chandikhol-Cong-photo-4

ବାଟ ହୁଡୁଛି କଂଗ୍ରେସ, ସଙ୍ଗଠନ ଚିନ୍ତାରେ ସୀତାକାନ୍ତ

13

ଚଣ୍ଡିଖୋଲ(ଆପ୍ର): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବଡଚଣାରେ ଅନ୍ୟଦଳ ଭଳି କଂଗ୍ରେସ ସାଂଗଠନିକ କାର୍ଯ୍ୟ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । କଂଗ୍ରେସର ଗୋଷ୍ଠୀ କନ୍ଦଳ ପାଇଁ ଗତ ଦୁଇଟି ନିର୍ବାଚନରେ ଦଳର ପ୍ରାର୍ଥୀମାନେ ଶୋଚନୀୟ ପରାଜୟ ବରଣ କରିଥିଲେ । ତା, ପର ଠାରୁ କଂଗ୍ରେସ ଦଳ ଛାଡି ବହୁ ଛାମୁଆ ନେତା ଓ କର୍ମୀ ବିଜେପି ଓ ବିଜେଡି ଦଳକୁ ଚାଲିଯିବା ପରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଦଳକୁ ପୁନଃ ସଂଗଠିତ କରିବା ପାଇଁ ଉଦ୍ୟମ ଜାରିରଖିଛନ୍ତି । ଶ୍ରୀ ମହାପାତ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁକୁ ଗସ୍ତ କରିବା ସହ ସାଂଗଠନିକ କାର୍ଯ୍ୟକୁ ତୃଣମୂଳସ୍ତରରୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରଖିଥିବାବେଳେ ଦଳ ଭିତରେ ଗୋଷ୍ଠୀ କନ୍ଦଳ କଣ୍ଟା ସାଜୁଥିବା ପରିଲକ୍ଷିତ ହେଉଛି ।
୨ଠଠ୯ରେ ସୀତାକାନ୍ତ ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେେ ଜନ୍ମେଜୟ ଲେଙ୍କା ସ୍ୱାଧୀନ ପ୍ରାର୍ଥୀ ହୋଇ କଣ୍ଟା ସାଜିବାରୁ ସେ ହାରିଥିଲେ । ୨୦୧୪ରେ ଶ୍ରୀ ଲେଙ୍କାଙ୍କୁ ଦଳୀୟ ପ୍ରାର୍ଥୀ କରାଯିବା ପରେ ପୂର୍ବପରି ସୀତାକାନ୍ତଙ୍କ ପୁତ୍ର କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ସ୍ୱାଧୀନ ପ୍ରାର୍ଥୀ ହୋଇ ଲେଙ୍କାଙ୍କ ପାଇଁ ବାଟ ଓଗାଳିଥିଲେ । ରାଜ୍ୟ ପିସିସି ଦାୟିତ୍ୱ ନିରଞ୍ଜନ ପଟ୍ଟନାୟକ ନେବା ପରେ ରାଜ୍ୟରେ କଂଗ୍ରେସ ଚଳଚଞ୍ଚଳ ହୋଇଥିବାବେଳେ ବଡଚଣା ସାଙ୍ଗଠନିକ କାର୍ଯ୍ୟ ଆଗକୁ ନେବା ପାଇଁ ଶ୍ରୀ ମହାପାତ୍ରଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । କିନ୍ତୁ ଦଳ ଭିତରେ ଏବେବି ଗୋଷ୍ଠୀ ବିବାଦ ଲାଗି ରହିଥିବାରୁ ସାଙ୍ଗଠନିକ କାର୍ଯ୍ୟ ତ୍ୱରାନ୍ୱିତ ହେବା ପରିବର୍ତ୍ତେ ଗୋଷ୍ଠୀ ବିବାଦରେ ବିଭାଜିତ ହୋଇଥିବା ଦେଖିବାକୁ ମିଳିଛି ।
ତେବେ ଭୁବନେଶ୍ୱରରେ ଗତ ଦୁଇଟି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ଅମାନତ ହରାଇଥିବା ପୋଷ୍ଟର ବୟ ଭାବେ ପରିଚିତ ଶୁଭେନ୍ଦୁ ମହାନ୍ତି ବଡଚଣା ଉପରେ ନଜର ପକାଇଛନ୍ତି । ଏଠାରେ ତାଙ୍କର ସେଭଳି କୌଣସି ପତିଆରା ନଥିବା ଏବଂ ସାଧାରଣଲୋକଙ୍କ ସହିତ ତାଙ୍କର ସାମାଜିକ ଓ ରାଜନୈତିକ ସମ୍ପର୍କ ନଥିବା ହେତୁ ବଡଚଣାରେ ତାଙ୍କ ଗ୍ରହଣୀୟତା ନେଇ ସନେ୍ଦହ ପ୍ରକାଶ ପାଇଛି । ବଡଚଣାର ବିଭିନ୍ନ ଅଞ୍ଚଳରେ ବଡବଡ ବ୍ୟାନର ଓ ପୋଷ୍ଟର ମାରି ନିଜ ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ସେହିପରି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଜୟ ସାମଲ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ୱପ୍ରକାଶ ସାମଲ, ବଡଚଣାରୁ ଦଳୀୟ ପ୍ରାର୍ଥୀ ହେବାପାଇଁ ଅଣ୍ଟା ଭିଡିଥିବା ବେଳେ ଦଳୀୟ ବିଭାଜନର ଏକ ଆଭାସ ବୋଲି ସାଧାରଣରେ ଆଲୋଚନା ହେଉଛି । ସାଙ୍ଗଠନିକ କାର୍ଯ୍ୟ କରିବା ପାଇଁ ମିଳିମିଶି ଯେତେ ଏକାଠି ବସୁଥିଲେ ବି ପରବର୍ତ୍ତୀ ସମୟରେ ନିଜସ୍ୱ ସଂଗଠନ ସୃଷ୍ଟି କରିବାରେ ଗୁରୁତ୍ୱ ଦେଉଛନ୍ତି । ଅପରପକ୍ଷରେ ସୀତାକାନ୍ତ ବିଧାୟକ ଥିବା ସମୟରେ କରିଥିବା ଅନେକ କାର୍ଯ୍ୟର ଚିଠା ଧରି କର୍ମୀ ଓ ଲୋକଙ୍କ ଆସ୍ଥା ଜିଣିବାକୁ ଉଦ୍ୟମ ଜାରି ରଖିଛନ୍ତି । କଂଗ୍ରେସ ସଂଗଠନ ବାଟ ହୁଡୁଥିବାବେଳେ ସଂଗଠନକୁ ସୁଦୃଢ କରିବା ପାଇଁ ଦାୟିତ୍ୱ ନେଇଥିବା ଶ୍ରୀ ମହାପାତ୍ରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଗାମୀ ଦିନରେ ଅନ୍ୟଦଳ ଅପେକ୍ଷା କଂଗ୍ରେସ କେତେବାଟ ନିଜର ସଂଗଠନକୁ ଆଗେଇ ନେବା ସହ ୨୦୧୯ ନିର୍ବାଚନ ବୈତରଣୀକୁ କେଉଁ ଭଳି ଢଙ୍ଗରେ ପାର ହେବ ତାହା ସମୟ ହିଁ କହିବ ।

ସେଆର କରନ୍ତୁ:



Powered by odothemes.com