Chilika-mohachaba-udghatana-uchaba-10

ଚିଲିକା ଶ୍ରୀଜଗନ୍ନାଥଙ୍କ ପ୍ରେୟସୀ ଶ୍ରୀରାଧା: ରାଜ୍ୟପାଳ

13

ଚିଲିକା ମହୋତ୍ସବ ଉଦ୍ଘାଟିତ
ପୁରୀ(ବୁ୍ୟରୋ): ଚିଲିକା କେବଳ ଏକ ହ୍ରଦ ନୁହେଁ ଏହା ଆଧ୍ୟାତ୍ମିକତାର ପ୍ରତୀକ ଏବଂ ଜଗନ୍ନାଥ ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡ଼ିତ । ଓଡିଶାର ଇତିହାସ ଓ ଐତିହ୍ୟର ଏକ ରଙ୍ଗସ୍ଥଳୀ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଓ ଜୀବିକାର ଆଧାର । ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ପାଇଁ ଚିଲିକା ବିଶ୍ୱରେ ପ୍ରସିଦ୍ଧ । ଆଗାମୀ ଦିନରେ ଭାରତ ମାଟିରେ ଯେଉଁ ବିଦେଶୀ ପର୍ଯ୍ୟଟକ ପାଦ ପକାଇବ ତାଙ୍କ ପକେଟ୍ରେ ଚିଲିକାର ଠିକଣା ରହିଥିବ ବୋଲି ମୁଖ୍ୟ ଅତିଥି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ଚିଲିକା କୂଳ ସାତପଡା ଠାରେ ଆୟୋଜିତ ୪ଦିନିଆ ସପ୍ତମ ଚିଲିକା ମହୋସôବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ପ୍ରଫେସର ଶ୍ରୀ ଲାଲ କହିଲେ ଯେ ବ୍ରହ୍ମାଣ୍ଡ ଓଡ଼ିଶା ଭିତରେ ରହିଛି । ଏହା ହେଉଛି ଶ୍ରୀ ଜଗନ୍ନାଥଙ୍କର ପାବନ କ୍ଷେତ୍ର । ଏଭଳି ମହୋସôବ ଓଡିଶାର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନକୁ ବିଶେଷ ଭାବେ ପ୍ରଭାବିତ କରିବ । ଚିଲିକାକୁ ଜଗନ୍ନାଥରୂପୀ କୃଷ୍ଣଙ୍କର ପ୍ରେୟସୀ ଶ୍ରୀରାଧା ଭାବେ ଅଭିହିତ କରି ପ୍ରଫେସର ଲାଲ କହିଥିଲେ, ଉତ୍କଳ ମହାଲକ୍ଷ୍ମୀଙ୍କ ବିଳାସ ଭୂମି । ଯାହାର ଚାରୁ ଚିତ୍ରପଟ୍ଟ ଦେଖଣାହାରୀଙ୍କୁ ଆନମନା କରିଛି । ଇତିହାସର ରଙ୍ଗସ୍ଥଳୀ ଚିଲିକାକୁ ନେଇ ରୁଦ୍ଧିମନ୍ତ ଆମର ପୁରାଣ, ସାହିତ୍ୟ, ଇତିହାସ ଓ ଜନଶ୍ରୁତି । ସେହି ଚେତନାକୁ ଲୋକାଭିମୁଖୀ କରିବା ପାଇଁ ଚିଲିକା ମହୋସôବର ଉତ୍ପତ୍ତି । ଗତବର୍ଷ ସାଢ଼େ ୧୦ଲକ୍ଷ ପକ୍ଷୀ ଚିଲିକା ଆଶ୍ରୟ ନେଇଥିବା ପ୍ରକାଶ କରି ସେ କହିଥିଲେ, ଚିଲିକା ବାସ୍ତବମୟୀ ମାତା, ମନସ୍ୱିନୀ, ମାହେଶ୍ୱରୀ, ଭୁବନେଶ୍ୱରୀ ଓ ସୁରେଶ୍ୱରୀ । ଭାରତର ଅର୍ଥଶାସ୍ତ୍ର ହେଉଛି ଚିଲିକା । ଜୀବନ ନିର୍ବାହ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସାଧନ ପାଲଟିଛି ଚିଲିକା ।
ପର୍ଯ୍ୟଟନ ବିଭାଗ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ମହୋସôବରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ କହିଲେ, ନିଳାମ୍ବୁ ଚିଲିକା ଓଡିଶାର ସଂସ୍କୃତି ବହନ କରୁଛି । ଚିଲିକା ପ୍ରତି କିଭଳି ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ ସେ ଦିଗରେ ଉଦ୍ୟମ ଅବ୍ୟାହତ ରହିଛି ।
