ପ୍ରାସାଦ ବିଜେ ନୀତି ସମ୍ପନ୍ନ

25

ପୁରୀ,୧୩ା୭(ଆପ୍ର):ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ପରମ୍ପରା ଅନୁଯାୟୀ ଆଜି ରାଜପ୍ରସାଦ ବିଜେ ନୀତି ସମ୍ପନ୍ନ ହେଇଛି । ସୋମବାର ପ୍ରତୁ୍ୟଷରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ଅବକାଶ ଓ ସକାଳଧୂପ ଆଦି ନୀତି ଶେଷ ହେବା ପରେ ଭୋଗ ମଣ୍ଡପ ଉଠିଥିଲା । ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଖୋଲାଯାଇଥିଲା । ଏହାପରେ ଗଜପତି ମହାରାଜାଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ଅନୁଯାୟୀ ଭଣ୍ଡାର ଘରୁ ରୂପା ଥାଳି ବାହାର କରାଯାଇଥିଲା । ଦଇତାପତିମାନେ ଚାଙ୍ଗଡା ମେକାପଙ୍କ ଠାରୁ ପାଟକନା ନେଇ ରୂପାଥାଳି ଉପରେ ପକାଇଥିଲେ । ଏହାପରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗର ସମସ୍ତ ଦ୍ରବ୍ୟ ଥାଳିରେ ରଖାଯାଇଥିଲା । ପତିମହାପାତ୍ର ଓ ଦଇତାପତିମାନେ ଘଣ୍ଟ, ଛତ୍ରୀ, କାହାଳୀ, ତେଲିଙ୍ଗ ବାଜା ବାଦ୍ୟ ସହ ତଳୁଚ୍ଛ ଓ ପ୍ରଧାନୀଙ୍କ ହାତ ପଇଠ ହୋଇ ରୂପା ଥାଳି ଗୁଡିକୁ ଧରି ଶ୍ରୀମନ୍ଦିରରୁ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥିଲେ । ଦଇତାପତି, ପତିମହାପାତ୍ର, ଦେଉଳକରଣ ପ୍ରମୁଖ ଶ୍ରୀନଅରକୁ ରୂପା ଥାଳିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଚନ୍ଦନ, ପାଟଡୋର, କରାଳ ଚନ୍ଦନ ଆଦି ନେଇ ପହଞ୍ଚିଥିଲେ । ଶ୍ରୀନଅରରେ ଗଜପତି ମହାରାଜାଙ୍କ ଅନୁପସ୍ଥିତ ଯୋଗୁ ଗଜପତିଙ୍କ ସଚିବ ଦଇତାପତି ସେବକମାନଙ୍କୁ ସ୍ୱାଗତ କରିଥିଲେ । ବିଧି ଅନୁଯାୟୀ ଦେଉଳକରଣ, ପତିମହାପାତ୍ର ଦଇତାପତି, ପ୍ରଧାନୀ, ଘଣ୍ଟୁଆ ସେବକଙ୍କ ମୁଣ୍ଡରେ ଶ୍ରୀନଅର ପକ୍ଷରୁ ପାଗ ବନ୍ଧାଯାଇଥିଲା । ରାଜପ୍ରସାଦ ବିଜେ ନୀତି ଶେଷ ହେବା ପରେ ଜୟବିଜୟ ଦ୍ୱାର ଖୋଲାଯାଇ ଶ୍ରୀମନ୍ଦିର ଭିତରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା ।




Powered by odothemes.com