ ନିର୍ଦ୍ଧିଷ୍ଟ ପ୍ରତିଶ୍ରୁତି ଅନୁଯାୟୀ ବ୍ୟବସାୟୀମାନେ ଧାରଣାରୁ ହଟିଥିଲେ । କିନ୍ତୁ ଇତିମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ ବିଏମସି କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ପୁନର୍ବାର ସେମାନେ ରବିବାରଠାରୁ ମାର୍କେଟ ବିଲ୍ଡିଂରେ ବ୍ୟବସାୟ ଆରମ୍ଭ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com