SUKHUA-HAT---2019-PHOTO-TIHIDI

ବେପାରୀଙ୍କୁ ମିଳୁନି ପ୍ରଶାସନିକ ପ୍ରୋତ୍ସାହନ

13

ତିହିଡ଼ି ଶୁଖୁଆ ହାଟ ପରିଚୟ ଖୋଜୁଛି
ତିହିଡି, ୧୦ା୧(ଆପ୍ର): ଉତ୍ତର ଓଡିଶାରେ ଭଦ୍ରକ ଜିଲ୍ଲାର ତିହିଡି ଶୁଖୁଆ ହାଟ ଓଡିଶାରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ହେଲେ ଏବେ ତିହିଡି ସହିତ ସମକକ୍ଷ ହେବାରେ ଲାଗିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଆଗରେ ଥିବା ବୁଧୁବାରିଆ ହାଟ । ଖାଙ୍କିହାଟ ନାମରେ ପରିଚିତ ତିହିଡି ବଜାର ଶୁଖୁଆ ପାଇଁ ନିଜର ପରିଚୟ ସୃଷ୍ଟି କରୁଥିବା ବେଳେ ଶୁଖୁଆ ହାଟକୁ କିନ୍ତୁ ସାହାଯ୍ୟ ସହାନୁଭୁତି ମିଳୁନି । ପ୍ରତି ସପ୍ତାହର ସୋମବାର ଓ ଶୁକ୍ରବାର ହାଟବାରି ଦିନ ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ବେପାର ତିହିଡି ଖାଙ୍କିହାଟରେ ବେପାର ହେଉଥିଲେ ବି ପ୍ରଶାସନିକ ସ୍ତରରେ ଏହି ହାଟର ଶୁଖୁଆ ବେପାରୀଙ୍କ ପାଇଁ ସେମିତି କିଛି ପ୍ରୋତ୍ସାହନ ଯୋଗାଉ ନାହିଁ । ଦୀର୍ଘଦିନ ଧରି ଅବହେଳାର ଶିକାର ଏହି ହାଟ ଏବେ ନିଜ ପରିଚୟ ଖୋଜୁଛି ।
ଶହେବର୍ଷର ପୁରୁଣା ଏହି ଶୁଖୁଆ ହାଟରେ ବ୍ୟବସାୟ ହେଉଛି । ଏହି ଶୁଖୁଆ ହାଟକୁ ଚନ୍ଦିନିପାଳ, ଦିଘା, କାନ୍ଥି, ହୁମ୍ମା ଆଦି ସ୍ଥାନରୁ ଶୁଖୁଆ ଆସେ ବିକ୍ରି ହେବାକୁ । ବିଶେଷ କରି ଉପକୂଳ ବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ପୁରୀ, ଗଞ୍ଜାମ ଆଦି ଅଞ୍ଚଳରୁ ଏଠାକୁ ଦୈନିକ ଟ୍ରକ୍ ଟ୍ରକ୍ ଶୁଖୁଆ ଆସୁଛି । ତିହିଡି ଶୁଖୁଆ ହାଟରେ ରହିଛି ୧୫ଟି ପାଇକାରୀ ଦୋକାନ ଓ ୫୦ଟି ଖୁଚୁରା ଦୋକାନ । ଜିଲ୍ଲା କାହିଁକି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ଏହି ହାଟରୁ ବିଭିନ୍ନ ପ୍ରକାରର ଶୁଖୁଆ ନିଜ ପରିବାର ପାଇଁ କିଣି ନିଅଁନ୍ତି । ଶୁଖୁଆ ଗନ୍ଧରେ ଅଞ୍ଚଳ ଫାଟି ପଡୁଥିଲେ ବି ରାଜ୍ୟ ରାଜପଥରେ ଯାଉଥିବା ବିଭିନ୍ନ ଜିଲ୍ଲାର ଯାତ୍ରୀଙ୍କୁ ଆକୃଷ୍ଟ କରେ ତିହିଡି ଶୁଖୁଆ ହାଟ । ତିହିଡି ଶୁଖୁଆ ହାଟରେ ବଡ ବେପାରୀଙ୍କୁ ଛାଡି ଦେଲେ ୫୦ରୁ ଅଧିକ ଛୋଟ ବେପାରୀଙ୍କ ଠାରୁ ୧୦୦ ରୁ ଅଧିକ ଗାଁ ବେପାରୀ ଶୁଖୁଆ କିଣି ଗାଁ ଗାଁରେ ଦୈନିକ ୧୦ରୁ ୨୦ ହଜାର ଟଙ୍କାର ଶୁଖୁଆ ବିକୁଛନ୍ତି । ତିହିଡି ଶୁଖୁଆ ହାଟର ନିର୍ମିତ ୨୦ଟି ଘର ଏବେ ଭାଙ୍ଗିରୁଜି ଗଲାଣି । କବାଟ, ଝରକା ଦଦରା ଅବସ୍ଥାରେ ଥିବା ବେଳେ ଏହି ଶୁଖୁଆ ହାଟର ଘର ଗୁଡିକ ଆରଏମସି କର୍ତ୍ତୃପକ୍ଷ ମରାମତି କରିବାର ନାଁ ଧରୁନାହାନ୍ତି । ଆରଏମସି କର୍ତ୍ତୃପକ୍ଷ ବାହାନା କରୁଛନ୍ତି ଯେ ବେପାରୀମାନଙ୍କୁ ନୋଟିସ ଦେଲା ପରେ ବି ଘରଭଡା ଦେଉନାହାନ୍ତି । ହଜାର ହଜାର ଟଙ୍କା ବାକି ପଡିଛି ବେପାରୀମାନଙ୍କ ଉପରେ । ଯାହାକୁ ନେଇ ଏବେ ଉଠିଛି ବିବାଦ । ଅନ୍ୟପକ୍ଷରେ ଏହି ଗୋଦାମ ଓ ଦୋକାନ ଘରକୁ ବିଜୁଳି ଟିକିଏ ଦେବାକୁ ଆରଏମସି କର୍ତ୍ତୃପକ୍ଷ ସକ୍ଷମ ହୋଇନାହାନ୍ତି ଯେଉଁଥି ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି ।

ସେଆର କରନ୍ତୁ:



Powered by odothemes.com