ନର୍ସିଂ କଲେଜ ନାମଲେଖା ପାଇଁ ନୂଆ ବ୍ୟବସ୍ଥା

34

ଭୁବନେଶ୍ୱର ,୧୧ା୭(ବୁ୍ୟରେ): ଚଳିତ ଶିକ୍ଷା ବର୍ଷଠାରୁ ନର୍ସିଂ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଅନୁମୋଦିତ ସରକାରୀ ତଥା ଘରୋଇ ନର୍ସିଂ କଲେଜଗୁଡିକରେ ଏଣିକି ନୂଆ ବ୍ୟବସ୍ଥା ଲାଗୁ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରରୁ ନାମ ଲେଖା ପଦ୍ଧତିରେ ସଂସ୍କାର ଲାଗୁ କରାଯାଇଛି । ନୂଆ ବ୍ୟବସ୍ଥା ଅନୁଯାୟୀ, ଚଳିତ ବର୍ଷ ଏ.ଏନ୍.ଏମ୍, ଜି.ଏନ୍.ଏମ୍ ଏବଂ ପୋଷ୍ଟ ବେସିକ୍ ବି.ଏସ୍.ସି ନର୍ସିଂ ପାଇଁ କେବଳ ମାର୍କ ଅନୁଯାୟୀ ମେଧାବି ତାଲିକା ପ୍ରସ୍ତୁତ କରାଯିବ ଏବଂ ଏମ୍.ଏସ୍.ସି ନର୍ସିଂ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ନାମଲେଖାଇବା ପାଇଁ ପୂର୍ବରୁ ରହିଥିବା ସର୍ବୋଚ୍ଚ ବୟସ ସୀମାକୁ ଉଠାଇ ଦିଆଯାଇଛି । ଆସନ୍ତା ୨୦୧୫ ଡ଼ିସେମ୍ବର ୩୧ ସୁଦ୍ଧା ଯେଉଁ ମାନଙ୍କୁ ୧୭ବର୍ଷ ବା ଅଧିକ ଥିବ ସେମାନେ ଆବେଦନ କରିପାରିବେ । ସେହିପରି ଆଇ.ଏନ୍.ସି ଅନୁମୋଦିତ ସମସ୍ତ ଘରୋଇ ନର୍ସିଂ କଲେଜଗୁଡିକରେ ମୋଟ ସିଟ୍ର ୮୫ % ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଫିସ୍ରେ ସରକାରଙ୍କ ମେଧାବୀ ତାଲିକା ଅନୁଯାୟୀ ପୂରଣ ହେବ । ପୂର୍ବରୁ ଏହି ସୀମା ୫୦ ପ୍ରତିଶତ ଥିଲା । ବାକି ୧୫ ପ୍ରତିଶତ ସିଟ୍ ସଂପୃକ୍ତ କଲେଜଗୁଡିକ ନିଜେ ନିଜେ ପୂରଣ କରିବେ । ଘରୋଇ ନର୍ସିଂ କଲେଜଗୁଡିକର ଜିଏନ୍ଏମ ଏବଂ ଅନ୍ୟ ଉଚ୍ଚତର ପାଠ୍ୟକ୍ରମରେ ୧୫ ପ୍ରତିଶତ ସିଟ୍ରେ ନାମ ଲେଖାଇବା ପାଇଁ ଓଡିଆ ଭାଷାରେ ନିଶ୍ଟିତ ୭ମ ଶ୍ରେଣୀ ପାସ୍ କରିଥିବା ବାଧ୍ୟତାମୂଳକ ହେବନାହିଁ । ଯେଉଁ କଲେଜଗୁଡିକ ନର୍ସିଂ କାଉନ୍ସିଲ ଦ୍ୱାରା ଅନୁମୋଦିତ ବା ଚଳିତ ବର୍ଷ ଜୁଲାଇମାସ ୩୧ ତାରିଖ ସୁଦ୍ଧା ଅନୁମୋଦିତ ହେବେ ସେହିମାନେ ଦୁଇଟି ରାଉଣ୍ଡରେ ହେବାକୁ ଥିବା