Khadapada

“କାଳିଆ’ ଫର୍ମ ଲାଗି ଭିଡ଼

15

ଖଣ୍ଡପଡ଼ା (ଆପ୍ର): ଖଣ୍ଡପଡ଼ା ବ୍ଲକ୍ର ୨୨ ପଞ୍ଚାୟତ କାର୍ଯ୍ୟାଳୟରେ କାଳିଆ ଯୋଜନାରେ ସାମିଲ ହେବା ପାଇଁ ଆଶାୟୀ କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ, ଭାଗଚାଷୀଙ୍କ ଠାରୁ ଆରମ୍ଭ କରି ଚାଷବାସ କରୁନଥିବା ଲୋକଙ୍କ ନାହିଁନଥିବା ଭିଡ଼ ଜମୁଛି । ରାଜ୍ୟ ସରକାର ଲାଗୁ କରିଥିବା ଏହି ଯୋଜନା କାହା ପାଇଁ ଓ କେଉଁମାନେ ଏ ଯୋଜାନରେ ସାମିଲ ହେବେ ସେ ସମ୍ପର୍କରେ ସାଧାରଣ ଲୋକେ ଅଜ୍ଞ ଥିବାରୁ ସରକାରୀ ସୁବିଧା ସୁଯୋଗ ଓ ଅର୍ଥ ହାତେଇବା ପାଇଁ ଯିଏ ମନେ ସିଏ କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟରେ ଭିଡ ଜମାଉଛନ୍ତି । କାମଧନ୍ଦା ଛାଡି ଲୋକମାନେ ଏବେ କାଳିଆ ଯୋଜନା ପଛରେ ପଡିଯାଇଛନ୍ତି ।
କାଳିଆ ଯୋଜନାରେ ଫର୍ମ ଖଣ୍ଡେ ହାତେଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଦିନତମାମ ଲମ୍ବା ଲାଇନ ଲାଗୁଛି । ସମୟେ ସମୟେ ଲାଇନରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରେ ଠେଲାପେଲା ହୋଇ ମାର୍ପିଟ ପର୍ଯ୍ୟନ୍ତ ଯିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଗୁଣ୍ଠୁଣୀ ପଞ୍ଚାୟତ କାର୍ଯ୍ୟାଳୟରେ କାଳିଆ ଯୋଜନାରେ ଆବେଦନ ଫର୍ମ ପାଇଁ ମାଡପିଟ ଘଟି ମାମଲା ଖଣ୍ଡପଡା ଥାନାରେ ପହଞ୍ଚିଛି । କାଳିଆ ଯୋଜନାରେ ଫର୍ମ ପ୍ରଦାନ ସମସ୍ତ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ପଞ୍ଚାୟତରେ ଆବଶ୍ୟକତା ତୁଳନାରେ ଫର୍ମ ମିଳୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସେହିପରି ଫର୍ମ ପ୍ରଦାନ ନିମନ୍ତେ ସରକାରୀ କର୍ମଚାରୀଙ୍କ ଅଭାବ ମଧ୍ୟ ପରିଲକ୍ଷିତ ହେଉଛି । ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ଲାଗୁ କରିଥିବା ଏହି ସୁଦୂରପ୍ରସାରୀ ଲୋକହିତକର ଯୋଜାନରୁ ବାସ୍ତବରେ ଚାଷୀମାନେ ଉପକୃତ ହେବେ ନାଁ, ନାହିଁ ଏ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶଥାଉକି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରୁ ଅନେକ ଅଣଚାଷୀ କାଳିଆ ଯୋଜନାରେ ସାମିଲ ହେବା ପାଇଁ ଇତି ମଧ୍ୟରେ ଆବେଦନ ଫର୍ମ ହାତେଇଥିବା ଅଭିଯୋଗ ହେଉଛି । ଅପରପକ୍ଷେ ଏହି ଯୋଜନାରେ ସାମିଲ କରିଦେବା ପାଇଁ ଗାଁ ଗଣ୍ଡାରେ ଏବେ ମାଳମାଳ ଦଲାଲ ଓ ଦଣ୍ଡିଆ ଘୁରି ବୁଲୁଥିବା ବେଳେ ଚାଷୀଙ୍କୁ ପ୍ରଲୋଭନ ଦେଖାଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି । ଫଳରେ କାଳିଆ ଯୋଜନାର ସ୍ୱଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଯୋଜନାର ସଫଳ ରୂପାୟନ ଦିଗରେ ଜିଲ୍ଲାପାଳ ଓ ବିଡିଓ ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି ।

ସେଆର କରନ୍ତୁ:



Powered by odothemes.com