ମହୋସôବର ପ୍ରତିଷ୍ଠାତା ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ କୁମାର ଦାସବର୍ମା ଉଦ୍ବୋଧନ ଦେଇ କହିଥିଲେ ଯେ ରାଜ୍ୟପାଳ ସାହିତ୍ୟ, ସଂସ୍କୃତି, ଶିକ୍ଷା, ପର୍ଯ୍ୟଟନ ପ୍ରତି ଆଗ୍ରହ ରଖୁଥିବା ଜଣେ ବ୍ୟକ୍ତିତ୍ୱ । ବିଶ୍ୱ ଦରବାରରେ ଓଡିଶାର ପ୍ରଥମ ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ଦ୍ୱିତୀୟ ପରିଚୟ ଓଡିଶାର ଅସ୍ମିତା ବିଜୁ ପଟ୍ଟନାୟକ । ତୃତୀୟ ପରିଚୟ ପର୍ଯ୍ୟଟନର ବିଭବ ଚିଲିକା । ଚିଲିକା ହେଉଛି କିମ୍ବଦନ୍ତୀ, ତାକୁ ଆଧାର କରି କାଳିଯାଇ, ଭାବ କୁଣ୍ଡଳେଶ୍ୱର ସଂସ୍କୃତିର ମୂଳପିଣ୍ଡ ଉପରେ ଛିଡା ହୋଇଛି । ଲୋକକଥା କହେ ମାଣିକଠୁ ମହାପ୍ରଭୁ ଏହି ରାସ୍ତାରେ ଦହି ଖାଇଥିଲେ । ବ୍ରହ୍ମଗିରି ଓଡିଆ ଜାତିର ପୂଣ୍ୟମାଟି ମହାପ୍ରଭୁ ଏହିଠାରୁ ଜୟଯାତ୍ରା ଆରମ୍ଭ କରିଥିଲେ । ଏ ମାଟି ଅତିବଡି ଜଗନ୍ନାଥ ଦାସଙ୍କୁ ଜନ୍ମ ଦେଇଛି । ଭାଗବତ ଓଡିଆ ଜାତିକୁ ବାନ୍ଧି ରଖିଛି । ମହାପ୍ରଭୁଙ୍କ ଅନବସରରେ ଅଲାରନାଥ ପୀଠ ଶ୍ରୀକ୍ଷେତ୍ର ପାଲଟିଥାଏ । ଚିଲିକା ସାରା ବିଶ୍ୱକୁ ସଂସ୍କୃତିର ସନେ୍ଦଶ ଦେଉଛି ଓ ଚିଲିକା ମହୋସôବ ଗଣପର୍ବରେ ପରିଣତ ହୋଇଛି ।
ମହୋସôବରେ ଆରକ୍ଷୀ ଅଧିକ୍ଷକ ଡା. ସାର୍ଥକ ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, କୃଷ୍ଣପ୍ରସାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୌଦାମିନୀ ମାନସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ରାଜ୍ୟପାଳ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବ୍ଲକ ଅଧ୍ୟକ୍ଷାଙ୍କୁ ମହୋସôବ କମିଟି ପକ୍ଷରୁ ଶ୍ରୀ ଦାସବର୍ମା ସ୍ମୃତିଫଳକ ଉପହାର ଦେଇଥିଲେ । ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ପରିଷଦ ସଦସ୍ୟା ବନ୍ଦନା ପ୍ରଧାନ, କୃଷ୍ଣପ୍ରସାଦ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଯୁବନେତା ସୁକାନ୍ତ କୁମାର ମାନସିଂ ଓ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଡ. ମୃତୁ୍ୟଞ୍ଜୟ ରଥ । ପୂର୍ବରୁ କାଳିଯାଇ ପୀଠରୁ ନୌକାରେ ମଶାଲ ଅଣାଯାଇ ମହୋସôବ ସ୍ଥଳରେ ସ୍ଥାପନା କରାଯାଇଥିଲା । ଉଦ୍ଘାଟନ ପରେ ପରିବେଷଣ କରାଯାଇଥିଲା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମ ଅର୍ଘ୍ୟ ଥିଲା ଯୋଡି ଶଙ୍ଖ ବାଦନ । ପରେ ପରେ ରଣପା ନୃତ୍ୟ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଓଡିଶୀ ନୃତ୍ୟ । ରାୟଗଡାର ଆଦିବାସୀ ନୃତ୍ୟରେ ଦର୍ଶକ ଝୁମିଥିଲେ ।

ସେଆର କରନ୍ତୁ:



Powered by odothemes.com