ଇ-କାଉନସେଲିଂରେ ଅଂଶ ଗ୍ରହଣ କରିପାରିବେ । ଦୁଇ ରାଉଣ୍ଡ ଇ-କାଉନସେଲିଂ ପରେ ଯଦି ସେମାନଙ୍କର ସିଟ୍ ପୂରଣ ନହୁଏ ତାହା ହେଲେ ସେମାନେ ନିଜେ ନିଜେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କମନ ମେଧାବୀ ତାଲିକାରୁ କେବଳ ପିଲାମାନଙ୍କୁ ନେଇ ଖାଲି ସିଟ୍ ପୂରଣ କରିବେ । ୨୨ଟି ନୋଡାଲ କେନ୍ଦ୍ରରେ ଇ-କାଉନସେଲିଂ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ପ୍ରକାଶ ଥାଉକି ରାଜ୍ୟରେ ନର୍ସିଂ ଶିକ୍ଷାକୁ ଅଧିକ ଶୃଂଖଳିତ ଓ ଗୁଣାତ୍ମକ ଦୃଷ୍ଟିରୁ ଫଳପ୍ରଦ କରିବା ଏବଂ ନାମଲେଖା ପ୍ରଣାଳୀରେ ସ୍ୱଚ୍ଛତା ଆଣିବା ନିମନ୍ତେ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଥିଲେ । ଏହି ଟାସ୍କଫୋର୍ସର ସୁପାରିସକୁ ଭିତ୍ତି କରି ଉପରୋକ୍ତ ସଂସ୍କାର କାର୍ଯ୍ୟକାରୀ କରାଯାଇଛି ।
ଏ.ଏନ୍.ଏମ୍ ଏବଂ ଜି.ଏନ୍.ଏମ୍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଯେଉଁ ଛାତ୍ରଛାତ୍ରୀମାନ ନିଜେ ଅନଲାଇନ୍ରେ ଆବେଦନ କରି ନପାରିବେ ସେମାନେ ନିଜ ନିଜ ଜିଲ୍ଲାର ସି.ଡି.ଏମ୍.ଓ ଅଫିସ , ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା ପଞ୍ଚାୟତ ସ୍ତରରେ ଥିବା ସାଧାରଣ ସେବା କେନ୍ଦ୍ରମାନଙ୍କରେ ସହାୟତା ପାଇପାରିବେ । ତେବେ ପଞ୍ଚାୟତ ସ୍ତରରେ ଥିବା ସାଧାରଣ ସେବା କେନ୍ଦ୍ରମାନଙ୍କରେ ଏହି ସହାୟତା ଏବଂ ଆବେଦନ ପାଇଁ ସେମାନଙ୍କୁ ୨୫ ଟଙ୍କା ଦେବାକୁ ପଡିବ । ବି.ଏସ୍.ସି ନର୍ସିଂ, ପୋଷ୍ଟ ବେସିକ୍ ନର୍ସିଂ ଏବଂ ଏମ.ଏସ୍.ସି ନର୍ସିଂ ପାଇଁ ଛାତ୍ରଛାତ୍ରୀମାନେ ଡାକ୍ତରୀ ଶିକ୍ଷା ଓ ତାଲିମ୍ ନିର୍ଦ୍ଧେଶକ କିମ୍ବା ନର୍ସିଂ ନିର୍ଦ୍ଧେଶକଙ୍କ ୱେବସାଇଟରୁ ପ୍ରସ୍ପେକ୍ଟସ୍ ଏବଂ ଦରଖାସ୍ତ ଫର୍ମ ଡାଉନଲୋଡ କରି ନିର୍ଦ୍ଧାରିତ ସରକାରୀ ଫିସ୍ ସହ ଆବେଦନ କରିବେ ।

ସେଆର କରନ୍ତୁ:



Powered by odothemes.com