Chief-Minister-Shri-Naveen--Patnaik--announcing-hike-in-honorarium-for-Anganwadi-Workers,-helpers-at-Secretariat-(1)

ବଢ଼ିଲା ପାରିଶ୍ରମିକ

16

ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରୋତ୍ସାହନ, ସାମାଜିକ ନିରାପତ୍ତା ଦେଲେ ନବୀନ
ଭୁବନେଶ୍ୱର, ୧୨ା୧(ବୁ୍ୟରୋ): ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କର ପାରିଶ୍ରମିକକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ପ୍ରାୟ ୧.୪୫ ଲକ୍ଷ ଉପକୃତ ହେବେ । ପିଛିଲା ଭାବେ ୨୦୧୮ ଅକ୍ଟୋବର ପହିଲାରୁ ଏହା ଲାଗୁ ହେବ । ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂପର୍କରେ ଆଜି ନିଷ୍ପତ୍ତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଅଙ୍ଗନୱାଡ଼ି କର୍ମୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ସେମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ସହ ପଦୋନ୍ନତିର ସୁଯୋଗ ମଧ୍ୟ ଦିଆଯାଇଛି ।
ନିଷ୍ପତ୍ତି ସଂପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅଙ୍ଗନୱାଡ଼ି କର୍ମୀମାନେ ପୂର୍ବରୁ ୬ ହଜାର ଟଙ୍କା ପାଉଥିଲେ । ନିଷ୍ପତ୍ତି ଅନୁଯାୟୀ ସେମାନଙ୍କୁ ମାସିକ ୭ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବ । ଯେଉଁଥିରେ ରାଜ୍ୟ ସରକାର ୪୮ ଶହ ଟଙ୍କା ଦେଉଥିବାବେଳେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୨୭ ଶହ ଟଙ୍କା । ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ୪୧୨୫ ଟଙ୍କା ବଦଳରେ ଏଣିକି ମାସିକ ୫୩୭୫ ଟଙ୍କା ପ୍ରଦାନ କରାଯିବ । ରାଜ୍ୟ ସରକାର ୩୨୭୫ ଟଙ୍କା ଦେବେ, କେନ୍ଦ୍ର ସରକାର ତାଙ୍କ ଅଂଶ ବାବଦରେ ୨୧୦୦ ଟଙ୍କା ଦେବେ । ଅଙ୍ଗନୱାଡ଼ି ସହାୟିକାମାନଙ୍କୁ ୩ ହଜାର ପରିବର୍ତ୍ତେ ୩୭୫୦ ଟଙ୍କା ଦିଆଯିବ । ରାଜ୍ୟ ସରକାର ୨୪୦୦ ଟଙ୍କା ଦେଉଥିଲାବେଳେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୧୩୫୦ ଟଙ୍କା । ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ, ସହାୟିକାମାନଙ୍କୁ ୬୦ ବର୍ଷରେ କାର୍ଯ୍ୟରୁ ଅବ୍ୟାହତି ଦିଆଯାଉଥିଲା । ଏହାକୁ ୬୨ ବର୍ଷ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅବ୍ୟାହତି ନେଲାପରେ ଅଙ୍ଗନୱାଡ଼ି କର୍ମୀଙ୍କୁ ସାମାଜିକ ସୁରକ୍ଷା ଲାଗି ୨୦ ହଜାର ଟଙ୍କା, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ୧୫ ହଜାର ଟଙ୍କା ଓ ସହାୟିକାଙ୍କୁ ୧୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ । ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ବର୍ଷକୁ ଥରେ ଖରାଦିନରେ ୧୫ ଦିନର ଛୁଟି ପାଇବେ । ଅଙ୍ଗନୱାଡ଼ି ସୁପରଭାଇଜର ପଦବୀରେ ୫୦%, ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରୁ ପୂରଣ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ହେଉଛନ୍ତି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମର ମେରୁଦଣ୍ଡ ସଦୃଶ । ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ ସଚେତନ । ଏହି ଘୋଷଣା ସମୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com