cm-Naveen-Patnaik-talking-to-a-beneficiary-at-KALIA-Call-Centre-at-OCAC-(1)

କାଳିଆ କଲ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ

12

ଭୁବନେଶ୍ୱର(ବୁ୍ୟରୋ): ରବିବାରଠାରୁ ୨୪ ଘଣ୍ଟିଆ ‘କାଳିଆ’ କଲ ସେଣ୍ଟର କାର୍ଯ୍ୟକ୍ଷମ ହେବ । ଭୁବେନଶ୍ୱର ସ୍ଥିତ ଓକାକ୍ ସେଣ୍ଟରରେ ଏହି ସେବା ନିରନ୍ତର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟ ସରକାର କାଳିଆ ଯୋଜନା ସମ୍ପର୍କରେ କୃଷକଙ୍କୁ ସୂଚନା ପ୍ରଦାନ କରିବା ନିମନ୍ତେ ନିଃଶୁଳ୍କ କାଳିଆ ହେଲ୍ପଲାଇନ୍ କାର୍ଯ୍ୟକାରୀ କରିଛନ୍ତି । ଗତ ୫ ତାରିଖରେ ଏହି କଲ ସେଣ୍ଟର ସୀମିତ ସମୟ ଅର୍ଥାତ ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉଥିଲା । ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆଚାର୍ଯ୍ୟବିହାର ସ୍ଥିତ ଓକାକ୍ ସେଣ୍ଟରରେ ପ୍ରତିଷ୍ଠିତ କାଳିଆ କଲ ସେଣ୍ଟର ପରଦର୍ଶନ କରି ପରିଚାଳନା ସମ୍ପର୍କରେ ବୁଝିଥିଲେ । ସେଠାରେ ଗଞ୍ଜାମ ଜିଲ୍ଲା ଚିକାଲଖଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବସନପଲ୍ଲୀ ଗ୍ରାମର ବି. ମାଧବସ୍ୱାମୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଲୋକଙ୍କୁ ନିରନ୍ତର ସେବା ଯୋଗାଇଦେବା ଲାଗି ଏହାକୁ ୨୪ ଘଣ୍ଟା ଖୋଲା ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । କାଳିଆ ଯୋଜନା ସମ୍ପର୍କରେ କୃଷକଙ୍କୁ ସୂଚନା ପ୍ରଦାନର ଉତ୍ତମ ମାଧ୍ୟମ ରୂପେ କାଳିଆ ହେଲ୍ପଲାଇନ୍ କାର୍ଯ୍ୟକାରୀ କରାଯାଇଛି । ନିଃଶୁୁଳ୍କ ନମ୍ବର ୧୮୦୦-୫୭୨- ୧୧୨୨ରେ ଫୋନ୍ କରି କୃଷକମାନେ ସେମାନଙ୍କ ଅଭିଯୋଗ ପଞ୍ଜିକରଣ କରିପାରିବେ । ପଞ୍ଚାୟତରେ ପ୍ରକାଶିତ ହିତାଧିକାରୀ ତାଲିକାରେ ଯଦି କୌଣସି ଚାଷୀଙ୍କ ନାମ ନଥିବ ସେଠାରେ ଉପଲବ୍ଧ ସବୁଜ ଫର୍ମ ମାଧ୍ୟମରେ ସଂପୃକ୍ତ ଚାଷୀ ନିଜ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେ । ପଞ୍ଚାୟତ କାର୍ଯ୍ୟାଳୟରେ ଏହି ସବୁଜ ଫର୍ମ ବିନାମୂଲ୍ୟରେ ବହୁଳ ଭାବରେ ଉପଲବ୍ଧ ହେଉଛି । ଫର୍ମ ପାଇଁ କିଛି ଅର୍ଥ ଦେବାକୁ ପଡ଼ିବ ନାହିଁ । ସେହିପରି ଯଦି ଜଣେ ଚାଷୀ ଏହି ଯୋଜନାର ସହାୟତା ପାଇଁ ଯୋଗ୍ୟ ନୁହଁନ୍ତି ତେବେ ସଂପୃକ୍ତ ଚାଷୀ ପଞ୍ଚାୟତରେ ବିନା ମୂଲ୍ୟରେ ଉପଲବ୍ଧ ନାଲିରଙ୍ଗ ଫର୍ମ ପୂରଣ କରି ଦାଖଲ କରିବେ । ଚାଷୀମାନେ ସବୁଜ ଏବଂ ନାଲି ଫର୍ମ ପାଇବା ପାଇଁ ମଧ୍ୟସ୍ତି କିମ୍ବା ଅନ୍ୟ କୌଣସି ସାହାଯ୍ୟ ନନେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।
କାଳିଆ ହେଲ୍ପଲାଇନ୍ ମାଧ୍ୟମରେ ସହାୟତା ପାଇଁ ନିଜ ଚାଷୀମାନେ ନିଜ ଦରଖାସ୍ତ ଫର୍ମ କିପରି ପୂରଣ କରିବେ, ସେହି ସହାୟତା ଫର୍ମ କେଉଁଠି ମିଳିବ ଏବଂ ପୂରଣ କରାଯାଇଥିବା ଫର୍ମ କେଉଁଠି ପକାଇବେ ସେସବୁ ସମ୍ପର୍କରେ ଜାଣିପାରିବେ । ସହାୟତା ପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବା ନିମନ୍ତେ ଯଦି କିଛି ଅସୁବିଧା ହୁଏ ତେବେ କୃଷକମାନେ କାଳିଆ ହେଲ୍ପଲାଇନ୍ରେ ସହାୟତା ନେବା ପାଇଁ କୁହାଯାଇଛି ।

ସେଆର କରନ୍ତୁ:



Powered by odothemes.com