1-NADIBANDHA---2019-PHOTO-TIHIDI

ଯାଞ୍ଚ କଲେ ନଦୀବନ୍ଧ ଫାଟ, ଭୁଶୁଡ଼ି ଥିବା ସ୍ଥାନ

8

ମନ୍ତେଇ କୂଳରେ ଜଳସମ୍ପଦ ଅଧିକାରୀ
ଧାମରା, ୧୧ା୧(ଆପ୍ର): ମନ୍ତେଇ ନଦୀ କୂଳ ଏବେ ଅସୁରକ୍ଷିତ । ବିଶେଷ କରି ଧାମରା ପଞ୍ଚାୟତ ଝାଡକଟା ଗ୍ରାମ ନିକଟରେ ନଦୀକୂଳ ଭୁସୁଡିବାରେ ଲାଗିଛି । ଏଠାରେ ବାରମ୍ବାର ଭୂସ୍ଫଳନ ହେଉଛି । ଠିକାଦାର ନଦୀକୂଳ ପଥର ପ୍ୟାକିଂ କରୁଛନ୍ତି ଅଥଚ ନଦୀକୁ ଧସିଯାଉଛି ଭୂସ୍ଫଳନ ହୋଇ । ଏହାର କାରଣ ଓ ନିରାକରଣ ଖୋଜିବା ପାଇଁ ଆଜି ଜଳସମ୍ପଦ ବିଭାଗର ବଡ ବଡ ଅଧିକାରୀମାନେ ରାଜ୍ୟରୁ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ପ୍ରକାଶ ଯେ ୨୦୧୭ରେ ନଦୀ ବନ୍ଧର ଫାଟ ପରିଦର୍ଶନ କରିବା ପାଇଁ ବିଭାଗୀୟ ପଦାଧିକାରୀ ଆସି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ୧୫ କୋଟି ଟଙ୍କାର ଏକ ବଡ ବଜେଟ କରି ଏହି ନଦୀ ବନ୍ଧର ସ୍ଥାୟୀ ପ୍ରତିକାର କରାଯାଇ ଲୋକମାନଙ୍କର ଧନ ଜୀବନ ରକ୍ଷା କରାଯିବ । ଏହା ମଧ୍ୟରେ ୧୫ ମାସ ବିତିଯାଇଛି । ଏହି ୧୫ ମାସ ମଧ୍ୟରେ ପ୍ରତିଶ୍ରୁତିକୁ ଭୁଲି ଯାଇଥିବା ବିଭାଗୀୟ ଅଧିକାରୀମାନେ ବନ୍ଧ ଧସିଯିବା ପରେ ଆଜି ପୁଣି ସ୍ଥିତି ଅନୁଧ୍ୟାନ ପାଇଁ ଧାମରାରେ ପହଁଚିଛନ୍ତି । ଚଳିତ ମାସ ୬ ତାରିଖରେ ଧାମରା ପଞ୍ଚାୟତ ଝାଡକଟା ଗ୍ରାମ ଠାରେ ଦେଇ ମନ୍ତେଇ ନଦୀର ଦୁର୍ବଳ ଲୁଣାବନ୍ଧ ନଦୀ ମଧ୍ୟକୁ ଧସି ଯିବା ପରେ ୭ ତାରିଖ ଏସଡିଓ ଓ ବିଭାଗୀୟ ଜେଇ ଘଟଣାସ୍ଥଳ ପରିଦର୍ଶନ କରି ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ କହିଥିଲେ । ୯୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାତ୍ର ୮୦ ମିଟର ଲୁଣା ବନ୍ଧର କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହି ବନ୍ଧ ଧସି ନଦୀଗର୍ଭକୁ ଚାଲିଯାଇଥିଲା । ବନ୍ଧର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବାରିପଦା ଜଳସମ୍ପଦ ବିଭାଗର ଅଧିକ୍ଷକ ଯନ୍ତ୍ରୀ ବି. ପ୍ରମୋଦ କୁମାର, ବାସୁଦେବପୁର ଜଳସମ୍ପଦ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ମହାକୁଡ, ଏସଡିଓ ଧ୍ରୁବନାରାୟଣ ଷଢଙ୍ଗୀ, ଯନ୍ତ୍ରୀ କୁଞ୍ଜ ନାରାୟଣ ଜେନା ଆସି ପହଞ୍ଚି ଥିଲେ । ପୂର୍ବପରି ବିଭାଗୀୟ ଅଧିକାରୀଙ୍କ ଗସ୍ତ ସମୟରେ ଧାମରା ସରପଞ୍ଚ ପ୍ରିୟରଂଜନ ଜେନା ଓ ଗ୍ରାମବାସୀ ବନ୍ଧର ସ୍ଥାୟୀତ୍ୱ ନେଇ ବିଭାଗୀୟ ପଦାଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିବା ବେଳେ ବନ୍ଧର ଗୋଟିଏ ପଟରେ ନଦୀର ପ୍ରଖର ସ୍ରୋତ ଓ ଅନ୍ୟ ପାଖରେ ସାଧାରଣ ଜନତା ଖୋଳିଥିବା ମାଛ ପୋଖରୀର ପାଣି ଝର ଏହି ନଦୀବନ୍ଧ ଧସି ନେବାର ମୁଖ୍ୟ କାରଣ ବୋଲି ଅଧିକ୍ଷକ ଯନ୍ତ୍ରୀ ସୂଚନା ଦେଇଥିଲେ । ତେବେ ବିଭାଗ ଓ ପଞ୍ଚାୟତ କର୍ମକର୍ତ୍ତାଙ୍କ ଉଦ୍ୟମ ବଳରେ ଏହି ବନ୍ଧର ସ୍ଥାୟୀ ପ୍ରତିକାର କରାଯାଇ ପାରିବ ବୋଲି ମୁଖ୍ୟ ନିରୀକ୍ଷକ କହିଥିଲେ । ଖୁବଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ମୁଖ୍ୟ ନିରୀକ୍ଷକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିବା ବେଳେ ନଦୀବନ୍ଧରେ ପୁଣି ପଥର ଡମ୍ଫିଂ ପାଇଁ ଏସଡିଓଙ୍କୁ ଦାୟିତ୍ୱ ଦେଇଥିଲେ । ଅନ୍ୟପକ୍ଷରେ ପଥର ପ୍ୟାକିଂ ରେ ମାତ୍ର ୧୦୦ ମିଟର ଛାଡି ଲୁଣା ବନ୍ଧର ହୋଇଥିବା ଫାଟର ସ୍ଥିତି ଅନୁଧ୍ୟାନ କରି ଖୁବ୍ଶୀଘ୍ର ଏହି ବନ୍ଧର ସ୍ଥାୟୀ ପ୍ରତିକାର ପାଇଁ ନିରୀକ୍ଷକ ମତ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com