3---kendrapada-samudra-bhitare-gulikanda

ତଟରକ୍ଷୀଙ୍କ ଗୁଳିରେ ଟଳିପଡ଼ିଲେ ମତ୍ସ୍ୟଜୀବୀ

10

ରାଜନଗର/କେନ୍ଦ୍ରାପଡ଼ା/ପାରାଦୀପ(ଆପ୍ର): ସାମୁଦ୍ରିକ କଇଁଚ୍ଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗହୀରମଥା ନିଷିଦ୍ଧାଞ୍ଚଳ ପୁଣି ରକ୍ତରଞ୍ଜିତ ହୋଇଛି । କଇଁଚ୍ଛ ସୁରକ୍ଷା ଦାୟିତ୍ୱରେ ଥିବା ଭାରତ ସରକାରଙ୍କ ତଟରକ୍ଷୀ ବାହିନୀ ଯବାନଙ୍କ ଗୁଳିରେ ଟଳିପଡିଛି ନିରୀହ ମତ୍ସ୍ୟଜୀବୀ ।
ଶୁକ୍ରବାର ରାତିରେ ତଟରକ୍ଷୀ ବାହିନୀର ଯବାନମାନେ କଇଁଚ୍ଛଙ୍କ ସୁରକ୍ଷା ପାଇଁ ପ୍ୟାଟ୍ରୋଲିଂ କରୁଥିବା ସମୟରେ ନିଷିଦ୍ଧାଞ୍ଚଳର ମେଦେଳିମାଉଥ ନିକଟରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର କାନନ ନାମକ ଏକ ଟ୍ରଲରରେ ୯ଜଣ ମତ୍ସ୍ୟଜୀବୀ ମାଛ ଧରୁଥିବା ଦେଖିଥିଲେ । ସେମାନଙ୍କୁ ଘଉଡ଼ାଇବାକୁ ଯାଇ ତଟରକ୍ଷୀ ବାହିନୀ ପକ୍ଷରୁ ପ୍ରଥମେ ସୂଚନା ଦିଆଯାଇଥିଲା । ତାହାକୁ ବେଖାତିର କରିବାରୁ ତଟରକ୍ଷୀବାହିନୀ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଗୁଳିଟି ଟ୍ରଲର ବଦଳରେ ମତ୍ସ୍ୟଜୀବୀ ମାୟାଧର ମଳିକଙ୍କ ଦେହରେ ବାଜିଥିଲା । ମାୟାଧରଙ୍କୁ ଗୁରୁତର ଅବସ୍ଥାରେ ତଟରକ୍ଷୀ ବାହିନୀର ଯବାନମାନେ ଗଭୀର ସମୁଦ୍ରରୁ ପାରାଦ୍ୱୀପସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କ ମୃତୁ୍ୟ ଘଟିଥିଲା ।
ଅନ୍ୟପଟେ ମୃତଦେହକୁ ପାରାଦୀପ ପୋର୍ଟ ମେଡିକାଲରେ ରଖାଯାଇଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ପରିବାରବର୍ଗଙ୍କୁ ଦେଖାଉନଥିବା ମୃତକଙ୍କ ଭାଇ ଓ ଶଳା ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ୨୪ ଘଣ୍ଟା ପୂରିବାକୁ ଯାଉଥିଲେ ମଧ୍ୟ ମୃତଦେହ ସେଭଳି ବନ୍ଦର ମେଡିକାଲ ଶବାଗାରରେ ରହିଛି । ଖବର ପ୍ରଚାରିତ ହେବା ପରେ ବାଲେଶ୍ୱର ବୋଟ ମାଲିକସଂଘ ପାରାଦୀପରେ ପହଞ୍ଚି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସହ ଆଲୋଚନାକରି ରାଜରାସ୍ତାକୁ ଓହ୍ଳାଇବା ପାଇଁ ଚେତାବନୀ ଦେଇଛନ୍ତି । ତେବେ ମାଛଧରା ବୋଟ୍ଟି ସନେ୍ଦହଜନକ ଭାବେ ବୁଲୁଥିବାରୁ ତାକୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । ବାରମ୍ବାର ଅଟକାଇଥିଲେ ମଧ୍ୟ ବୋଟଟି ନ ଅଟକି ଓଲଟା କୋଷ୍ଟଗାର୍ଡର ଜାହାଜକୁ ଧକ୍କା ଦେଇଥିବା କୋଷ୍ଟଗାର୍ଡ ଡିଆଇଜି କହିଛନ୍ତି । ପ୍ରଥମେ ବୋଟକୁ ମାଇକ୍ ଓ ଟର୍ଚ୍ଚଲାଇଟ୍ ଦ୍ୱାରା ଅଟକାଇବାକୁ ଚେତାବନୀ ଦିଆଯାଇଥିଲା । ମାତ୍ର ବୋଟ୍ ନ ଅଟକିବାରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା । ତଥାପି ନ ଅଟକିବାରୁ ପରେ ବାଧ୍ୟ ହୋଇ ବୋଟ୍ ଉପରକୁ ଗୁଳିଚାଳନା କରାଯାଇଥିବା ଡିଆଇଜି କହିଛନ୍ତି । ଘଟଣାରେ କୋଷ୍ଟଗାର୍ଡର ବୋଟ୍ ମଧ୍ୟ କ୍ଷତିଗ୍ରସ୍ଥ ହୋଇଥିବା କୋଷ୍ଟଗାର୍ଡର ଡିଆଇଜି କହିଛନ୍ତି । ତେବେ ତଦନ୍ତ ପରେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଟ୍ରଲରରେ ଥିବା ଅନ୍ୟ ୮ଜଣ ମତ୍ସ୍ୟଜୀବୀ ନିରଂଜନ ମଳିକ, ଗୋବିନ୍ଦ ମଳିକ, ପ୍ରଭାତ ମଳିକ, ରବିନ୍ଦ୍ର ମଳିକ, ଚୈତନ୍ୟ ମଳିକ, କୀର୍ତ୍ତନ ମଳିକ, କେଦାର ମଳିକ ଓ ରବିନ୍ଦ୍ର ମଳିକଙ୍କୁ ତଟରକ୍ଷୀବାହିନୀ ଗିରଫ କରି ରାଜନଗର ବନବିଭାଗକୁ ହସ୍ତାନ୍ତର କରିଛି । ଡାକ୍ତରୀମାଇନା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଜବତ ଟ୍ରଲରରୁ ୨ଟି ଭିଏଚ୍ଏଫ୍, ୧ଟି ଜିପିଏସ୍, ୧ଟି ଫିସ୍ଫାଇଣ୍ଡର, ୧୧ଟି ଜାଲ, ୮ଟି ମୋବାଇଲ, ୨୦ କ୍ୱିଣ୍ଟାଲ ମାଛ ଜବତ ହୋଇଛି ।

ସେଆର କରନ୍ତୁ:



Powered by odothemes.com